ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଅପରାଧ ଦୁନିଆରେ ପାଦ ଥାପିଛନ୍ତି ଏବେ ନାବାଳକ ପାଦ ଦେଇଛନ୍ତି, ଯାହାକି ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଗଞ୍ଜାମ ଜିଲ୍ଲାର ଅପରାଧ ରେକର୍ଡ କହୁଛି, ଗତ ୩ ବର୍ଷରେ ୫୬୭ ନାବାଳକ ବିଭିନ୍ନ ମାମଲାରେ ସାମିଲ ହୋଇଛନ୍ତି। ହତ୍ୟା ସହିତ ବିଭିନ୍ନ ସଙ୍ଗିନ୍ ଅପରାଧରେ ନାବାଳକଙ୍କ ସମ୍ପୃକ୍ତି ଏବେ ଉଦ୍ବେଗର କାରଣ ହୋଇଛି। ବିଭିନ୍ନ ମାମଲାରେ ନାବାଳକ ଧରାପଡ଼ିବା ପରେ ସେମାନଙ୍କୁ କାଉନ୍ସେଲିଂ କରାଯାଉଛି। ଏହାସତ୍ତ୍ବେ ସେମାନଙ୍କ ମଧ୍ୟରୁ କେତେକ ପୁଣିଥରେ ଅପରାଧ ରାସ୍ତାକୁ ଯାଉଥିବା ଦେଖିବାକୁ ମିଳୁଛି।
ଅପରାଧ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲାକୁ ଦୁଇଟି ପୁଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ଗଞ୍ଜାମ ପୁଲିସ ଜିଲ୍ଲା ଓ ଦ୍ବିତୀୟଟି ହେଲା ବ୍ରହ୍ମପୁର ପୁଲିସ ଜିଲ୍ଲା। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୨୦୨୧ରୁ ୨୦୨୩ ମଧ୍ୟରେ ବିଭିନ୍ନ ଅପରାଧ ମାମଲାରେ ୪୧୬ ଜଣ ନାବାଳକଙ୍କ ସମ୍ପୃକ୍ତି ରହିଥିବା ରେକର୍ଡ କହୁଛି। ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାର ଅପରାଧରେ ଏହି ୩ବର୍ଷରେ ୧୫୧ ଜଣ ନାବାଳକଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଅପରାଧ ମାମଲାରେ ନାବାଳକ ଧରାପଡ଼ିବା ପରେ ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି)ରେ ହାଜର କରି ବାଳ ସୁଧାର ଗୃହକୁ ପଠାଯାଇଥାଏ। ବାଳ ଅପରାଧୀଙ୍କ ପାଇଁ ବ୍ରହ୍ମପୁରରେ ରହିଛି ବାଳ ସୁଧାର ଗୃହ। ସେହି ଗୃହରେ ରହିବା ସମୟରେ ନାବାଳକଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରାଯାଇଥାଏ। ଏଥିପାଇଁ ସେଠାରେ କାଉନ୍ସିଲର୍ ରହିଛନ୍ତି। ନାବାଳକମାନେ କେଉଁ ପରିସ୍ଥିତିରେ ପଡ଼ି ଅପରାଧ ଘଟାଇଛନ୍ତି, ତାହା ବୁଝିବା ପରେ ସେମାନଙ୍କୁ ଠିକ୍ ରାସ୍ତାକୁ ଆଣିବାକୁ ପ୍ରୟାସ କରାଯାଇଥାଏ। କିନ୍ତୁ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ଯେ, ସେମାନଙ୍କ ମଧ୍ୟରୁ କେତେକ ବାଳ ସୁଧାର ଗୃହରୁ ଆସି ପୁଣିଥରେ ଅପରାଧରେ ସାମିଲ ହେଉଛନ୍ତି। ବାଳ ସୁଧାର ଗୃହର କର୍ମଚାରୀଙ୍କୁ ଲହୁଲୁହାଣ କରି ଚମ୍ପଟ ମାରିବା ଘଟଣା ମଧ୍ୟ ବିଗତ ବର୍ଷରେ ଘଟିଛି। ଗତ କିଛିଦିନ ତଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମ ମାଛ ମାର୍କେଟ ନିକଟସ୍ଥ ଭୀମସାଗର ପୋଖରୀ ହୁଡ଼ାରେ ଜଣେ ନାବାଳକଙ୍କ ଛୁରାମାଡ଼ରେ ଆଉ ଜଣେ ୧୭ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଖଲ୍ଲିକୋଟ ଥାନା ପୁଲିସ ଅଭିଯୁକ୍ତ ନାବାଳକକୁ ଠାବ କରିଥିଲା। ସମ୍ପୃକ୍ତ ନାବାଳକଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଥିବା ପୁଲିସ କହିଛି। ପୂର୍ବରୁ ହୋଇଥିବା ଗଣ୍ଡଗୋଳରୁ ସୃଷ୍ଟି ହୋଇଥିବା ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ତଦନ୍ତରେ ଜଣାପଡ଼ିଥିଲା। ତେବେ ଅତି କମ୍ ବୟସରେ ନାବାଳକମାନେ ଏତେ ଉଗ୍ର ହେବା ନିହାତି ଚିନ୍ତାର କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡା. ବିଭୂକଲ୍ୟାଣ ସାହୁ କହନ୍ତି, କୌଣସି ନାବାଳକ ଜାଣିଶୁଣି ଅପରାଧରେ ସାମିଲ ହୋଇ ନଥାଏ। ଏଥିପାଇଁ ବିଭିନ୍ନ ପ୍ରକାର ପରିସ୍ଥିତି ଦାୟୀ। ତନ୍ମଧ୍ୟରୁ ଆର୍ଥିକ ଅଭାବ ଗୋଟିଏ। ବାଳ ସୁଧାର ଗୃହରେ ଯେତିକି କାଉନ୍ସେଲିଂ କରାଯାଉଛି, ତାହା ଯଥେଷ୍ଟ ହେଉ ନାହିଁ। ବାଳ ସୁଧାର ଗୃହରୁ ନାବାଳକ ବାହାରିବା ପରେ ସେମାନଙ୍କୁ କୌଣସି ପ୍ରକାର ଧନ୍ଦାମୂଳକ ଶିକ୍ଷାଦାନ କରି ଥଇଥାନ କରିବା ଆବଶ୍ୟକ। ସେହିପରି ବିଭିନ୍ନ ସମୟରେ ସ୍କୁଲ, କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ପିଲାଙ୍କୁ ସଚେତନ କରିବା ଦରକାର ବୋଲି ସେ କହିଛନ୍ତି।