ଯୁକ୍ତ ୨ରେ ଶହେ ମାର୍କର ପରୀକ୍ଷା, ମାଟ୍ରିକ୍‌ରେ ୮୦ ମାର୍କର ପରୀକ୍ଷା; ଶହେ ମାର୍କର ଫଳ

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ୮୦ ମାର୍କର ପରୀକ୍ଷା ଦେବେ। ପ୍ରଶ୍ନପତ୍ରରେ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ। ତେବେ ରେଜଲ୍ଟ ପ୍ରକାଶ ସମୟରେ ଶହେ ମାର୍କକୁ ହିସାବକୁ ନିଆଯିବ। ପରୀକ୍ଷା ଦେଇଥିବା ୮୦ ମାର୍କ ମଧ୍ୟରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ ତାହାକୁ ଆଧାର କରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ କରାଯିବ। କରୋନା ଯୋଗୁଁ ୯ ମାସ ଧରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଦ୍ବାଦଶ ‌ଶ୍ରେଣୀ ତଥା ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ମାର୍କ କମିବନି। ‌ସେମାନେ ଶହେ ମାର୍କର ହିଁ ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି ଯେ ବର୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

ସେଥିପାଇଁ ପର୍ଯ୍ୟାୟ କ୍ରମେ ବିଭାଗ ପକ୍ଷରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ ଏବଂ ୧୦୦ ଦିନର କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ହେବ। ଉତ୍ସବ ପାଳନ ହେଉଥିବା ଦିନଗୁଡ଼ିକରେ ସ୍କୁଲ୍ ବନ୍ଦ ରହିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବାକୁ ପ୍ରଶ୍ନପତ୍ରରେ ସବଜେକ୍ଟିଭ୍‌ ପ୍ରଶ୍ନକୁ ହ୍ରାସ କରାଯାଇଛି। ପରିଷଦର ଏକାଡେମିକ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବା ପରେ ବିଭାଗ ପକ୍ଷରୁ ତାହାକୁ ଅନୁମୋଦନ କରାଯାଇଛି। ଏସ୍‌ଓପି ମାନି ସ୍କୁଲ୍‌ଗୁଡ଼ିକ ଖୋଲିବାକୁ କୁହାଯାଇଛି। ଯେଉଁ ସ୍କୁଲଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ନାହିଁ, ସେଗୁଡ଼ିକ ଖୋଲିବ ନାହିଁ। ପ୍ରଥମେ ବ୍ୟବସ୍ଥାକୁ ଠିକ୍‌ କରାଯିବା ପରେ ଯାଇ ସ୍କୁଲ ଖୋଲିବାକୁ ଅନୁମତି ମିଳିବ। ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ବସିବେ। ଗୋଟିଏ ଶ୍ରେଣୀରେ ତା’ଠାରୁ ଅଧିକ ପିଲା ଥିଲେ ଦୁଇଟି ସେକ୍ସନ କରାଯିବ। ଏମିତିକି ତିନୋଟି ସେକ୍ସନ କରାଯାଇପାରେ। ବର୍ତ୍ତମାନ ପାଇଁ ସ୍କୁଲ୍ ଖୋଲିବା ଓ ପରୀକ୍ଷା କରାଯିବା ଗୁରୁତ୍ୱପୂର୍ଣ୍ଣ। ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କେମିତି ଶୀଘ୍ର ପରୀକ୍ଷା ଫଳ ବାହାରି ପାରିବ, ସେନେଇ ଆମେ ଚେଷ୍ଟା କରିବୁ।

ସମ୍ବନ୍ଧିତ ଖବର