ରାଉରକେଲା: ଚଳିତ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ୨୧ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେଥିମଧ୍ୟରେ ରହିଛନ୍ତି ୨୦ଜଣ ବିଧାନସଭା ଓ ଜଣେ ଲୋକସଭା ଆସନ ପ୍ରାର୍ଥୀ। ବୀରମିତ୍ରପୁର ଆସନରେ ସର୍ବାଧିକ ୮ ଜଣ ସ୍ବାଧୀନ ପ୍ରାର୍ଥୀ ଲଢ଼ୁଥିବାବେଳେ ରାଉରକେଲା ବିଧାନସଭା ପାଇଁ ୩ଜଣ, ବଣାଇ ଆସନରେ ୫ଜଣ ଏବଂ ରାଜଗାଙ୍ଗପୁର, ତଲସରା, ସୁନ୍ଦରଗଡ଼ ଓ ରଘୁନାଥପାଲିରେ ଜଣେ ଲେଖାଏଁ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ସେହିଭଳି ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏଥର ନିର୍ବାଚନରେ ଏହି ସ୍ବାଧୀନ ପ୍ରାର୍ଥୀମାନେ କେତେ ପ୍ରଭାବ ପକାଇବେ? ତାହା ତ’ ଫଳାଫଳ ଆସିବା ପରେ ଜଣାପଡ଼ିବ। କିନ୍ତୁ କେତେକ ଆସନରେ କିଛି ନିର୍ଦ୍ଦିଷ୍ଟ ସ୍ବାଧୀନ ପ୍ରାର୍ଥୀ, ଦଳୀୟ ପ୍ରାର୍ଥୀଙ୍କ ଗଣିତ ବିଗାଡ଼ି ଦେଇପାରନ୍ତି। ବିଶେଷକରି ରାଉରକେଲା, ବୀରମିତ୍ରପୁର ଓ ରାଜଗାଙ୍ଗପୁର ଆସନରେ ସ୍ବାଧୀନ ପ୍ରାର୍ଥୀ ଚକ୍‌ମା ଦେଖାଇବା ସମ୍ଭାବନା ସର୍ବାଧିକ।

Advertisment

ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି ରାଉରକେଲା ଆସନ। ଏଠାରେ ଦୁଇ ହେଭିୱେଟ୍‌ ବିଜେଡିରୁ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଲଢ଼େଇ କରୁଛନ୍ତି। କିନ୍ତୁ ଚର୍ଚ୍ଚାରେ ଅଛନ୍ତି ସ୍ବାଧୀନ ଭାବେ ଲଢ଼ୁଥିବା ବିଜେପିର ବିଦ୍ରୋହୀ ପ୍ରାର୍ଥୀ ନିହାର ରାୟ। ରାଉରକେଲା ନିର୍ବାଚନମଣ୍ଡଳୀରେ ନିହାରଙ୍କ ବେଶ୍‌ ଦବ୍‌ଦବା ରହିଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଟିକଟରୁ ଲଢ଼ି ସେ ୩୯.୧୭% ଭୋଟ୍‌ (୫୦,୪୧୭) ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଅର୍ଥାତ୍‌ ବିଜେତା ବିଜେଡି ପ୍ରାର୍ଥୀ ସାରଦାଙ୍କଠାରୁ ୧୦,୪୬୦ ଭୋଟ୍‌ କମ୍‌ ପାଇଥିଲେ। ଏଥର ଟିକଟ କଟିବାପରେ ବାସନ୍ତୀ କଲୋନିରେ ନିହାରଙ୍କ ଘରେ ଓ ସେ ଆୟୋଜନ କରିଥିବା କର୍ମୀ ସମ୍ମିଳନୀରେ ବହୁସଂଖ୍ୟକ ଲୋକ ତଥା ଦଳୀୟ କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଥିଲା। କର୍ମୀ ସମ୍ମିଳନୀ ମାଧ୍ୟମରେ ନିହାର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏମିତିକି ପ୍ରାର୍ଥିପତ୍ର ଦାଖଲ ଦିନ ମଧ୍ୟ ହଜାର ହଜାର ସଂଖ୍ୟରେ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରା ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏଣୁ ଚଳିତ ନିର୍ବାଚନରେ ନିହାର ବଡ଼ଧରଣର ଓଲଟପାଲଟ କରିବାକୁ ଯେ ସକ୍ଷମ, ତାହା ଅସ୍ବୀକାର କରାଯାଇନପାରେ। ସମ୍ଭବତଃ ଏହି କାରଣରୁ ବିଜେପିର ରାଉରକେଲା ଓ ଲୋକସଭା ପ୍ରାର୍ଥୀ ନିହାରଙ୍କ ବାସଭବନକୁ ଯାଇ ମନାଇବାକୁ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ। ସେହିଭଳି ରାଜଗାଙ୍ଗପୁର ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗ୍ରେଗୋରି ମିଞ୍ଜଙ୍କୁ ନେଇ ଚର୍ଚ୍ଚା ଥମୁନି। ଗ୍ରେଗୋରି ୨୦୦୪ ଓ ୨୦୦୯ରେ କଂଗ୍ରେସ ଦଳରୁ ବିଧାୟକ ହୋଇଥିବାବେଳେ ୨୦୧୪ରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ୨୦୧୯ରେ ତାଙ୍କର ଟିକଟ କଟିବାରୁ ସେ ସ୍ବାଧୀନ ପ୍ରାର୍ଥୀଭାବେ ଛିଡ଼ା ହୋଇ ୩୦୧୯ ଖଣ୍ଡ ଭୋଟ୍‌ ପାଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ତାଙ୍କର ସେହି ୩ ହଜାର ଭୋଟ ପ୍ରମୁଖ ରାଜନୈତିକ ଦଳର ହିସାବକିତାବକୁ ଓଲଟପାଲଟ କରିଦେଇଥିଲା। ଉକ୍ତ ଆସନରେ ପ୍ରଥମ ତିନି ସ୍ଥାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୧ ହଜାରରୁ କମ୍ ରହିଥିଲା। ଏହାଛଡ଼ା ବୀରମିତ୍ରପୁର ଆସନରୁ ସ୍ବାଧୀନ ପ୍ରାର୍ଥୀଭାବେ ଲଢ଼ୁଥିବା ରାଜେଶ କେର୍କେଟାଙ୍କୁ ନେଇ ଏବେ ଚର୍ଚ୍ଚା ସରଗରମ। ପୂର୍ବତନ କଂଗ୍ରେସ୍‌ ବିଧାୟକ ରେମିସ୍ କେର୍କେଟାଙ୍କ ପୁଅ ରାଜେଶ ସଂପ୍ରତି ଜିଲ୍ଲା ପରିଷଦ ସଦସ୍ୟ ଥିବାବେଳେ ବହୁବର୍ଷ ହେଲା ରାଜନୀତି ସହ ଜଡ଼ିତ ଅଛନ୍ତି। ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରିବାର ମଧ୍ୟ ନଜିର ରହିଛି। ୨୦୧୪ରେ ସେ କଂଗ୍ରେସ ଟିକଟରୁ ଲଢ଼ି ୧୩,୦୦୬ ଖଣ୍ଡ ଭୋଟ୍‌ ପାଇଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ରାଜେଶଙ୍କୁ ସମର୍ଥନ କରୁଥିବାରୁ ଲଢ଼େଇ ରୋଚକ ହୋଇଛି। ଏହି ଆସନରେ ଇଣ୍ଡିମେଣ୍ଟର ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ଖାରଜ ହେବାପରେ ଦଳ ଝାଡ଼ଖଣ୍ଡ ପାର୍ଟିକୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏଣୁ ଝାଡ଼ଖଣ୍ଡ ପାର୍ଟିର ପ୍ରାର୍ଥୀ ରେମିସ ଯୋଯୋଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି। କାରଣ, ଏହି ଆସନରେ ଜେଏମ୍‌ଏମ୍‌ର ସ୍ଥିତି ସୁଦୃଢ଼ ରହିଛି। ଏଠାରେ ଜେଏମ୍‌ଏମ୍‌ ତିନିଥର(୧୯୯୫,୨୦୦୦ ଓ ୨୦୦୪)ରେ ବିଜୟୀ ହୋଇଥିବାବେଳେ ୨୦୦୯ରେ ଦଳ ୨୪,୩୨୧ ଭୋଟ୍‌, ୨୦୧୪ରେ ୨୭,୮୪୯ ଭୋଟ ଓ ୨୦୧୯ରେ ୧୪,୩୭୪ ଖଣ୍ଡ ଭୋଟ୍‌ ପାଇଥିଲା।