ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ସ୍ଥଗିତ

ସଙ୍ଗିନ୍ କୋଭିଡ୍ ସ୍ଥିତିକୁ ଦେଖି କଟକଣା ଲଗାଇଲେ ନବୀନ
ପରୀକ୍ଷା ହେବନି, ନବମ ଓ ଏକାଦଶ ଶ୍ରେଣୀର ସବୁ ପିଲା ପାସ୍‌
୧୯ରୁ ସବୁ ସ୍କୁଲ୍‌ ଓ ହଷ୍ଟେଲ୍‌ ବନ୍ଦ, ଘରୋଇ ସ୍କୁଲ୍‌ ବି ମାନିବେ

ଭୁବନେଶ୍ବର : କେନ୍ଦ୍ର ସରକାର ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା କଟକଣା ଘୋଷଣା କରିବାର ୨୪ ଘଣ୍ଟା ପରେ ରାଜ୍ୟ ସରକାର ଆଜି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି। କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ନିରାପତ୍ତା ବିଶେଷ ମହତ୍ତ୍ବ ରଖେ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ନିର୍ଦେଶ ଦେଇଛନ୍ତି।

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆସନ୍ତା ମେ’ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ବର୍ତ୍ତମାନ ପାଇଁ ସ୍ଥଗିତ ରହିବ। କୋଭିଡ୍ ସ୍ଥିତିରେ ଉନ୍ନତି ଆସିବା ପରେ ଯାଇ ରାଜ୍ୟ ସରକାର ପରବର୍ତୀ ନିଷ୍ପତ୍ତି ଜଣାଇବେ। ଜୁନ୍‌ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବ। ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ମେ’ ୩ ତାରିଖରୁ ଆରମ୍ଭ ହେବାକୁ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ଯାଇ ସରକାର ପରୀକ୍ଷା ସଂପର୍କରେ ନିଷ୍ପତ୍ତି ନେବେ।

ସରକାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ବାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ। ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ।

ସରକାର ଆହୁରି କହିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ୧୯ ତାରିଖରୁ ବନ୍ଦ ରହିବ। ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ ବା ପାଠପଢ଼ା ସଂକ୍ରାନ୍ତ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ। ଏହି ନିଷ୍ପତ୍ତି ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ।

ସେହିପରି ସିବିଏସ୍‌ଇ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସହ ସହବନ୍ଧିତ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିମନ୍ତେ ୧୪ତାରିଖରେ ସିବିଏସ୍‌ଇ ଜାରି କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆସନ୍ତା ୧୯ ତାରିଖ ଠାରୁ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ବାରା ପରିଚାଳିତ ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର