ଓଟିଇଟି ପ୍ରଶ୍ନପତ୍ର ଲିକ୍‌ର ସମୀକ୍ଷା ହେଲାନି : ମାଟ୍ରିକ ଓ ଯୁକ୍ତ୨ ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ ଆଶଙ୍କା

ଘାରିଲାଣି ପ୍ରଶ୍ନପତ୍ର ଭାଇରାଲ ଭୟ

ଭୁବନେଶ୍ବର : ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି)ର ପ୍ରଶ୍ନପତ୍ର ଲିକ୍‌ ପରେ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାର ସୁରକ୍ଷାକୁ ନେଇ ଆଶଙ୍କା ବଢ଼ିଛି। କ’ଣ ହେବ ରାଜ୍ୟର ଏହି ଦୁଇ ପ୍ରମୁଖ ପରୀକ୍ଷାର ଭାଗ୍ୟ? କେମିତି ପରିଚାଳିତ ହେବ ପରୀକ୍ଷା? ସୁରକ୍ଷା ବ୍ୟବସ୍ଥା କିଭଳି ରହିବ? ପ୍ରଶ୍ନପତ୍ର ଭାଇରାଲକୁ ରୋକି ହେବ ତ? ନା ଗତବର୍ଷ ପରି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହେବ। ଏଭଳି ମାଳ ମାଳ ପ୍ରଶ୍ନ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ମୁଣ୍ତ ବ୍ୟଥାର କାରଣ ହେଲାଣି।

ଉଭୟ ପରୀକ୍ଷାରେ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି। ହେଲେ ତାହା କେତେଦୂର କାର୍ଯ୍ୟକାରୀ ହେବ ତାହାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି।

ମାଟ୍ରିକ୍‌ ପରୀକ୍ଷାକୁ ନେଇ କର୍ତୃପକ୍ଷଙ୍କ ଚିନ୍ତା ଅଧିକ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାକୁ ନେଇ ଗତବର୍ଷ ବିବାଦ ସୃଷ୍ଟି ହୋଇଥିଲା। ପ୍ରତି ବିଷୟ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବାରୁ ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେହିଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ୬ ମାସ ହେଲା ଏନେଇ ବିଭାଗୀୟ ଅଧିକାରୀମାନେ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ପରୀକ୍ଷାକୁ ଆଉ ୪୦ ଦିନ ବାକି ରହିଛି। ହେଲେ ଗୋଟିଏ ବି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିନି। ଖାସ୍‌ ଏଥିପାଇଁ ପରୀକ୍ଷା କେନ୍ଦ୍ର ତାଲିକା ବି ଚୂଡ଼ାନ୍ତ ହୋଇପାରୁନି। ୨୫୦୦ରୁ ଅଧିକ ପରୀକ୍ଷା କେନ୍ଦ୍ର ହେବ ବୋଲି ପରିଷଦ ପକ୍ଷରୁ କୁହାଯାଉଥିଲେ ହେଁ ନିର୍ଦ୍ଧାରିତ କେତେ ସ˚ଖ୍ୟକ ପରୀକ୍ଷା କେନ୍ଦ୍ର ହେବ ସେନେଇ କିଛି ସ୍ଥିର ହୋଇପାରୁନି। ପରୀକ୍ଷା କେନ୍ଦ୍ର ଚୟନରେ ବିଳମ୍ବକୁ ନେଇ ପରୀକ୍ଷାର୍ଥୀଙ୍କ ଆଶଙ୍କା ବଢ଼ୁଛି।

ସେପଟେ ଯୁକ୍ତ୨ ପରୀକ୍ଷାରେ ସମାନ ଅବସ୍ଥା ଉପୁଜିଛି। କଲେଜଗୁଡ଼ିକ ନିଜସ୍ବ ଫଣ୍ତ୍‌ରୁ ସିସିଟିଭି ଲଗାଇବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବାରୁ କେତେକ କଲେଜ ଇତି ମଧ୍ୟରେ ପଦକ୍ଷେପ ନେଇ ସିସିଟିଭି ଲଗାଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ ଦାବି କରୁଛନ୍ତି ଯେ ୮୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିସାରିଛି। ପରୀକ୍ଷା ପୂର୍ବରୁ ବାକି କେନ୍ଦ୍ରଗୁଡ଼ିକରେ ସିସିଟିଭି ଲାଗିଯିବ। କିନ୍ତୁ ବାସ୍ତବିକ ତଥ୍ୟ ହେଉଛି ଯେ ପରୀକ୍ଷା ହେବାକୁ ଥିବା ୧୧୦୦ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୩୦୦ ଏପର୍ଯ୍ୟନ୍ତ ସିସିଟିଭି ଲଗାଇଛନ୍ତି। ପ୍ରାୟ ୪୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଚାଲିଛି। ଭିତ୍ତିଭୂମି ନଥିବାରୁ, ସିସିଟିଭି ସୁରକ୍ଷା, ଯୁକ୍ତ୨ ଓ ଯୁକ୍ତ୩ କଲେଜ ଗୋଟିଏ କ୍ୟାମ୍ପସରେ ଚାଲୁଥିବା କାରଣରୁ ବାକି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲାଗିପାରୁ ନାହିଁ।

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ବି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ତଦନ୍ତ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବି ପଦକ୍ଷେପ ନିଆଯାଇ ନାହିଁ। ଏତେ ବଡ଼ ଘଟଣା ପରେ ବିଭାଗୀୟ ଅଧିକାରୀମାନେ ସମୀକ୍ଷା କଲେନି। ସତେ ଯେମିତି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ପାଇଁ କାହାର ବି ଚିନ୍ତା ନାହିଁ।

ସମ୍ବନ୍ଧିତ ଖବର