ପ୍ରସୂତି ଉଚ୍ଛୁଳା ନଈ ପାରିହେବା ଘଟଣା: ପୋଲ ନିର୍ମାଣ ପାଇଁ ଅନୁଧ୍ୟାନ କଲେ ଅଧିକାରୀ

ତେଲକୋଇ: ଜଣେ ପ୍ରସୂତିକୁ ଅଗ୍ନିଶମ ବାହିନୀ ଦଉଡି ସହାୟତାରେ ଉଛୁଳା ନଈ ପାର କରିବା ଘଟଣା ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଗତକାଲି ଅପରାହ୍ଣରେ ତେଲକୋଇ ଆର୍‌ଡି ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ସେଠାରେ ଏକ ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଆବଶ୍ୟକ ତଥ୍ୟ ପଠାଯାଇଛି।

କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକର ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିରେ ଗତ ଶୁକ୍ରବାର କୁବେର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ ମହାରଣା ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଲଗାଣ ବର୍ଷା ତଥା ସମାକୋଇ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଡାକ୍ତରଖାନା ଆସିବା ସମ୍ଭବ ହୋଇ ନଥିଲା। ଫଳରେ ରାତିରେ ଘରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ପରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଖବର ପାଇ  ପର ଦିନ ଅର୍ଥାତ୍ ଶନିବାର ଅପରାହ୍ଣରେ ତେଲକୋଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏକ ଦଉଡ଼ି ସାହାଯ୍ୟରେ ଉଛୁଳା ନଈ ପାର କରାଇଥିଲେ। ଏହି ଘଟଣା ଜିଲ୍ଲା ତଥା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ କେନ୍ଦୁଝର ଭଳି ଏକ ବିତ୍ତଶାଳୀ ଜିଲ୍ଲାର ଜନସାଧାରଣ ଗମନାଗମନ ସୁବିଧା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ ଆଇଏପି, ଉପାନ୍ତ ତଥା ବିଜୁ ସେତୁ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ତାହା ବାସ୍ତବ କ୍ଷେତ୍ରରେ କେତେ ଯେ ଫଳପ୍ରଦ ହୋଇଛି ଏହି ଘଟଣାରୁ ଜଳଜଳ ଦେଖାଯାଉଛି। ସ୍ଥାନୀୟ ଲୋକେ ପାନୀୟ ଜଳ ଓ ରାସ୍ତା ତଥା ପୋଲ ନିର୍ମାଣ ପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ଆଜିର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆଖି ଖୋଲି ପାରି ନଥିଲା।

ପ୍ରସୂତିଙ୍କ ଉଛୁଳା ନଈ ପାର ଘଟଣା ଆଜି ସରକାରଙ୍କ ନିକଟରେ ପହଞ୍ଚିପାରିଛି। ଫଳରେ ଗତକାଲି ଆର୍‌ଡି ବିଭାଗର ଏସ୍‌ଡିଓ ସୁଶାନ୍ତ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ରାଧେଶ୍ୟାମ ମାଝୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପୋଲ ନିର୍ମାଣ ପାଇଁ ପାରିପାର୍ଶ୍ବିକ ଅବସ୍ଥିତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଛନ୍ତି। ଏଥି ସହିତ ତାଳପଦା ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତାଳପଦା ମୁଣ୍ଡା ସାହି, ଜାମଳାପଦା, ବଡ଼ଖମଣ ସିନ୍ଦୁରିଆ ସାହି ଓ କରଦାଙ୍ଗି ପଞ୍ଚାୟତର ସାପଲାଞ୍ଜି ତଥା ଗୁରୁମ ନାଳର ଚାନ୍ଦପଶି ଜୁଆଙ୍ଗ ସାହି ଠାରେ ପୋଲ ନିର୍ମାଣ ନେଇ ଆର୍‌ଡି ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବାକି ରହିଲା କେବେ କେଉଁ ଦିନ ପୋଲ ନିର୍ମାଣ ହେଉଛି?  ଉପାନ୍ତ ତେଲକୋଇ ଅଞ୍ଚଳର ଜନସାଧାରଣ ଗମନାଗମନ ସୁବିଧା ପାଉଛନ୍ତି ନାଁ ବାସନ୍ତୀ ଭଳି ଆଉ ଦୃଶ୍ୟ ଦେଖିବାକୁ ପ୍ରଶାସନ ଓ ସରକାର ଅପେକ୍ଷା କରିଛନ୍ତି ତାହା ସମୟ କହିବ।

ସମ୍ବନ୍ଧିତ ଖବର