କୋରାପୁଟ: ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରବାସରେ ଜଣେ ଛାତ୍ରୀ ଜୀବନ ହାରିଛନ୍ତି। ମୃତ ଛାତ୍ରୀ ଜଣକ ହେଲେ ସନ୍ଧ୍ୟାରାଣୀ ଦାସ। ସେ ପଙ୍ଖାରେ ଝୁଲି ଜୀବନ ହାରିଛନ୍ତି।

Advertisment

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ବର୍ଷର ସନ୍ଧ୍ୟାରାଣୀ ଦାସ ଅନ୍ୟ ଦିନ ଭଳି ଶୁକ୍ରବାର ରାତିରେ ସାଙ୍ଗସାଥୀମାନଙ୍କ ସହିତ ରାତ୍ରିଭୋଜନ କରିଥିଲେ। ରାତି ପ୍ରାୟ ୧ଟାରେ ‌ସେ ନିଜ କୋଠରୀକୁ ଶୋଇବା ପାଇଁ ଯାଇଥିଲେ। ସେ ଏକାକୀ ଗୋଟିଏ କୋଠରୀରେ ‌ରହୁଥିଲେ।

ତେବେ ଆଜି ବିଶ୍ବବିଦ୍ୟାଳୟରେ କ୍ରୀଡ଼ା କାର୍ଯ୍ୟକ୍ରମ ଥିଲା। ତେଣୁ ସାଙ୍ଗମାନଙ୍କ ସହିତ କାର୍ଯ୍ୟକ୍ରମକୁ ସନ୍ଧ୍ୟାରାଣୀ ମଧ୍ୟ ଯିବାର ଥିଲା। ସେଥିପାଇଁ ସନ୍ଧ୍ୟାରାଣୀଙ୍କ ସାଙ୍ଗମାନେ ତାଙ୍କୁ ‌ମୋବାଇଲ ଫୋନ୍‌କୁ କଲ୍‌ କରିଥିଲେ। କିନ୍ତୁ ସନ୍ଧ୍ୟାରାଣୀ ଫୋନ୍‌ ଉଠାଇ ନଥିଲେ। ଏହା ପରେ ସାଙ୍ଗମାନେ ସନ୍ଧ୍ୟାରାଣୀଙ୍କ କୋଠରୀକୁ ଯାଇଥିଲେ। ମାତ୍ର କୋଠାରୀ ଭିତର ପାର୍ଶ୍ବରୁ କବାଟ ବନ୍ଦ ଥିଲା। କବାଟରେ ଠକ୍‌ଠକ୍‌ ଶବ୍ଦ କରାଯାଇଥିଲେ ମଧ୍ୟ ଭିତର ପାର୍ଶ୍ବରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଫଳରେ ଛାତ୍ରୀମାନେ ଏବାବଦରେ ଛାତ୍ରାବାସ ଅଧୀକ୍ଷକ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିବା ପରେ ସୁନାବେଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକକୁ ପୁଲିସ ବନ୍ଦ କରିଦେଇଛି। ବିଶ୍ବବିଦ୍ୟାଳୟ ପରିସରକୁ ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଦିଆଯାଉ ନାହିଁ। ଏହାରି ମଧ୍ୟରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପରିବାର ଲୋକ ପହଞ୍ଚିଲା ପରେ ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି।