୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

ସ୍କ୍ୱାଡ୍‌ରେ ରହିବେ ଅଧ୍ୟାପକ, ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ରେ ୬୯, ସ୍ୱତନ୍ତ୍ର ସ୍କ୍ୱାଡ୍‌ରେ ୩୪ ଜଣ ରହିବେ

ଭୁବନେଶ୍ବର : ଫେବ୍ରୁଆରି ୧୯ରୁ ମାଟ୍ରିକ୍‌ ପରୀକ୍ଷା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ପରୀକ୍ଷାର ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥର ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ କଲେଜ ଅଧ୍ୟାପକ, ରିଡରମାନଙ୍କୁ ସାମିଲ କରାଯିବ। ସେମାନେ ମାଟ୍ରିକ୍‌ ପରୀକ୍ଷାର ତଦାରଖ ଲାଗି ସ୍କ୍ବାଡ୍‌ରେ ସାମିଲ ହୋଇ ବିଭିନ୍ନ କଲେଜ ଗସ୍ତ କରିବେ। କପି ରୋକିବା, ସିସିଟିଭି ଯାଞ୍ଚ, ପରୀକ୍ଷା ପରିଚାଳନା ଆଦି ବିଷୟରେ ଯାଞ୍ଚ କରିବେ।

ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଧ୍ୟାପକ ଓ ରିଡରମାନଙ୍କ ତାଲିକା ଜାରି ହୋଇଛି। ସ୍କ୍ବାଡ୍‌‌ରେ ସାମିଲ ହେବା ପୂର୍ବରୁ ସେମାନେ କିଭଳି ତାଲିମ ନେବେ ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଅନୁରୋଧ କରାଯାଇଛି। ଏଦିଗରେ ପଦକ୍ଷେପ ନେବାକୁ ବି କୁହାଯାଇଛି। ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ରେ ସାମିଲ ହୋଇଥିବା ସଦସ୍ୟମାନେ ଆସନ୍ତା ୧୮ ତାରିଖରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟରେ ରିପୋର୍ଟ କରିବେ। ସ୍ବତନ୍ତ୍ର ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ସଦସ୍ୟମାନେ ୧୭ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା‌ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷଣ ବୈଠକରେ ସାମିଲ ହେବାକୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସାମିଲ ହେବାକୁ ଥିବା ଅଧ୍ୟାପକ ଓ ରିଡରଙ୍କ ତା‌ଲିକା ଇତି ମଧ୍ୟରେ ପ୍ରକାଶ ପାଇଛି। ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ରେ ୬୯ ଜଣ ଅଧ୍ୟାପକ ଓ ରିଡର ସାମିଲ ହେବାକୁ ଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ରେ ୩୪ ଜଣଙ୍କୁ ସାମିଲ କରାଯାଇଛି। ପ୍ରତି ଜିଲ୍ଲାରୁ ୨ରୁ ୩ ଜଣ ଅଧ୍ୟାପକ ଓ ରିଡରଙ୍କୁ ଉଭୟ ସ୍କ୍ବାଡ୍‌ରେ ରଖାଯାଇଛି। ସେମାନେ କିଭଳି ନିର୍ଦ୍ଧାରିତ ସମୟରେ ସମସ୍ତ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ସାମିଲ ହେବେ ସେଦିଗରେ ପଦକ୍ଷେପ ନେବାକୁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି ତାଲିକାରେ ସରକାରୀ ଓ ଅନୁଦାନପ୍ରାପ୍ତ ସରକାରୀ କଲେଜର ଅଧ୍ୟାପକ ଓ ରିଡରମାନେ ରହିଛନ୍ତି।

ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ପ୍ରଶ୍ନପତ୍ର ସୋମବାର ଅପରାହ୍‌ଣରୁ ନୋଡାଲ ସେଣ୍ଟର୍‌କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଭବାନୀପାଟଣା, କୋରାପୁଟ, ନୂଆପଡ଼ା, ବାଲେଶ୍ବର ଅଞ୍ଚଳରେ ଥିବା ନୋଡାଲ ସେଣ୍ଟରକୁ ସୁରକ୍ଷା ବଳୟ ମଧ୍ୟରେ ୪ଟି ଗାଡ଼ିରେ ପ୍ରଶ୍ନପତ୍ର ପଠାଯାଇଥିବା ସୂଚନା ମିଳିଛି। ବୋର୍ଡ ସଭାପତି ରାମାଶିଷ ହାଜରା ନଡ଼ିଆ ବାଡେଇ ପ୍ରଶ୍ନପତ୍ର ଗାଡ଼ି ଯାତ୍ରାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବୋର୍ଡ ସଂପାଦକ ଶ୍ରୀକାନ୍ତ କୁମାର ତରାଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ମାଟ୍ରିକ୍‌ର ପ୍ରଥମ ତିନିଟି ବିଷୟ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଯିବ। ଆସନ୍ତା ସାତଦିନ ମଧ‌୍ୟରେ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି। ପ୍ରଶ୍ନପତ୍ର ପହଞ୍ଚିବା ପରେ ନୋଡାଲ ସେଣ୍ଟରରେ ୨୪ଘଣ୍ଟିଆ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ହୋଇଛି। ପୂର୍ବବର୍ଷରେ‌ ନୋଡାଲ ସେଣ୍ଟର୍‌ରୁ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବଦିନ କେନ୍ଦ୍ରକୁ ପଠାଯାଉଥିବା ବେଳେ ଚଳିତବର୍ଷ ଏଥିରେ ପରିବର୍ତ୍ତନ କରାଯାଇଛି। ଏବର୍ଷ ପରୀକ୍ଷା ଦିନ ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବ୍ୟବସ୍ଥା ହୋଇଥିବା ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର