ପୁରୀ: ମହାପ୍ରଭୁ ଛପନ ଭୋଗୀ। ପ୍ରତିଟି ଓଡ଼ିଆଙ୍କ ଭଳି ସେ ବି ଖାଦ୍ୟରେ ଭାରି ରୁଚି ରଖନ୍ତି। ସେଥିପାଇଁ ମହାପ୍ରଭୁ ଗୁଣ୍ଡିଚା ଯାତରେ ଆସିଲେ ବି ତାଙ୍କ ପାଇଁ ବହୁ ମଠ ପନ୍ତି ବ୍ୟବସ୍ଥା କରନ୍ତି। ଗୁଣ୍ଡିଚା ମନ୍ଦିରରେ କିଛି ମଠ ସ୍ବତନ୍ତ୍ର ଭାବେ ପନ୍ତି ଚାଳି କରନ୍ତି। ଏହି ଅବସରରେ ରାଘବ ଦାସ ମଠ ପକ୍ଷରୁ ବାହୁଡ଼ାରେ ଛପନ ଭୋଗ ଲାଗି ହୋଇଥାଏ। ଚାରିଟି ପନ୍ତିରେ ଏହି ଭୋଗ କରାଯାଇଥାଏ। ଏହା ‘ଛପନ ଭୋଗ ବାହୁଡ଼ା ପନ୍ତି’ ଭାବେ ଅଭିହିତ।
ନବମୀ ଦିନ ଶ୍ରୀବିଗ୍ରହମାନଙ୍କ କୁସୁମୀ ଲାଗି, ତା’ ପରଦିନ ସେନାପଟା ଲାଗି ନୀତ ପାଇଁ ରାଘବ ଦାସ ମଠ ପକ୍ଷରୁ ଶୁକ୍ଳ ସଜ ଯୋଗାଇ ଦିଆଯାଏ। ବାହୁଡ଼ା ଯାତ୍ରା ଦିନ ଖେଚେଡ଼ି ଭୋଗ ସମେତ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ସମୟରେ ଟାହିଆ ଓ ୪ଟି ପନ୍ତିରେ ଛପନ ଭୋଗ କରାଯିବାର ବିଧି ରହି ଆସିଛି।
ଗବେଷକ ଡ.ଭାସ୍କର ମିଶ୍ରଙ୍କ ସୂଚନା ମୁତାବକ, ରଥଯାତ୍ରା ଅବସରରେ ପୁରୀର କେତେକ ନିର୍ଦ୍ଦିଷ୍ଟ ମଠ ପ୍ରାଚୀନ ସମୟରୁ ଗୁଣ୍ଡିଚା ମନ୍ଦିର ପରିସରରେ ପନ୍ତି ଚାଳି କରିବା ପାଇଁ ତତ୍କାଳୀନ ଗଜପତି ମହାରାଜମାନଙ୍କଠାରୁ ଅନୁମତି ପାଉଥିଲେ। ବିଭିନ୍ନ କାରଣରୁ କିଛି ମଠ ଏହିରୁ ବିରତ ହୋଇଯାଇଛନ୍ତି। ମାତ୍ର ଏବେ ବି କିଛି ମଠ ଶ୍ରୀମନ୍ଦିର ପ୍ରଶାସନର ଅନୁମତି କ୍ରମେ ଚାଳି ନିର୍ମାଣ କରୁଛନ୍ତି। ନେବଳ ଦାସ ମଠ, ଏମାର ମଠ, ରାଘବଦାସ ମଠ, ଜଗନ୍ନାଥବଲ୍ଲଭ ମଠ, ବଡ଼ ଓଡ଼ିଆ ମଠ, ଦକ୍ଷିଣପାର୍ଶ୍ବ ମଠ, ଗଙ୍ଗାମାତା ମଠ ପକ୍ଷରୁ ସାମୟିକ ଭାବେ ପନ୍ତି ଚାଳି ହେବାର ବିଧି ରହିଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଅତିକ୍ରମ କରି ଭିତର ବେଢ଼ାକୁ ପ୍ରବେଶ କରିବା ମାର୍ଗର ଉଭୟପାର୍ଶ୍ବରେ ମଠ ତରଫରୁ ଚାଞ୍ଚ, ବାଉଁଶରେ ଅସ୍ଥାୟୀ ଚାଳିମାନ ତିଆରି କରିବାର ପରମ୍ପରା ରହିଆସିଛି। ସେଠାର ସମ୍ପୃକ୍ତ ମଠମାନଙ୍କର ଅମୁଣିଆ ଜିନିଷ ଓ ଗୁଣ୍ଡିଚା ମନ୍ଦିରକୁ ଠାକୁରମାନେ ବିଜେ କରିବା ସମୟରେ ପନ୍ତି ଭୋଗ ହୋଇଥାଏ।
ଏହାବ୍ୟତୀତ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ବିଭିନ୍ନ ମଠ ସେବା ଯୋଗାଇ ଦେଇଥାଆନ୍ତି। ବିଭିନ୍ନ ଗ୍ରନ୍ଥ ମୁତାବକ, ୫୦୦ରୁ ଊର୍ଦ୍ଧ୍ବ ବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ କେତେକ ମଠର ସେବା ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ସେବା ଆରମ୍ଭ ହୋଇ ବାହୁଡ଼ା ପର୍ଯ୍ୟନ୍ତ ଚାଲେ। ରଥଯାତ୍ରା ପୂର୍ବରୁ ଝାଞ୍ଜପିଟା ମଠ ନେତୃତ୍ବରେ ବିଭିନ୍ନ ମଠର ଗୌଡ଼ୀୟ ବୈଷ୍ଣବ ଓ ଅଧିକାରୀମାନେ ଚୈତନ୍ୟଙ୍କ ମାର୍ଜନ ସେବା ସ୍ମୃତି ଉପଲକ୍ଷେ ଗୁଣ୍ଡିଚା ମନ୍ଦିର ସଫା ଓ ମାର୍ଜନ କାର୍ଯ୍ୟ କରିଥାଆନ୍ତି। ସେହିପରି ରାଧାକାନ୍ତ ମଠ ଗୁଣ୍ଡିଚା ମନ୍ଦିର ଭିତର ବେଢ଼ା ସଫା ଓ ୭ ଦିନ ଧରି ସଂକୀର୍ତ୍ତନ କରବା ପରମ୍ପରା ରହିଆସିଛ। ବଡ଼ଛତା ମଠ ପକ୍ଷରୁ ଠାକୁରମାନଙ୍କ ଅବସ୍ଥାନ ସମୟରେ ମଙ୍ଗଳ ଆଳତି ଓ ପହୁଡ଼ ଆଳତି ବାଦ୍ୟ ଓ ପାରମ୍ପରିକ ସଂଗୀତ ଗାନର ପରମ୍ପରା ରହିଛି। ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧା ବିଗ୍ରହଙ୍କ ସର୍ବାଙ୍ଗ ପାଇଁ ଆବଶ୍ୟକ ଚନ୍ଦନ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ।