ରାୟଗଡ଼ା,(ପ୍ରେମେନ୍ଦ୍ର ପରିଛା): ଅବହେଳିତ ହୋଇପଡିଛି ସଉରା ଜନଜାତିର ଗୁରୁ ତଥା ପଣ୍ଡିତ ସ୍ବର୍ଗତ ମାଙ୍ଗେଇ ଗମାଙ୍ଗଙ୍କ ସମାଧୀ ପୀଠ ‘ମାତାର ବନାମ ଅର୍ଥାତ ଅକ୍ଷରବ୍ରହ୍ମ ପୀଠ। ତେଣୁ ପୀଠର ଉନ୍ନତି ପାଇଁ ଅନେକଥର ସରକାରଙ୍କ ନିକଟରେ ଗୁହାରି ହୋଇଛି। ତଥାପି ବିକାଶ ପାଇଁ ସରକାର ସହଯୋଗ ନକରି ଅଣଦେଖା କରି ଆସିଥିବା ସଉରା ଜନଜାତି ଅଭି‌ଯୋଗ କରିଛନ୍ତି। ଯାହା ଗୁରୁଙ୍କ ପ୍ରତି ଅପମାନ ବୋଲି ସଉରା ଜନଜାତି ମତ ରଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ଜୁନ୍‌ ୧୬ ତାରିଖରେ ମାଙ୍ଗେଇଙ୍କ ଜନ୍ମଦିନ ଥିବାବେଳେ ସରକାର ପୀଠପ୍ରତି ବିଶେଷ ଦୃଷ୍ଟିଦେଇ ବିକାଶ କରିବାକୁ ଦାବି ହୋଇଛି।

Advertisment

ସ୍ବର୍ଗତ ମାଙ୍ଗେଇ ଗମାଙ୍ଗ ଏକାଧାରରେ କବି, ଲେଖକ, ସମାଜସେବୀ, ସମାଜ ସଂସ୍କାରକ, ସାଧକ, ପଥପ୍ରଦର୍ଶକ, ବୈଦ୍ୟ ଥିଲେ। ତାଙ୍କୁ ସଉରା (ଶବର) ଜାତିର ଗୁରୁ ବୋଲି ମଧ୍ୟ କୁହାଯାଏ। ସରକାର ତାଙ୍କ ପୀଠପ୍ରତି ଅବହେଳା କରୁଥିବାରୁ ସଉରା ସମ୍ପ୍ରଦାୟ ନିଜ ଉଦ୍ୟମରେ ବିକାଶ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ମାଙ୍ଗେଇ ୧୯୧୬ ମସିହା ଜୁନ୍‌ ୧୬ ତାରିଖରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍‌ ମରିଚଗୁଡାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ସଉରା ସମ୍ପ୍ରଦାୟ ଇଂରେଜଙ୍କ ନିକଟରେ ଗୋତି ଖଟୁଥିଲେ। ବଡ଼ ହେବା ପରେ ମାଙ୍ଗେଇ କଟକର ଏକ ଡାକ୍ତରଖାନାରେ କମ୍ପାଉଣ୍ଡର ତାଲିମ ନେଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ କରୁଥିବା ବେଳେ ତାଙ୍କ ମନକୁ ଏକ ଭାବନା ଆସିଥିଲା। ଶବ ମୁହଁରୁ କାହିଁକି ଶବ୍ଦ ବାହାରୁନି ଓ ଏହା ଉପରେ ତାଙ୍କର କି ଅଧିକାର ଅଛି ଭଳି ଭାବନା ମନକୁ ଆନ୍ଦୋଳିତ କରିଥିଲା। ମଣିଷର ସ୍ବର ପେଟିକାରୁ ବାହାରୁଥିବା ଅକ୍ଷର ବିଷୟରେ ଜାଣିବାକୁ ସେ ତାଲିମ ଛାଡି ଏହାର ରହସ୍ୟ ଉନ୍ମୋଚନ କରିବାକୁ ଜପତପ ଆରମ୍ଭ କରିଦେଲେ। ଶେଷରେ ସିଦ୍ଧିଲାଭ କରି ‘ସରା ସଂପେଉ ବା ସଉରା ଅକ୍ଷରମାଳା ପାଇଥିବା କୁହାଯାଏ। ପରେ ସେ ନିଜ ସମ୍ପ୍ରଦାୟ ‌ଲୋକଙ୍କ ପାଖକୁ ଯାଇ ଏହି ଅକ୍ଷର ଶିକ୍ଷା ଦେଇଥିଲେ।

ଜନଜାତିର ଲୋକଙ୍କ ପାଇଁ ‘ମାତାର ବିମ ବା ବିଜ୍ଞାନ ପ୍ରଚାର ଆଶ୍ରମ ମରିଚଗୁଡା ଠାରେ ଖୋଲିଥିଲେ। ଏହି ଶିକ୍ଷା କେବଳ ତାଙ୍କ ଗାଁରେ ସୀମିତ ନଥିଲା। ପରେ ମାଙ୍ଗେଇ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଅକ୍ଷର ଶିକ୍ଷା ଦେଇଥିଲେ। ବଳିପ୍ରଥାରୁ ଲୋକେ କିପରି ଦୂରେଇ ରହିବେ ସେ ନେଇ ବୁଝାଇଥିଲେ। ପରେ ସଉରା ସମ୍ପ୍ରଦାୟ ଲୋକଙ୍କ ମଧ୍ୟରୁ ନାନା ଅନ୍ଧବଶ୍ବାସ ଦୂର କରିବାରେ ସଫଳ ହୋଇଥିଲେ। ଲୋକେ ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ଆଦିବାସୀଙ୍କ ଧର୍ମ ପରିବର୍ତ୍ତନକୁ ବିରୋଧ କରିବା ସହ ନିଜ ଜାତିକୁ ତ୍ୟାଗ ନକରିବାକୁ ଲୋକଙ୍କୁ ବୁଝାଉଥିଲେ। ପାଖରେ ଶିଷ୍ୟମାନଙ୍କୁ ରଖି ସଉରା ଜାତିର ଉନ୍ନତି ପାଇଁ ଆଲୋଚନା କରୁଥିଲେ। କେବଳ ରାୟଗଡା ଜିଲ୍ଲା ନୁହେଁ ଏବେର ଗଜପତି ଜିଲ୍ଲା, ଆନ୍ଧ୍ରର ଶ୍ରୀକାକୁଲମ, ବିଜୟନଗରମ ଅଞ୍ଚଳରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଓଡ଼ିଶା ସହ ତ୍ରିପୁରା, ମଣିପୁର, ଆସାମ, ସିକ୍କିମ, ଅରୁଣାଚଳପ୍ରଦେଶରେ ମଧ୍ୟ ବୁଲି ନିଜ ଜନଜାତି ଲୋକଙ୍କୁ ଅକ୍ଷର ଶିକ୍ଷା ଦେଇ ଜାତିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ୨୦ରୁ ୨୬ଖଣ୍ଡ ସଉରା ଭାଷାରେ ବହି ଲେଖି ବେଶ ଚର୍ଚ୍ଚିତ ହୋଇଥିଲେ। ୧୯୭୮ ମସିହାରେ ତାଙ୍କୁ ବିଶେଷ ଅବଦାନ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

୧୯୭୯ରେ ଗୁଣପୁର ମହାବିଦ୍ୟାଳୟରୁ ସମ୍ମାନିତ ହୋଇଥିଲେ। ୧୯୮୦ ମସିହା ଜୁଲାଇ ୧୯ତାରିଖରେ ଇହଧାମ ତ୍ୟାଗ କରିଥିଲେ।
ଅସାଧାରଣ ବ୍ୟକ୍ତିତ୍ବ ଏବଂ ବହୁ ପ୍ରତିଭାର ଅଧିକାରୀ ହୋଇଥିଲେ ସୁଦ୍ଧା ଯେଉଁଭଳି ସମ୍ମାନ ମିଳିବା କଥା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ। ବାରମ୍ବାର ଦାବି ସତ୍ତ୍ବେ ସରକାର କୁଣ୍ଠାବୋଧ କରିବା ସଉରା ଜନଜାତିଙ୍କୁ କ୍ଷୁବ୍ଧ କରିଛି। ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀ, ଅନ୍ୟ ଜନଜାତିର ଗୁରୁ, ସମାଜ ସଂସ୍କାରଙ୍କ ପୀଠକୁ ବର୍ତ୍ତମାନ ନୂଆ ରୂପ ଦେଉଛନ୍ତି। ଏହିକ୍ରମରେ ସଉରାଙ୍କ ପୂଜ୍ୟ ମାଙ୍ଗେଇଙ୍କ ପୀଠକୁ ନୂଆ ସ୍ବରୂପ ଦେ‌ବାକୁ ଦାବି ଜୋର ଧରିଲାଣି।