ଆଣ୍ଠେଇଛି ମାତୃ-ଶିଶୁ ହସ୍ପିଟାଲ, ଚାଲୁନି ଲିଫ୍ଟ, ଖୋଲୁନି ‘ପିପିସି ଓଟି’

ରାତିରେ ରହୁନାହାନ୍ତି ଡାକ୍ତର, ହେଉନି ପରିବାର ନିୟୋଜନ ଅସ୍ତ୍ରୋପଚାର

ରାଉରକେଲା: ନାନା ଅବ୍ୟବସ୍ଥାରେ ଚାଲିଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ପରିସରସ୍ଥ ମାତୃ-ଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌)। ଫଳରେ ଉପଯୁକ୍ତ ଚିକିତ୍ସା‌ ଯୋଗାଇବାରେ ଏହା ବିଫଳ ହୋଇଛି ବୋଲି  ଅଭିଯୋଗ ଆଣିଛନ୍ତି ଅନେକ ଚିକିତ୍ସାଧୀନ ‌ରୋଗୀ ଓ ତା’ଙ୍କ ସମ୍ପର୍କୀୟ। କିଛି ମାସ ପୂର୍ବରୁ ଏହାର ବିଭିନ୍ନ ସମସ୍ୟା ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ସମସ୍ୟାକୁ ପର୍ଯ୍ୟାୟକ୍ରମେ ସମାଧାନ କରିଥିଲେ। କିନ୍ତୁ ଏବେ ପୁଣି ସମାନ ସ୍ଥିତି ଉପୁଜିଛି। ୬ ମହଲା ବିଶିଷ୍ଟ ଏହି ହସ୍ପିଟାଲର ଉପର ତଳକୁ ଯିବା ଆସିବା ପାଇଁ ଦୁଇଟି ଲିଫ୍ଟର ବ୍ୟବସ୍ଥା ରହିଛି। ତା’ ଭିତରୁ ଗୋଟିଏ ଅଚଳ ହୋଇ ପଡିଛି। ମାସ ମାସ ଧରି ଏହା ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରାଯାଉନି। ଫଳରେ ଗୋଟିଏ ଲିଫ୍ଟରେ ଉପରେ ଡାକ୍ତର, ନର୍ସ ଓ ଚିକିତ୍ସା ପାଇଁ ଆସୁଥିବା ପ୍ରସୂତି ମହିଳା ନିର୍ଭର କରୁଥିବାରୁ ସମସ୍ୟା ଜଟିଳ ହେଉଛି।

ଅନେକ ସମୟରେ ଗୁରୁତର ଗର୍ଭବତୀ ମହିଳାମାନେ ଅପେକ୍ଷାରେ ଠିଆ ହେବାକୁ  ବାଧ୍ୟ ହେଉଛନ୍ତି। ପୁଣି ଦିନବେଳା ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କୁ ଡାକ୍ତରମାନେ ସେବା ଯୋଗାଉଥିବାବେଳେ ରାତିରେ କୌଣସି ଡାକ୍ତର ରହୁନାହାନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ହେଉଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଧ୍ୟାନ ଦିଆ ଯାଇନାହିଁ ବୋଲି ‌ରୋଗୀମାନେ ଅଭିଯୋଗ କରିଛନ୍ତି। ଗ୍ରାଉଣ୍ଡ ଫ୍ଲୋରରେ ରହିଛି ସୁରକ୍ଷିତ ଗର୍ଭପାତ ପାଇଁ ସ୍ବୀକୃତିପ୍ରାପ୍ତ ସ୍ବାସ୍ଥ୍ୟ କେନ୍ଦ୍ର (ପିପିସି ଓଟି)। ଏହି କେନ୍ଦ୍ରରେ ଜଣେ ଡାକ୍ତର ଓ ଜଣେ ଷ୍ଟାଫ୍‌ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏମ୍‌ସିଏଚ୍‌ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାରୁ ପ୍ରାୟ ଦେଢ଼ବର୍ଷ ଧରି  ପିପିସି ଓଟିରେ ତାଲା ଝୁଲୁଛି। ଫଳ‌ରେ ଯେଉଁ ଲକ୍ଷ୍ୟ ନେଇ ଏହି ଓଟିର ବ୍ୟବସ୍ଥା କରାଯାଇଥିଲା, ତାହା ପୂରଣ ହେଉନି। ନିକଟରେ ଓଟି ବନ୍ଦକୁ କେନ୍ଦ୍ର କରି ଡାକ୍ତର ଓ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

କଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଓଟିକୁ ଖୋଲାଯିବାକୁ ବ୍ୟବସ୍ଥା କରାଗଲା ନାହିଁ। କେବଳ ଏତିକି ନୁହେଁ, ପ୍ରାୟ ଏକ ବର୍ଷରୁ ଅଧିକ କାଳ ଧରି ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଯେଉଁ ମହିଳାମାନେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସୁଛନ୍ତି, ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଘରୋଇ ହସ୍ପିଟାଲକୁ ଯିବାକୁ କୁହା ଯାଉଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍‌ଜିଏଚ୍‌ ଚିକିତ୍ସା ସେବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ କ’ଣ ପାଇଁ ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ବନ୍ଦ କରି ଦିଆଯାଇଛି, ତା’ର ସମୀକ୍ଷା ହେବା ଦରକାର ବୋଲି ଦାବି ହେଉଛି। ଉଲ୍ଲେଖଯୋଗ୍ୟ, ୨୦୧୩ରେ ଏମ୍‌ସିଏଚ୍‌ ବିଲ୍‌ଡିଂ ନିର୍ମାଣ କାମ ଆରମ୍ଭ ହୋଇଥିଲା।  ପ୍ରାୟ ୧୧ କୋଟି ୫୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥାକୁ ସମୟ ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ବର୍ଷକ ପରେ, ଅର୍ଥାତ୍‌ ୨୦୧୬ ଡିସେମ୍ବର ମାସରେ ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଥିଲା। ୨୦୧୭ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାତୃ୍ -ଶିଶୁ ହସ୍ପିଟାଲକୁ ଲୋକାର୍ପିତ କରିଥିଲେ।

ସମ୍ବନ୍ଧିତ ଖବର