ଦୁର୍ଗମ ଅଞ୍ଚଳରେ ବିକାଶର ଅସଲ ଚିତ୍ର : ଖଟିଆରେ ନଦୀ ପାର୍‌ ହେଲେ ପ୍ରସୂତି

ଡାକ୍ତରଖାନାରେ ମୃତଶିଶୁ ଜନ୍ମ ଦେଲେ

କଳାବାଡ଼ିଆ : ଦୁର୍ଗମ ଅଞ୍ଚଳରେ ବିକାଶର ଅସଲ ଚିତ୍ର ଏମିତି। ଖଟିଆରେ ବୁହା ହୋଇ ନଦୀ ପାର୍‌ ହେଲେ ପ୍ରସୂତି। ହେଲେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ନିଜର ପ୍ରଥମ ସନ୍ତାନକୁ ଜୀବିତାବସ୍ଥାରେ ଦେଖି ପାରିଲେନି ପ୍ରସୂତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଚାକିଡ଼ି ପଞ୍ଚାୟତ କୁସୁମତୋଟା ଗ୍ରାମରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

କୁସୁମତୋଟା ହେଉଛି ସେହି ଗାଁ, ଯେଉଁ ଗାଁର ଲୋକେ କିଛି ଦିନ ଆଗରୁ ପାହାଡ଼ କାଟି ରାସ୍ତା ତିଆରି କରି ଚର୍ଚ୍ଚାରେ ଥିଲେ। ଗତକାଲି (ଶନିବାର) ସକାଳେ ଉକ୍ତ ଗ୍ରାମର ସିରୁ କିସ୍କୁଙ୍କ ପତ୍ନୀ ଧାନିଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗାଁକୁ ଆମ୍ବୁଲାନ୍ସ ଆସିବା ଭଳି ରାସ୍ତା ନାହିଁ। ପାହାଡ଼ କାଟି ତିଆରି ହୋଇଥିବା ରାସ୍ତା ପାର୍‌ ହୋଇ ମୁଖ୍ୟରାସ୍ତାରେ ଆମ୍ବୁଲାନ୍ସ ଧରିବାକୁ ୨ କିମି ଅଧିକ ବାଟ ଅତିକ୍ରମ କରିବାକୁ ପଡ଼ିବ। ଏପଟେ ଧାନିଙ୍କ ଯନ୍ତ୍ରଣା ବଢ଼ୁଥିଲା। ତେଣୁ ଅନ୍ୟ ଉପାୟ ନପାଇ ଧାନିଙ୍କୁ ଖଟିଆରେ କାନ୍ଧେଇ ବଢ଼ାବଳଙ୍ଗ ନଦୀ ପାର୍‌ ହେବାକୁ ସ୍ଥିର କରିଥିଲେ ଗ୍ରାମବାସୀ। ପ୍ରାୟ ୧ କମି ପର୍ଯ୍ୟନ୍ତ ଖଟିଆରେ ବୋହିବା ପରେ ଧାନିଙ୍କୁ ଆମ୍ବୁଲାନ୍ସ ଯୋଗେ ୨୨ କିମି ଦୂର ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ବଞ୍ଚିନଥିଲା ଧାନିଙ୍କ ପ୍ରଥମ ଗର୍ଭ ସନ୍ତାନ। ବିଳମ୍ବରେ ଚିକତ୍ସା ଯୋଗୁ ମୃତ ସନ୍ତାନ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନଦୀ ଉପରେ ପୋଲଟିଏ ଥିଲେ ହୁଏତ ଚିକିତ୍ସା ପାଇ ପିଲାଟି ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ଧାନିଙ୍କ ସ୍ବାମୀ ସିରୁ।

ସମ୍ବନ୍ଧିତ ଖବର