ଜଙ୍ଗଲ ମଝିରେ ପ୍ରସୂତିଙ୍କୁ ଗୁଣିଆର ଝଡ଼ାଫୁଙ୍କା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ପ୍ରସୂତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ପ୍ରାୟ ଅଶୀ ପ୍ରତିଶତ ଲୋକ ଆଦିବାସୀ ସଂପ୍ରଦାୟର। ଏମାନେ ଡାକ୍ତରଖାନା ଅପେକ୍ଷା ନିଜର ପାରମ୍ପରିକ ଚିକିତ୍ସା ଉପରେ ଅଧିକ ବିଶ୍ବାସ କରିଥାନ୍ତି। ଗୁଣିଗାରେଡ଼ି ନେଇ ଆଜି ବି ଏମାନଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ବାସ। ଫଳରେ ଅନେକ ସମୟରେ ଦେଖିବାକୁ ମିଳୁଛି ବହୁ ଅଭାବନୀୟ ଘଟଣା। ଏଭଳି ଏକ ଘଟଣା ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଘନବେଡ଼ା ଗାଁରେ ଦେଖିବାକୁ ମିଳିଛି।

ଗାଁର ବିଶ୍ବନାଥ ହନ୍ତାଳଙ୍କ ପତ୍ନୀ ପୂର୍ଣ୍ଣିମା ହନ୍ତାଳଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଯଡ଼ାମ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପୂର୍ଣ୍ଣିମା ଏକ ଶିଶୁପୁତ୍ର ଜନ୍ମ ଦେଇ ଅଚେତ ହୋଇ ଯାଇଥିଲେ। ପୂର୍ଣ୍ଣିମାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ମେଡିକାଲ କର୍ମଚାରୀ ତୁରନ୍ତ ତାଙ୍କୁ ମାଲକାନଗିରି ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକେ ପୂର୍ଣ୍ଣିମାଙ୍କୁ ମେଡିକାଲ ନେବା ବଦଳରେ ଘରକୁ ଆଣି ୨ଦିନ ଧରି ଗୁଣିଆ ଚିକିତ୍ସା କରାଇଥିଲେ। ଏପରିକି ଗୁଣିଆ ଜଙ୍ଗଲ ମଝିରେ ପୂର୍ଣ୍ଣିମାଙ୍କ ଝଡ଼ାଫୁଙ୍କା କରିବା ସହ ତାଙ୍କୁ ଧୂଆଁ ଦେଇଥିଲା। ଫଳରେ ପୂର୍ଣ୍ଣିମାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଲା। କୌଣସି ସୂତ୍ରରୁ ଘଟଣା ସମ୍ପର୍କରେ ସମାଜସେବୀ ସନ୍ତୋଷ ନାଗ ଜାଣିବା ପରେ ତୁରନ୍ତ ପୂର୍ଣ୍ଣିମାଙ୍କୁ ମେଡିକାଲ ନେବାକୁ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ। ସନ୍ତୋଷଙ୍କ ସହଯୋଗରେ ଦୀର୍ଘ ୪ ଘଣ୍ଟାର ଜଳଯାତ୍ରା ପରେ ପୂର୍ଣ୍ଣିମାଙ୍କୁ ମାଲକାନଗିରି ମେଡିକାଲ ଅଣାଯାଇଥିଲା। ପୂର୍ଣ୍ଣିମାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା କହିଛନ୍ତି ଡାକ୍ତର।

ସମ୍ବନ୍ଧିତ ଖବର