ବାରିପଦା : ରାଜ୍ୟରେ ମଠ ମନ୍ଦିର ନଖୋଲିବା ନେଇ ଓଡ଼ିଶା ସେବାୟତ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଏନେଇ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ନିକଟରେ ସଂଘର ସଭାପତି କାମେଶ୍ୱର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଓଡ଼ିଶା ସରକାରଙ୍କୁ ସଦବୁଦ୍ଧି ପ୍ରଦାନ କରିବା ସାଙ୍ଗକୁ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ସେବାୟତମାନେ ନଭେମ୍ବର ୨୮ ସନ୍ଧ୍ୟା ୫ଟା ସମୟରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା, ବେଦପାଠ ଓ ସାମୁହିକ ଦୀପଦାନ କରିବେ ବୋଲି ସୂଚନା ଦେଇଛନ୍ତି । ଏଥି ସହିତ ରାଜ୍ୟରେ ଥିବା ସମସ୍ତ ମନ୍ଦିରରେ ମଧ୍ୟ ଦୀପଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ପ୍ରକାଶ ଥାଉକି, କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ୮ ମାସର କରୋନା ସହାୟତା ପ୍ରଦାନ କରାଯିବା, ରାଜ୍ୟରେ ସମସ୍ତ ମନ୍ଦିରକୁ ସୁବ୍ୟବସ୍ଥିତ କରାଯିବା, ସେବାୟତମାନଙ୍କର ଜୀବନ ବୀମା କରାଯିବା, ସେବାୟତମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ଓ ମାସିକ ଭତ୍ତା ପ୍ରଦାନ କରାଯିବା ଆଦି ୫ ଦଫା ପ୍ରମୁଖ ଦାବିଗୁଡ଼ିକୁ ନେଇ ସେବାୟତମାନେ ଆନ୍ଦୋଳନ ଚଳାଇ ଆସିଛନ୍ତି । ମାତ୍ର ସରକାର ସେମାନଙ୍କ ଦାବିକୁ ଅଣଦେଖା ପ୍ରଦର୍ଶନ କରି ଆସୁଥିବା ଫଳରେ ଅଭିନବ ଭାବେ ଶ୍ରୀକ୍ଷେତ୍ରଧାମ ପୁରୀରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା, ବେଦପାଠ ଓ ସାମୂହିକ ଭାବେ ଦୀପଦାନ ପୂର୍ବକ ନିଜର ପ୍ରତିବାଦ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ଜଗନ୍ନାଥ ମନ୍ଦିରର ସେବାୟତମାନେ ଉପସ୍ଥିତ ରହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/baripada-jagannath-temple-final.jpg)
