ହାଇସ୍କୁଲ ଶିକ୍ଷକଙ୍କୁ ଦିଆଯିବ ଗଣିତ ତାଲିମ

ଭୁବନେଶ୍ୱର : ରାଜ୍ୟରେ ଥିବା ହାଇସ୍କୁଲ ଶିକ୍ଷକଙ୍କୁ ଦିଆଯିବ ଗଣିତ ତାଲିମ। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଦ୍ୱାରା ପରିଚାଳିତ ଗଣିତ ଓ ପ୍ରୟୋଗ ପ୍ର୍ରତିଷ୍ଠାନରେ ହାଇସ୍କୁଲ ଶିକ୍ଷକଙ୍କ ଲାଗି ଏଭଳି ତାଲିମ ଶିବିରର ଆୟୋଜନ କରାଯାଇ ମୌଳିକ ବିଷୟ ଉପରେ ଆଲୋଚନା ହେବ। ଗଣିତ ଅଲିମ୍ପିଆଡ ପ୍ରଶ୍ନ ଓ ଏଥିସହ ଜଡିତ ପାଠ୍ୟକ୍ରମ, ଅଭିଜ୍ଞ ନିମନ୍ତ୍ରିତ ଅଧ୍ୟାପକ ଆଲୋଚନାରେ ଭାଗନେବେ। ଶିବିରରେ ଅଂଶଗ୍ରହଣ କରିଥିବା ଶିକ୍ଷକଙ୍କ ଯିବା ଆସିବା ପାଇଁ ବିନା ଏସି ବସ୍‌ ବା ଦ୍ୱିତୀୟ ଶ୍ରେଣୀ ଟ୍ରେନ୍‌ ଟିକେଟ୍‌ ଦେଖାଇଲେ ଯାତ୍ରା ଖର୍ଚ ଯୋଗାଇ ଦିଆଯିବ। ସମସ୍ତ ଶିବିରାର୍ଥୀଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କରାଯିବ। ଭୁବନେଶ୍ୱର ବାହାରୁ ଆସୁଥିବା ଶିକ୍ଷକଙ୍କ ରହିବା ଲାଗି ବନ୍ଦୋବସ୍ତ ହୋଇଥିବା ନେଇ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

୫ଟି ପର୍ଯ୍ୟାୟରେ ତାଲିମ ଶିବିର କରିବାକୁ ନିଷ୍ପତ୍ତି ହୋଇଛି। ମେ’ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଶିବିର ଅନୁଷ୍ଠିତ ହେବ। ଏହାପରେ ମେ’ ୧୬ରୁ ୧୯, ମେ’ ୨୧ରୁ ୨୪, ଜୁନ୍‌ ୪ରୁ ୭ ଓ ଜୁନ୍‌ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶିବିର ଚାଲିବ। ଓଡ଼ିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ ଗଣିତ ଶିକ୍ଷକ (ପ୍ରଧାନଶିକ୍ଷକଙ୍କ ନିକଟରୁ ପ୍ରମାଣ ଚିଠି ଆବଶ୍ୟକ) ଭାଗ ନେଇପାରିବେ। ପ୍ରତ୍ୟେକ ଶିବିରରେ ଶିକ୍ଷକଙ୍କ ସଂଖ୍ୟା ୬୦ ରହିବ। ଆବେଦନର ଶେଷ ତାରିଖ ଏପ୍ରିଲ ୨୬ ତାରିଖ ରଖାଯାଇଛି। ମନୋନୀତ ଶିକ୍ଷକଙ୍କ ତାଲିକା ମେ’ ୫ ସୁଦ୍ଧା ପ୍ରତିଷ୍ଠାନର େଓ୍ଵବସାଇଟ୍‌ ‘www.iomaorissa.ac.in’ରେ ପ୍ରକାଶିତ ହେବ। ଆବେଦନକାରୀଙ୍କୁ ବି ସେମାନଙ୍କ ମେଲ୍‌ରେ ଜଣାଇ ଦିଆଯିବ।

ସମ୍ବନ୍ଧିତ ଖବର