ଭୁବନେଶ୍ବର: ଫେବ୍ରୁଆରି ତୃତୀୟ ସପ୍ତାହରୁ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ହାତରେ ଆଉ କମ୍ ସମୟ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳା ତଥା ବିବାଦମୁକ୍ତ ହେବ, ସେଥିପାଇଁ ଏଥର କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ। ଏଥର ବି କ୍ୟାମ୍ପସରେ ମୋବାଇଲ୍ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, କର୍ମଚାରୀ, ଅଧିକାରୀ, ଛାତ୍ରଛାତ୍ରୀ କ୍ୟାମ୍ପସକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଭିଡିଓ କନ୍ଫରେନ୍ସିଂ ସମୀକ୍ଷା ବୈଠକରେ ନିର୍ଦେଶ ଦିଆଯାଇଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍ ପାଖରେ ରଖିବେ ନାହିଁ। କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରାଯିବ। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏନେଇ ଫାଟକ ନିକଟରେ ବଡ଼ ଅକ୍ଷରରେ ନୋଟିସ୍ ଲାଗିବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍ରେ ବସିବେ। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ଅଭିଭାବକ ଏକାଠି ନ ହୁଅନ୍ତି, ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ଯଦି ପରୀକ୍ଷା କେନ୍ଦ୍ରର କୌଣସି ଶିକ୍ଷକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ପୁଲିସ ଦ୍ବାରା ବନ୍ଧା ହେବେ। ଉଭୟ ପରୀକ୍ଷାକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ କରାଇବା ଉପରେ ବ୍ୟାପକ ଆଲୋଚନା ହୋଇଛି। ଜିଲ୍ଲା ଓ ପୁଲିସ ପ୍ରଶାସନ ସମନ୍ବୟରେ କିଭଳି ପରୀକ୍ଷା ପରିଚାଳନା ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ପରୀକ୍ଷା କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ ଓ ସିସିଟିଭି ବ୍ୟବସ୍ଥା କରାଯିବ।
ମୋବାଇଲ୍ ସମେତ ବୈଦ୍ୟୁତିକ ସାମଗ୍ରୀ ଉପରେ କଟକଣା
ମାଟ୍ରିକ୍ରେ ୫.୧୦ ଲକ୍ଷ, ଯୁକ୍ତ୨ରେ ୩.୯୩ ଲକ୍ଷ ପରୀକ୍ଷାର୍ଥୀ
ଯୁକ୍ତ୨ରେ କପି ରୋକିବାକୁ ଜିଲ୍ଲାରେ ରହିବେ ସ୍ବତନ୍ତ୍ର ସ୍କ୍ବାଡ୍
ଚଳିତବର୍ଷ ଯୁକ୍ତ୨ରେ ୩ ଲକ୍ଷ ୯୩ହଜାର ୬୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦାମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପାଇଁ ୨୦୫ଟି ପରୀକ୍ଷା ପରିଚାଳନା ହବ୍ ଓ ୧୨୭୬ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ରରେ ଦୁଇସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ପରୀକ୍ଷାର ଦେଢ଼ ଘଣ୍ଟା ଆଗରୁ ଅର୍ଥାତ୍ ୮ଟା ୩୦ ଭିତରେ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ଯେଉଁମାନେ ପ୍ରଶ୍ନପତ୍ର ଲିକ୍ କରିବେ କିମ୍ବା ସାମାଜିକ ଗଣମାଧ୍ୟମରେ ଭୁଲ୍ ଖବର ପ୍ରଚାର କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩୦ଟି ଜିଲ୍ଲାରେ ୩୫ଟି ସ୍ବତନ୍ତ୍ର ସ୍କ୍ବାଡ୍ ରହିବେ। ଏଥିପାଇଁ ମୁଖ୍ୟ କାର୍ଯ୍ୟାଳୟରୁ ୧୨୦ଜଣ ଅଧିକାରୀଙ୍କୁ ଜିଲ୍ଲାଗୁଡ଼ିକୁ ପଠାଯିବ। କେବଳ ସେଣ୍ଟ୍ରାଲ ଅଫିସରେ ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭିକୁ ଆସେସ୍ କରିହେବ। ସେହିପରି ମାଟ୍ରିକ୍ରେ ୫ଲକ୍ଷ ୧୦ହଜାର ୭୭୮, ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭,୭୬୬, ମଧ୍ୟମାରେ ୩,୭୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୫ ଯାଏଁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ୨,୯୭୯ ଓ ଅନ୍ୟାନ୍ୟ ପରୀକ୍ଷାକୁ ମିଶାଇ ମୋଟ ୩,୧୩୩ଟି କେନ୍ଦ୍ରରେ ପରୀକ୍ଷା କରାଯିବ। ପ୍ରଥମ ଥର ପାଇଁ ମାଟ୍ରିକ୍ ପ୍ରଶ୍ନପତ୍ରରେ ୱାର୍ଟର ମାର୍କ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା କପି ରୋକାଯାଇପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ପରୀକ୍ଷା ପରିଚାଳନା ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ଅନୁଯାୟୀ ସମସ୍ତେ କାର୍ଯ୍ୟ ହେବ। କୌଣସି ପରିସ୍ଥିତିରେ ଯେପରି ପ୍ରଶ୍ନପତ୍ର ଲିକ୍ ଭଳି ଗୁରୁତର ତ୍ରୁଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ। ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନୋଡାଲ ଅଧିକାରୀ ରହିବେ। ପରୀକ୍ଷା ପରିଚାଳନା ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ ହେଉଛି କି ନାହିଁ ଜିଲ୍ଲାପାଳମାନେ ନିୟମିତ ତଦାରଖ ଓ ସମୀକ୍ଷା କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ନିଜ ନିଜ ସ୍ତରରେ ସମୀକ୍ଷା କରି ପରୀକ୍ଷା ପରିଚାଳନାକୁ ନିର୍ଭୁଲ ଓ ଶୃଙ୍ଖଳାର ସହ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ସମେତ ଉଭୟ ପରିଷଦର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/03/exam-plus-two-bk.jpg)