ଖଡ଼ିଆଳ : ଲୋକାର୍ପିତ ହେଲା ମା’ ଓ ଶିଶୁସ୍ୱାସ୍ଥ୍ୟ ବିଭାଗ ଗୃହ

ଖଡ଼ିଆଳ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଖଡ଼ିଆଳରେ ୬ କୋଟି ୪୯ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ୩୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ମା ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଗୃହକୁ ଲୋକାର୍ପିତ କରିଛନ୍ତି। ଉଦ୍‌ଘାଟନ ସମୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରାସାଦ ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସିଡିଏମଓ ନୂଆପଡ଼ା କାଳୀପ୍ରସାଦ ବେହେରା ଉପସ୍ଥିତ ଥିଲେ। ଏହି ନବନିର୍ମିତ ହସ୍‌ପିଟାଲ୍‌ ଗୃହରେ ଉଭୟ ମା ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଓ ଓପିଡି ଏକା ସାଙ୍ଗରେ ଆଗାମୀ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହା କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ଖଡ଼ିଆଳ, ସିନାପାଲି, ବୋଡ଼େନ ଅଞ୍ଚଳର ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀଦାସ ରାଜ୍ୟକୁ କରୋନା ମୁକ୍ତ କରିବାକୁ ହେଲେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ଘରେ ରହି ସରକାରଙ୍କ ତାଲା ବନ୍ଦ ନିୟମକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖଡ଼ିଆଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବବୋଲି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ଖଡ଼ିଆଳରେ କିଡ୍‌ନି ରୋଗର ଡାଇଲୋସିସ୍‌ କେନ୍ଦ୍ର ନିର୍ମାଣ ନେଇ ଖଡ଼ିଆଳ ବିଧାୟକ ଲିଖିତ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବାପରେ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଏକ ଶବ ବ୍ୟବଛେଦ କେନ୍ଦ୍ର ନିର୍ମାଣ ନେଇ ସ୍ଥାନ ଚୟନ କରାଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ଏକ୍ସପର୍ଟ ସଦସ୍ୟ ଲମ୍ବୋଦର ନିଆଲ, ବି଼ଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଡ. ଦୀନବନ୍ଦୁ ମହାନନ୍ଦ, ଏସ୍‌ଡିପିଓ ବିରଞ୍ଚି ପ୍ରସାଦ ଦେଉରି, ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର