ଯାଜପୁର ରୋଡ୍ : ଜୀବନରେ ସଫଳ ହେବାକୁ ହେଲେ ପ୍ରଥମେ ଲକ୍ଷ୍ୟ ସ୍ଥିର କର। ତା’ପରେ ତାକୁ ହାସଲ କରିବା ପାଇଁ ଏକନିଷ୍ଠ ଉଦ୍ୟମ କରି ଆଗକୁ ବଢ଼ିଚାଲ। ଯେକୌଣସି ବୃତ୍ତିରେ ରହି ଜଣେ ଭଲମଣିଷ ହେବା ପାଇଁ ଉଦ୍ୟମ କରିବା ହିଁ ବଡ଼କଥା। ଭଲ ମଣିଷର ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ। ତେଣୁ ଏକ ଆଦର୍ଶକୁ ଦୃଷ୍ଟିରେ ରଖି ଆଗେଇ ଯିବା ହିଁ ସଫଳତାର ଗୋଟିଏ ପାହାଚ ବୋଲି ଆଜି ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଏ-୧ ଗ୍ରେଡ୍ ପାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି।
ଆଜି ଯାଜପୁର ରୋଡ଼ ସ୍ଥିତ ହୋଟେଲ ବ୍ରାହ୍ମଣୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହୋଇଥିଲା ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସମାରୋହ ‘ମାଟ୍ରିକ ଚାମ୍ପିଅନ୍ସ ୨୦୧୯’। ଏହି ସଭାରେ ସଭାପତିତ୍ବ କରି ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ ଯେ ସଫଳତା ଏକ ସିଡି, ଏହା ଏସ୍କାଲେଟର ନୁହେଁ। ମାଟ୍ରିକ୍ ହେଉଛି ଏହାର ପ୍ରଥମ ପାହାଚ। ପାହାଚ ଚଢ଼ି ଚାଲିଲେ ସଫଳତା ମିଳିବ, ଡେଇଁ ପଡ଼ିଲେ ନୁହେଁ। ସାମର୍ଥ୍ୟ ଅନୁଯାୟୀ ବୃତ୍ତି ଚୟନ କରିବାକୁ ପରାମର୍ଶ ଦେଇ ନିଜ ଜୀବନର ସଫଳ କାହାଣୀକୁ ଅବତାରଣା କରିଥିଲେ। ବିଭିନ୍ନ ସଫଳ ବ୍ୟକ୍ତିଙ୍କ ଆତ୍ମ ଜୀବନୀ ପଢ଼ି ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିେଲ।
ମୁଖ୍ୟ ଅତିଥି ଭାବେ ଯାଜପୁର ଏସପି ଚରଣ ସିଂ ମୀନା ଯୋଗଦେଇ କହିଥିଲେ ଯେ ସଫଳତା ହେଉଛି ଏକ ପାହାଚ। ତାହାର ଶେଷ ନଥାଏ କି ଲିଫ୍ଟରେ ଉଠିଯିବା ପରି ସଫଳତା ମିଳି ନଥାଏ। ସଫଳତାର ଶେଷ ନଥାଏ। ତେଣୁ ସଫଳତାକୁ ବଜାୟ ରଖିବା ହେଉଛି ଗୁରୁତ୍ବପୂର୍ଣ୍ଣ। ସେହିପରି ସକାରାତ୍ମକ ଚିନ୍ତାଧାରା ସଫଳତାର ଚାବିକାଠି ବୋଲି କହିଥିଲେ ଶ୍ରୀ ମୀନା। ଏଥସହ ଦୃଢ଼ ଆତ୍ମବିଶ୍ବାସ ରଖି କାର୍ଯ୍ୟ କଲେ ସବୁ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।
ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ଫିଚର ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଗୌରହରି ଦାସ ଯୋଗଦେଇ କହିଥିଲେ ଯେ ଭଲମଣିଷ ହେବା ପାଇଁ ପ୍ରଥମେ ଏକ ରୋଲ ମଡେଲ ସ୍ଥିର କରିବା ଆବଶ୍ୟକ। କାରଣ ଭଲମଣିଷ ଏକ କାଳ୍ପନିକ ତତ୍ତ୍ବ। ଏହାର ନିର୍ଦିଷ୍ଟ ସଂଜ୍ଞା ନାହିଁ। ତେଣୁ ଆମେ ସବୁବେଳେ ଜଣେ ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥାଉ। ଏବଂ ସେମାନଙ୍କୁ ଲକ୍ଷ୍ୟ ରଖି ଆଗକୁ ବଢ଼ିଥାଉ। ଜଣେ ବୃତ୍ତିରେ ଥାଇ ଭଲମଣିଷ ହୋଇପାରିବ। ଜଣେ ଡାକ୍ତର ହେଲେ କିମ୍ବା ଏସପି ହୋଇ ମଧ୍ୟ ଭଲମଣିଷ ହୋଇପାରିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ପିଲାମାନଙ୍କୁ ଉତ୍ସାହିତ କରିବା। ଆମେ ଭଲ ଶିକ୍ଷକଙ୍କୁ ଅନ୍ବେଷଣ କରିବା। ବଡ଼ବଡ଼ କୋଠାବାଡ଼ି ଅପେକ୍ଷା ଭଲ ଶିକ୍ଷକ ଏବଂ ଉତ୍ତମ ପରିବେଶ ହେଉଛି ଗୁରୁତ୍ବପୂର୍ଣ୍ଣ। ଜୀବନର ପରିସର ବହୁ ବ୍ୟାପକ। ଜୀବନରେ ଯାହା ହେବାକୁ ଚାହୁଁଛନ୍ତି ହୁଅନ୍ତୁ, କିନ୍ତୁ ଭବିଷ୍ୟତରେ ସେଥିପାଇଁ ଯେମିତି ଅନୁତାପ ନକରନ୍ତି ବୋଲି ଡ. ଦାସ କହିଥିଲେ।
ସମ୍ମାନିତ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡ. ସୂର୍ଯ୍ୟମଣି ଖୁଣ୍ଟିଆ କହିଥିଲେ ଯେ ପଢ଼ିବା ବା ଅଧ୍ୟୟନ କରିବା ଗୁରୁତ୍ବପୂର୍ଣ୍ଣ। ସେହିପରି ପାଠ ପଢ଼ିବା ପାଇଁ ଇଚ୍ଛାଶକ୍ତି ଆବଶ୍ୟକ। ଏଥିରେ ବୟସ ବାଧକ ହୋଇପାରେନା। ସେ ନିଜେ ଅବସର ପରେ ଡକ୍ଟରେଟ କରିଥିବା କହିଥିଲେ।
ଯାଜପୁର ସଂସ୍କରଣର ଏଜିଏମ୍ (ନ୍ୟୁଜ୍) ପ୍ରଦୀପ କୁମାର ମହାପାତ୍ର ପ୍ରାରମ୍ଭିକ ଭାଷଣ ଦେଇଥିଲେ।
ଅନିବାର୍ଯ୍ୟ କାରଣବଶତଃ ସଭାରେ ଯୋଗଦେଇ ପାରି ନଥିବା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାକୁ ପ୍ରଦର୍ଶନ କରାଯାଇଥିଲା। ସେ କହିଥିଲେ ଯେ ସଫଳ ହେବା ପାଇଁ ପ୍ରଥମେ ଅହଙ୍କାର ଛାଡ଼ିବା ସହ ଦ୍ବିତୀୟରେ କୃତଜ୍ଞ ହେବାକୁ ପଡ଼ିବ। ପ୍ରଥମେ ଆମେ ବାପାମା’ଙ୍କ ପ୍ରତି ଏବଂ ଗୁରୁଜନ ତଥା ଶିକ୍ଷକଙ୍କ ପ୍ରତି କୃତଜ୍ଞ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୃତ୍ତି ଓ ପ୍ରବୃତ୍ତି ମିଶିଗଲେ ସଫଳତା ନିଶ୍ଚିତ ମିଳିବ। ଅଭିଭାବକଙ୍କ ଚାପରେ ପିଲାଙ୍କ ଉପରେ ଅଯଥା ଚାପ ପଡ଼ୁଛି। ସଫଳତା ପାଇଁ ଏକନିଷ୍ଠ ଉଦ୍ୟମ କରିବାକୁ ସେ କହିଥିଲେ। ଏଥିସହ ଭଲ ଲୋକଙ୍କ ସହ ସମସ୍ତଙ୍କୁ ଯୋଡ଼ିବାକୁ ‘ସମ୍ବାଦ’ ଉଦ୍ୟମ କରିଆସୁଛି ବୋଲି ସେ କହିଥିଲେ।
‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ ଅତିଥି ପରିଚୟ ଦେଇଥିଲା ବେଳେ ଯାଜପୁର ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ ଧନ୍ୟବାଦ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବ୍ୟଙ୍ଗକବି ବାଇଧର ମାଝୀ ଓ ସମ୍ବାଦ ଚଣ୍ଡିଖୋଲ ପ୍ରତିନିଧି ଭକ୍ତଚରଣ ସାହୁ।
ଏହି ଅବସରରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ପ୍ରାୟୋଜକମାନଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଦୁଇ ଜିଲ୍ଲାର ସମସ୍ତ ଏ-୧ ଛାତ୍ରଛାତ୍ରୀ ଏବଂ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇଷ୍ଟର୍ଣ୍ଣ ମିଡ଼ିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିିକାରୀ(ସିଓଓ) କମଳାକାନ୍ତ ମହାପାତ୍ରଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।