ମାଟ୍ରିକ ପରୀକ୍ଷା ବିଭ୍ରାଟ ଘଟଣା : ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ମାଲକାନଗିରି : ମାଟ୍ରିକ ଉତ୍ତରଖାତା ଗାଏବ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ଆଜି ରିମାଣ୍ଡରେ ନେଇଛି। ଏହି ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

କୋରାପୁଟର ବନ୍ଧୁଗାଁରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣା ପରେ ମାଲକାନଗିରି ଜିଲ୍ଲା ପଡିଆ ଏସ୍‌ଏସ୍‌ଡି ହାଇସ୍କୁଲରୁ ମାଟ୍ରିକ ଉତ୍ତରଖାତା ଗାଏବ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ଘଟଣାରେ ୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉତ୍ତର ଖାତା ମିଳିନାହିଁ। ତେବେ, ପୁଲିସ୍‌ ଗତକାଲି ପରୀକ୍ଷା କେନ୍ଦ୍ର‌ର ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ବାଇଁ, ନୋଡାଲ ପର୍ଯ୍ୟବେକ୍ଷକ ସନ୍ଦୀପ କୁମାର ସାହୁ ଏବଂ ଗଠନପାଲ୍ଲୀ ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟରେ ହାଜର କରିବା ସହିତ ଦୁଇଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ମାଲକାନଗିରି ସବ୍‌ଜଜ୍‌ ସୁଚିତା କୃପାଳିନୀ ଏହି ଆବେଦନକୁ ମଞ୍ଜୁର କରିବା ପରେ ପୁଲିସ୍‌ ସେମାନଙ୍କୁ ନିଜ ହେପାଜତକୁ ଆଣି ପଚରାଉଚରା ଆରମ୍ଭ କରିଛି। ପଚରାଉଚରା ପରେ ଉତ୍ତରଖାତାଗୁଡ଼ିକ ‌କେଉଁଠି ତାହାର ସୁରାକ ମିଳିବ ବୋଲି ପୁଲିସ୍‌ ଆଶା ବାନ୍ଧି ବସିଛି।

ସମ୍ବନ୍ଧିତ ଖବର