ଇଞ୍ଜିନିୟରିଂ ପଢ଼ିବା ପାଇଁ +୨ରେ ଗଣିତ, ପଦାର୍ଥ ବିଜ୍ଞାନ ପଢ଼ିବା ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ବର : ସାରା ଦେଶରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍ ଖାଲି ପଡ଼ୁଥିବାବେଳେ ବହୁ କଲେଜ ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ହୋଇଯାଉଛି। ତେଣୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଆକର୍ଷିତ ହେବେ ସେଥିପାଇଁ ଏଆଇସିଟିଇ ଇଞ୍ଜିନିୟରିଂ ପଢ଼ିବା ନିୟମରେ ପରିବର୍ତ୍ତନ ଆଣିଛି। ଏଣିକି ଯେଉଁମାନେ +୨ରେ ଗଣିତ କିମ୍ବା ପଦାର୍ଥ ବିଜ୍ଞାନ ନରଖି ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଚାହିଁଲେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ଏନେଇ ଏଆଇସିଟିଇ ଅଧ୍ୟକ୍ଷ ଅନିଲ ସହସ୍ରବୁଦ୍ଧେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଆକର୍ଷିତ କରିବା ଓ ଅଧିକ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପଢ଼ିବାର ସୁଯୋଗ ଦେବା ପାଇଁ ଏହିଭଳି ପଦକ୍ଷେପ ନିଆଯାଇଛି। ଏହା ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ। ଏବେ ଯେଉଁମାନେ ଗଣିତ ଓ ପଦାର୍ଥ ବିଜ୍ଞାନ +୨ରେ ପଢ଼ିନଥିବେ ସେମାନଙ୍କୁ ଇଞ୍ଜିନିୟରିଂର ପ୍ରଥମ ବର୍ଷରେ ପଢ଼ାଯିବ। ଏଥିପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରି‌ବେ।

କିନ୍ତୁ +୨ରେ ଛାତ୍ରଛାତ୍ରୀଙ୍କୁ ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, ଜୀବ ବିଜ୍ଞାନ, ଇନଫରମେଟିକ୍ସ ପ୍ରାକ୍ଟିସେସ୍, ବାୟୋଟେକ୍ନୋଲୋଜି, କୃଷି, ବୈଷୟିକ ଧନ୍ଦାମୂଳକ ବିଷୟ, ଇଞ୍ଜିନିୟରିଂ ଗ୍ରାଫିକ୍ସ, ବିଜିନେସ୍ ଷ୍ଟଡିଜ୍, ଏଣ୍ଟରପ୍ରିନ୍ୟୁରସିପ୍ ଭଳି ୧୪ଟି ବିଷୟରୁ ଯେ କୌଣସି ତିନିଟି ବିଷୟରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବାକୁ ହେବ। ଏହା ବ୍ୟତୀତ ସଂରକ୍ଷଣ ବର୍ଗର ଛାତ୍ରମାନଙ୍କ ପାଇଁ ଏହି ସବୁ ବିଷୟରେ ୪୦ ପ୍ରତିଶତ ମାର୍କ ରଖିବାକୁ ହେବ।

ସମ୍ବନ୍ଧିତ ଖବର