ବିନା ପରୀକ୍ଷାରେ ପାସ୍‌କରିବା ସୁଯୋଗ ନେବାକୁ ହୋଇଥିଲା ମସୁଧା!

ଫର୍ମରେ ପଡ଼ିଛି ଶିକ୍ଷକ, ପିଅନଙ୍କ ଫୋନ୍ ନମ୍ବର
ଅଧିକାଂଶ ଫୋନ୍‌ରେ ଉତ୍ତର ଆସୁଛି ‘ଉପଲବ୍ଧ ନାହିଁ’

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଫର୍ମପୂରଣ କରି ପରୀକ୍ଷା ନଦେବା ଘଟଣା ନେଇ ଉଦ୍‌ବେଗଜନକ ତଥ୍ୟ ସାମ୍‌ନାକୁ ଆସୁଛି। ଏହା ପଛର ସବୁଠୁ ବଡ଼ କାରଣ ହେଉଛି, ଅଧିକ ଛାତ୍ରଛାତ୍ରୀ ସଂଖ୍ୟା ଦର୍ଶାଇ ସରକାରୀ ସୁବିଧାସୁଯୋଗ ହାତେଇ ଚାଲିବା। ସ୍କୁଲ ମିଶ୍ରଣ, ଛାତ୍ରଛାତ୍ରୀ ସଂଖ୍ୟା ଅନୁପାତରେ ଶିକ୍ଷକ/ଶିକ୍ଷୟିତ୍ରୀ ପଦବି ନିର୍ଦ୍ଧାରଣ ଭଳି କାରଣରୁ ଅନେକ ସ୍କୁଲ ଦୀର୍ଘଦିନରୁ ପାଠ ଛାଡ଼ି ସାରିଥିବା ଛାତ୍ରଛାତ୍ରୀଙ୍କ ନାମ ରେକର୍ଡରେ ଗଡ଼ାଇ ଚାଲିଛନ୍ତି। ବିନା ଫି ଓ ବିନା ସ୍ବାକ୍ଷରରେ ଫର୍ମ ପୂରଣର ସୁଯୋଗ ଥିବାରୁ ବିଭିନ୍ନ ସ୍କୁଲ ଏହାର ଫାଇଦା ନେବାରେ ପଛଘୁଞ୍ଚା ଦେଇନାହାନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀ ପାଠ ଛାଡ଼ିବା ପ୍ରସଙ୍ଗରେ ଅନେକ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଉତ୍ତର ଦେବାକୁ ପଡୁ ଥିବାରୁ ମିଛ ସଂଖ୍ୟା ଦର୍ଶାଇ ତାହାର ସୁଯୋଗ ନେଉଛନ୍ତି ବିଭିନ୍ନ ସ୍କୁଲ। ପାଠରେ ଡୋର ବାନ୍ଧି ସାରିଥିବା ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ରେକର୍ଡରେ ଦର୍ଶାଇ ମିଛ ସଂଖ୍ୟାର ଖେଳ ଖେଳୁଛନ୍ତି।

ଅନ୍ୟ ଯେଉଁ କାରଣଟି ସବୁଠୁ ଉଦ୍‌ବେଗଜନକ, ତାହା ହେଉଛି ବିନା ପରୀକ୍ଷାରେ ଅନେକଙ୍କୁ ମାଟ୍ରିକ ପାସ୍ କରାଇ ଦେବାର ମସୁଧା। ଗତବର୍ଷ କୋଭିଡ୍ ସ୍ଥିତି ଯୋଗୁଁ ବିନା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ ଦର୍ଶା ଯାଇଥିଲା। ଏଥର ବି ଯଦି କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ନଥାନ୍ତା ତେବେ ପୂର୍ବବର୍ଷ ଭଳି ବିନା ପରୀକ୍ଷାରେ ପିଲାଙ୍କୁ ପାସ୍ କରାଯାଇଥାନ୍ତା। ସେହି ଯୋଜନାରେ ଅନେକଙ୍କ ପାଇଁ ଫର୍ମ ପୂରଣ କରାଯାଇଥିବା ଭଳି ତଥ୍ୟ ସାମନାକୁ ଆସୁଛି। କିନ୍ତୁ ସେମାନଙ୍କର ଆଉ ପାଠ ସହ ସଂପର୍କ ନଥିବାରୁ ଫର୍ମ ପୂରଣ କରିଥିଲେ ବି ଏଥର ପରୀକ୍ଷା ଦେବାକୁ ସେମାନେ ଆସି ନାହାନ୍ତି। ଏଭଳି ମିଛ ସଂଖ୍ୟା ଦର୍ଶାଇବା ଦ୍ବାରା ବୋର୍ଡ ଉପରେ ବି ପରୀକ୍ଷା ପରିଚାଳନା ଖର୍ଚ୍ଚ ଅଧିକ ହୋଇଛି। ଏହି ଛାତ୍ରଛାତ୍ରୀଙ୍କ ଖାତା, ପ୍ରଶ୍ନପତ୍ର, ଆଡମିଟ୍ କାର୍ଡ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବାବଦରେ ଖର୍ଚ୍ଚ ବୋର୍ଡ ବହନ କରିଛି।

ମାଟ୍ରିକ୍‌ ଫର୍ମ ପୂରଣରେ କିଭଳି କେଳେଙ୍କାରୀ ହୋଇଛି, ତାହାର ପ୍ରମାଣ ହେଉଛି ଫର୍ମରେ ‌ଦିଆଯାଇଥିବା ଭୁଲ୍ ତଥ୍ୟ। ଯେଉଁ ଫର୍ମ ପୂରଣ କରି ବୋର୍ଡକୁ ପଠାଯାଇଛି ସେଥିରେ ପିଲାଙ୍କ ମୋବାଇଲ ନମ୍ବର ସ୍ଥାନରେ ପଡିଛି ସ୍କୁଲ ଶିକ୍ଷକ, ପିଅନଙ୍କ ଫୋନ୍ ନମ୍ବର। ଏପରିକି ଅନେକ କ୍ଷେତ୍ରରେ ସଂପୂର୍ଣ୍ଣ ଭୁଲ୍ ନମ୍ବର ବି ଦିଆଯାଇଛି। ଅନୁପସ୍ଥିତ ଥିବା ପିଲାଙ୍କ ନମ୍ବରରେ ଫୋନ୍ କଲେ ଅନେକ ନମ୍ବର ନାହିଁ ବୋଲି ଉତ୍ତର ମିଳୁଛି।

କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାଏକ କହିଛନ୍ତି ଯେ ଏତେ ସଂଖ୍ୟକ ପିଲା କାହିଁକି ଅନୁପସ୍ଥିତ ରହିଛନ୍ତି ସେ ସଂପର୍କରେ ବିଦ୍ୟାଳୟଗୁଡିକୁ ରିପୋର୍ଟ ମଗାଯିବ। ଅନ୍ୟପଟେ ନିଆଳି, ଖୁଣ୍ଟୁଣୀ ହାଇସ୍କୁଲର ରାଜ୍ୟ ବାହାରେ ଓ ଇଟା ଭାଟିରେ ମୂଲ ଲାଗୁଥିବା ଏମିତିକି ବିବାହ କରି ସାରିଥିବା ପିଲାଙ୍କ ଫର୍ମ ପୂରଣ ହେବା ଘଟଣାରେ ଗଣ ଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି କରିଥିବା ଜଣା ପଡିଛି। ଏ ସଂପର୍କରେ ବୋର୍ଡର ପୂର୍ବତନ ସଭାପତି, ଶିକ୍ଷାବିତ୍ ଡକ୍ଟର ସତ୍ୟକାମ ମିଶ୍ର କହିଛନ୍ତି ଯେ ସ୍କୁଲ୍‌ରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଦର୍ଶାଇ ଶିକ୍ଷକ ପଦ ଅଧିକ ରଖିବା ଏବଂ ଅନ୍ୟ ‌ବିଭିନ୍ନ କାରଣରୁ ଏଭଳି ଘଟଣା ଘଟୁଛି। ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି। ଏହାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଡକ୍ଟର ମିଶ୍ର ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର