ବାଡ଼ ଖାଉଛି କ୍ଷେତ: ପୁଲିସକୁ ହାତଗୁଂଜା ଦେଇ ବେଧଡ଼କ ଚାଲୁଛି ଲଘୁ ଖଣିଜ ଦ୍ରବ୍ୟ ଚାଲାଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବେଆଇନ ମାଙ୍କଡ଼ା ପଥର, ମୋରମ, ଚିପ୍ସ, ଗୋରୁ ଚାଲାଣ ଗାଡ଼ି ୧୬ ନମ୍ବର ଜାତୀୟ ରାଜପଥର ସଦର ଥାନା ଅଧୀନ ଅଂଚଳକୁ ନିର୍ଭୟରେ ପ୍ରବେଶ କରନ୍ତି । ଯଦିବା କାଁଭାଁ ଧରପଗଡ଼ରେ ଧରାପଡ଼ନ୍ତି ତେବେ ପୁଲିସ ପକ୍ଷରୁ ନିର୍ଦ୍ଧାରିତ ହାତଗୁଂଜା ଦେଇ ଖସିଯିବାରେ ସକ୍ଷମ ହୋଇଥାନ୍ତି । ଏହା ଗତକାଲି ଘଟିଥିବା ଘଟଣା ନୁହେଁ, କ୍ଷେତର ସୁରକ୍ଷା ପାଇଁ ନିର୍ମାଣ କରାଯାଥିବା ବାଡ଼ ସେହି କ୍ଷେତକୁ ଖାଉଥିବା ନ୍ୟାୟରେ ଗତ ୬ ମାସ ଧରି ଏଭଳି ନିୟମିତ ଭାବେ ଜାରି ରହିଥିବା ଅଭିଯୋଗ ହୋଇଛନ୍ତି ।

ଗତ ୧୦ ଦିନ ମଧ୍ୟରେ ସଦର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥରୁ ବେଆଇନ ଲଘୁ ଖଣିଜଦ୍ରବ୍ୟ ଚାଲାଣ କରୁଥିବା ପ୍ରାୟ ୧୮ଟି ଟ୍ରକ୍, ଟିପ୍ର ଆଦିକୁ ବିନା ଜୋରିମାନା ଓ ମାମଲାରେ ଛାଡ଼ିଦିଆଯାଇଛି । ଗତକାଲି ମଧ୍ୟରେ ତାପଙ୍ଗର ଶଙ୍ଖାରୀ ଅଂଚଳରେ ବେଆଇନ ଖଣିରେ ଅନୁମତି ନଥାଇ ବିସ୍ଫୋରଣ ଓ ଖଣି ଖୋଳିବା ଘଟଣାରେ ପୁଲିସ ସଂଖ୍ୟାଧିକ ଟ୍ରକ୍ ଆଦି ଜବତ କରିଥିଲା । ବିଳମ୍ବିତ ରାତି ଯାଏଁ ଥାନା ସମ୍ମୁଖରେ ଟ୍ରକ୍, ଟିପ୍ର ଆଦି ଅଟକି ରହିଥିଲା । ତେବେ ଏନେଇ ସୂଚନା ଦେବାରେ ପୁଲିସ ଟାଳଟୁଳ ନୀତି ଧରୁଥିବା ବେଳେ ଆଜି ସଦର ଥାନା ଆଇଆଇସି ବିଦିତା ନାୟକ କହିଛନ୍ତି ଏନେଇ ଏସ୍ପି ସୂଚନା ଦେବେ ।
ଅପରପକ୍ଷରେ, ଗତକାଲି ନୁହେଁ ଧରପଗଡ଼ ହେଉଥିବା ଟ୍ରକ୍ ଆଦିକୁ ପୁଲିସ ହାତଗୁଂଜା ନେଇ ଛାଡ଼ିଦେଉଛନ୍ତି । ମାଙ୍କଡ଼ା ପଥର ଟ୍ରକ୍ ପିଛା ୪ ହଜାର ଟଙ୍କା, ଚିପ୍ସ ଟ୍ରକ୍ ପିଛା ୭ ହଜାର ଓ ଗୋରୁ ଚାଲାଣ ଟ୍ରକ୍ ପିଛା ୧୦ ହଜାର ଟଙ୍କା ହାତଗୁଂଜା ନିଆଯାଇ ଛଡ଼ାଯାଉଥିବା ଅଭିଯୋଗ ହୋଇଛି । ଥାନା ଅଂଚଳ ଦେଇ ନିୟମିତ ଭାବେ ଏଭଳି ଚାଲାଣ କରୁଥିବା ୪୭ଟି ଟ୍ରକ୍, ଟିପ୍ର ଆଦିର ମାଲିକଙ୍କ ନିକଟରୁ ମାସିକ ଏଭଳି ଆଦାୟ କରାଯାଉଛି ଏବଂ କିଛି ଦିନ ପୂର୍ବେ ଏହି ଆଦାୟ ଟଙ୍କାକୁ ନେଇ ପୁଲିସ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି କଥା ଏବେ କେତେକ ୱାଟ୍ସଅପ୍ ଗ୍ରୁପ୍ରେ ଘୂରି ବୁଲୁଥିବା ବେଳେ ଏହାକୁ ନେଇ ଆଲୋଚନା ଏବେ ଜୋର ଧରିବାରେ ଲାଗିଛି ।

ଏକଦା ଖୋର୍ଦ୍ଧା ସଦର ଓ ବ୍ଲକରେ ଶତାଧିକ ବେଆଇନ ଗ୍ରାନାଇଟ୍, ନିର୍ମାଣ ପଥର, ମୋରମ ଖଣି ଚାଲିଥିଲା । ଶ୍ରୀଜଗନ୍ନାଥଙ୍କ ଜମି, ଶ୍ମଶାନ, ଜଙ୍ଗଲ, ରାଜସ୍ୱ, ଗୋଚର ଜମିରୁ ବେଧଡ଼କ ଖୋଳି ଚାଲିଥିଲେ । ତେବେ ଗତ ୨୫ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଏହାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଠାରୁ ଆରମ୍ଭ କରି ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହାଇକୋର୍ଟ ଯାଏଁ ମାମଲା ଲମ୍ବିଛି । ଦୁଇ ବର୍ଷ ପୂର୍ବେ ଏସ୍ଟିଏଫ୍ ଏହି ବେଆଇନ ଖଣି ଉପରେ ଚଢ଼ଉ କରି ଏହା ପଛରେ ଏକ ବଡ଼ ଆନ୍ତଃ ରାଜ୍ୟ ରାକେଟ୍ ଓ ବ୍ରାଉନ୍ସୁଗାର ମାଫିଆଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଜାଣିପାରିଥିଲା । ଏଥିରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଥିଲା, ଏପରିକି ଅଗଷ୍ଟ ୨୦୧୯ରେ ସଦର ଥାନାର ପୂର୍ବତନ ଅଧିକାରୀ ବିକ୍ରମ ଜେନା ଓ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦୁ କୁମାର ସାମଲଙ୍କୁ ମଧ୍ୟ ଜେରା ପାଇଁ ଡକାଯାଇଥିଲା । ଏହାପରେ ଖୋର୍ଦ୍ଧା ସଦର ଥାନା ଆଇଆଇସି ଫେରାର୍ ହୋଇଯାଇଥିଲେ । ଫଳରେ ନଭେମ୍ବର ୨୦୧୯ରେ ବିକ୍ରମ ଜେନାଙ୍କୁ ନିଲମ୍ବନ କରାଯାଇଥିଲା । ୨୦୨୦-୨୧ରେ ମଧ୍ୟ ଏନ୍ଜିଟିଙ୍କ କଡ଼ା ସମାଲୋଚନା ପରେ ପୁଲିସ, ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୫ଥରରୁ ଉଦ୍ଧ୍ୱର୍ ଚଢ଼ଉ କରିବା ସହ ଅନେକ ବେଆଇନ କ୍ରସର ୟୁନିଟ୍, ଖଣି ଆଦିକୁ ବନ୍ଦ କରିଥିଲେ । ପ୍ରାୟ ୨କୋଟିରୁ ଉଦ୍ଧ୍ୱର୍ ଜୋରିମାନା ଆଦାୟ କରିଥିଲେ । ପ୍ରଶାସନ ପକ୍ଷରୁ ଏହି ସମସ୍ତ ଧରପଗଡ଼ ଗତ ୬ ମାସ ଧରି ପ୍ରାୟତଃ ସ୍ଥାଣୁ ହୋଇଯାଇଛି । ଗୋଟିଏ ପଟେ ପ୍ରଶାସନ କ୍ରସର ୟୁନିଟ୍ଗୁଡ଼ିକର ସଠିକ ନଥିପତ୍ର ନଥିବା, ଟେଣ୍ଡର ପାଇଥିବା ଖଣିଗୁଡ଼ିକର ବିସ୍ଫୋରଣ ଅନୁମତି ଓ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ନଥିବା ଦର୍ଶାଇ ଖଣିଗୁଡ଼ିକୁ ବନ୍ଦ କରୁଥିବା ବେଳେ ଆରପଟେ ପୁଲିସର ସହାୟତାରେ ରାତି ଅଧିଆ ମାଙ୍କଡ଼ା ପଥର, ଚିପ୍ସ, ମୋରମ ଆଦି ଲଘୁ ଖଣିଜ ଦ୍ରବ୍ୟ ବେଧଡ଼କ ଚାଲାଣ ହେଉଛି ।

ସମ୍ବନ୍ଧିତ ଖବର