ରାୟଗଡ଼ା/କାଶୀପୁର : ଜେଲ୍ରୁ ଫେରିବା ପରେ ଶିଶୁପୁତ୍ରକୁ ଜନ୍ମଦେଇ ଆଖି ବୁଜିଛନ୍ତି ଜଣେ ଆନ୍ଦୋଳନକାରୀ ପ୍ରସୂତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅଣ୍ଡିରାକଞ୍ଚ ଗ୍ରାମର ମହିଳାମାନେ ଉତ୍କଳ ଆଲୁମିନା କମ୍ପାନିରେ ଦୈନିକ କାମ ଦାବିରେ ଦୀର୍ଘମାସ ହେଲା ଆନ୍ଦୋଳନ କରି ଆସୁଥିଲେ। ଅଣ୍ଡିରାକଞ୍ଚ ଗ୍ରାମଦେଇ କମ୍ପାନିର କନ୍ଭେୟାର ବ୍ଲେଟ୍ ଯାଇଥିବା ବେଳେ ସେଥିରେ ବକ୍ସାଇଟ୍ ପରିବହନ ହେଉଛି। ଆନ୍ଦୋଳନ ତୀବ୍ରତର ହେବାପରେ ଡିସେମ୍ବରରେ କାଶୀପୁର ତହସିଲଦାର ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ମହିଳାଙ୍କୁ କାମ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ, କାମ ମିଳିବାରେ ବିଳମ୍ବ ହେବାପରେ ପୁର୍ନବାର ମହିଳାମାନେ ଧାରଣାରେ ବସିଥିଲେ। ଡିସେମ୍ବର ୨୬ ତାରିଖ ରାତିରେ ଅଣ୍ଡିରାକଞ୍ଚ ପୁଲିସ୍ ୧୩ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ମହିଳାଙ୍କ ମଧ୍ୟରେ ଗର୍ଭବତୀ ମୁଲାଙ୍କ ସହ ଅନ୍ୟ ୪ଜଣ ପ୍ରସୂତି ଓ ୪ଜଣ ନବଜାତ ଶିଶୁ ଥିଲେ। ଯାହାକୁ ଆଦୌ ଭ୍ରୂକ୍ଷେପ କରିନଥିଲା ପୁଲିସ୍। ମହିଳାମାନେ କୋର୍ଟ ଚାଲାଣ ହେବାପରେ ଗ୍ରାମବାସୀ ଜାମିନ୍ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୬ ତାରିଖରେ କୋର୍ଟ ଜାମିନ୍ ମଞ୍ଜୁର କରିଥିଲେ ମଧ୍ୟ ପୁଲିସର ଦ୍ବିତୀୟ ମାମଲା ଯୋଗୁ ଜାମିନ୍ ହୋଇପାରିନଥିଲା। ଜାନୁଆରି ୧୦ ତାରିଖରେ କୋର୍ଟ ସମସ୍ତ ମହିଳାଙ୍କୁ ଜାମିନ୍ ପ୍ରଦାନ କରିଥିଲେ।
ଜେଲରୁ ମୁକୁଳିବା ବେଳକୁ ରାତି ହୋଇଯାଇଥିବାରୁ ମହିଳାମାନେ ନିଜ ଗାଁ ଅଣ୍ଡିରାକଞ୍ଚକୁ ଫେରି ପାରିନଥିଲେ। ସମସ୍ତେ ରାୟଗଡ଼ାରେ ରାତ୍ରିଯାପନ କରିଥିଲେ। ୧୧ତାରିଖ ସକାଳେ ଗର୍ଭବତୀ ଥିବା ମୁଲା ନାୟକ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିବାରୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତି ୭ଟାରେ ମୁଲା ଶିଶୁପୁତ୍ରକୁ ଜନ୍ମ ଦେବାପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତେଣୁ ପ୍ରାଥମିକ ଚିକିତ୍ସା ପରେ ମୁଲାଙ୍କୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ମୁଲାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଣ୍ଡିରାକଞ୍ଚରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ପୁଲିସର ଏପରି ଜୁଲମକୁ ତୀବ୍ର ନିନ୍ଦା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା।