ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଟେନ୍‌ସନ୍: ସ୍ଥିର ହୋଇପାରୁନି ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ଯୋଜନା

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ସିବିଏସ୍‌ଇ ପନ୍ଥା ଆପଣାଇପାରେ ସିଏଚ୍‌ଏସ୍‌ଇ

ଭୁବନେଶ୍ବର : ମାଡ଼ି ଚାଲିଛି କରୋନା। ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପରୀକ୍ଷାକୁ ନେଇ ଅଭିଭାବକଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। କ’ଣ ହେବ ପିଲାଙ୍କ ଭବିଷ୍ୟତ? ୨୦୨୦ ପରି ଏଥର ମଧ୍ୟ ସମାନ ସ୍ଥିତି ଉପୁଜିବ ନାହିଁ ତ? ଘୋଷଣା ହୋଇଥିବା ତାରିଖରେ ପରୀକ୍ଷା ହୋଇପାରିବ ନା ନାହିଁ? ଗତଥର ପରି ଏଥର ବିଳମ୍ବିତ ହେବ ନାହିଁ ତ? ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ପରୀକ୍ଷା ଘୁଞ୍ଚିବା କି ବାତିଲ୍‌ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ମାସ ହେବା ନେଇ ଏକପ୍ରକାର ସ୍ଥିର ହୋଇଛି। ସିବିଏସ୍‌ଇ ଅଧୀନରେ ଉଭୟ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଆରମ୍ଭ ହେବାକୁ ଥିବାରୁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇଛି। ଯେଉଁ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କୁ ପରବର୍ତୀ ସମୟରେ ସୁଯୋଗ ମିଳିବ ବୋଲି କୁହାଯାଇଛି। ସିଆଇଏସ୍‌ସିଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଥିବା ବେଳେ ମେ’ ୪ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ‌ଆରମ୍ଭ ହେବ। କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେବାକୁ ବୋର୍ଡଗୁଡ଼ିକ ପକ୍ଷରୁ ବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। କୌଣସି ବି ପରିସ୍ଥିତିରେ ପରୀକ୍ଷାକୁ ଆସି ଛାତ୍ରଛାତ୍ରୀ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଉଭୟ ବୋର୍ଡ ପକ୍ଷରୁ କୁହାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ମାସକରୁ କମ୍‌ ସମୟ ରହିଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ର ସ୍ଥିର ହୋଇ ନାହିଁ। କେମିତି ପରୀକ୍ଷା ହେବ? କେତେ ପରୀକ୍ଷା କେନ୍ଦ୍ର କରାଯିବ? ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ସାଢ଼େ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କରୋନା ଲାଗି ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଥିଲା। ତେବେ ସବୁ ସ୍କୁଲରେ ଭିତ୍ତିଭୂମି ନ ଥିବାରୁ ଏବେ ପରିଷଦ ହରଡ଼ଘଣାରେ ପଡ଼ିଛି। କେଉଁ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା କେନ୍ଦ୍ର ହେବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ପରିଷଦକୁ ରିପୋର୍ଟ ଦେଇ ସାରିଛନ୍ତି। ତା’ପରେ ବି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ର ସ୍ଥିର ହୋଇପାରୁ ନାହିଁ। ଏବେ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାରୁ ସୁରକ୍ଷିତ ପରୀକ୍ଷା କରାଇବା ଏବେ ଗଣଶିକ୍ଷା ବିଭାଗ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି।

ଅନ୍ୟପକ୍ଷରେ ଆସନ୍ତା ୨୯ ତାରିଖରୁ ମେ’ ୮ ମଧ୍ୟରେ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମେ’ ୧୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ତାହାକୁ ନଜରରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପ୍ରସ୍ତୁତି ଚଳାଇଛି। ତେବେ ହଠାତ୍‌ କୋଭିଡ୍‌-୧୯ ସ୍ଥିତି ଭୟଙ୍କର ରୂପ ନେବା ପରେ ପରିଷଦ ଏବେ ଦୋଛକିରେ ପଡ଼ିଛି। କିଭଳି ଭାବେ ପରୀକ୍ଷା ପରିଚାଳନା ହେବ ତାହାକୁ ନେଇ ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ କରିଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସିବିଏସ୍‌ଇ ପକ୍ଷରୁ ପରବର୍ତୀ ସମୟରେ ପ୍ରାକ୍ଟିକାଲ ପରୀକ୍ଷା ଦେବା ଲାଗି ସୁଯୋଗ ଦିଆଯାଇଛି। ତେଣୁ ସିଏଚ୍‌ଏସ୍‌ଇ ମଧ୍ୟ ସମାନ ପନ୍ଥା ଆପଣାଇବ। ଏପ୍ରିଲ ୨୯ରୁ ମେ’ ୮ ମଧ୍ୟରେ ଯେଉଁମାନେ ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କ ଲାଗି ପରବର୍ତୀ ସମୟରେ ସୁଯୋଗ ଦେବାକୁ ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉଭୟ ପରୀକ୍ଷା କରିବା ଲାଗି ପ୍ରସ୍ତୁତି ଚାଲିଛି। ପରୀକ୍ଷା ଘୁଞ୍ଚିବା କିମ୍ବା ବାତିଲ୍‌ ହେବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ନିଷ୍ପତ୍ତି ନିଆଯାଉଛି। ତେଣୁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥାନ୍ତୁ। ଠିକ୍‌ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର