ସମ୍ବଲପୁରରେ ‘ସମ୍ବାଦ’ର ମାଟ୍ରିକ୍ ଚାମ୍ପ: ସଫଳତା ପାଇଁ କୃତଜ୍ଞତା ପ୍ରକାଶ କଲେ ଅହଂକାର ଦୂର ହୁଏ

ସମ୍ବଲପୁର: ବ୍ୟବହାର ହିଁ ବ୍ୟକ୍ତିତ୍ବର ପରିଚାୟକ ହୋଇଥାଏ। ଅନ୍ୟକୁ ସମ୍ମାନ ଦେଲେ ନିଜକୁ ସମ୍ମାନ ମିଳେ। ଅଧିକ ନମ୍ବର ଆଣିବା ସଫଳତ‌ାର ଏକ ଅସ୍ଥାୟୀ ସୋପାନ ମାତ୍ର।  ନିଜକୁ ଭଲ ମଣିଷ ଭାବେ ଗଢ଼ି ପାରିଲେ ଓ ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ କଲେ ହିଁ ଜଣେ ସଫଳ ବିବେଚିତ ହୁଏ। ତେଣୁ ମନରୁ ଅହଂକାର ତ୍ୟାଗ କରି, ନିଜ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି ତାହା ହାସଲ ନିମନ୍ତେ ଶୃଂଖଳିତ ଓ ଦୃଢ଼ମନା ‌ହୋଇ ଆଗକୁ ବଢ଼ିବାକୁ ‘ସମ୍ବାଦ’ର ମାଟ୍ରିକ୍‌ ଚାମ୍ପ-୨୦୨୨ ସମାରୋହରେ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।  ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର ବିଜୁ ପଟ୍ଟନାୟକ ଇ-ଲାର୍ନିଂ ସେଣ୍ଟର୍‌ରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାଟ୍ରିକ୍‌ ପରୀକ୍ଷାରେ ୫୬୪ ବା ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାର ୧୫୫ ଛାତ୍ରଛାତ୍ରୀ ଓ ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନ‌ିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର କୁଳପତି ପ୍ର. ବଂଶୀଧର ମାଝୀ କହିଲେ, ମାଟ୍ରିକ୍ ସଫଳତା ପରେ ଛାତ୍ରଛାତ୍ରୀଙ୍କୁ ଅଧିକ ଆହ୍ବାନର ସାମ୍‌ନା କରିବାକୁ ହୁଏ। ପ୍ରତିଯୋଗିତା ବଢ଼େ, ପାଠପଢ଼ାର ଭାଷା ବା ମାଧ୍ୟମକୁ ନେଇ ବି ସମସ୍ୟା ହୁଏ। ଏସବୁ ପ୍ରତିବନ୍ଧକକୁ ଯିଏ ଠିକ୍‌ଭାବେ ଅତିକ୍ରମ କରିଯାଏ ତା’ର ସଫଳତା ନିଶ୍ଚିତ। ଜୀବନରେ ଯାହା ବି ହୁଅ, ସେଥିରେ ଶ୍ରେଷ୍ଠତ୍ବ ହାସଲ କର ବୋଲି ପ୍ର. ମାଝୀ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ କେ‌ତେକ ଉପଦେଶ ଦେଇ ସେ କହିଲେ, ଅନ୍ୟକୁ ସମ୍ମାନ ଦେଲେ ନିଜକୁ ସମ୍ମାନ ମିଳେ। ଶୃଂଖଳିତ ଜୀବନ ଆପେ ୫୦% ସମସ୍ୟାର ସମାଧାନ କରିଦିଏ। ତେଣୁ ନିଜ ଭିତରେ ଶୃଂଖଳା ରଖ। ଜୀବନରେ କେବେ ଗଳାବାଟ ଆପଣାଅ ନାହିଁ ବୋଲି ପ୍ର. ମାଝି କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର୍‌)ର ନିର୍ଦ୍ଦେଶକ ପ୍ର. ଲଳିତ ମେହେର କହିଲେ, ଛାତ୍ରଛାତ୍ରୀ ମାନେ ଭବିଷ୍ୟତର ରାଷ୍ଟ୍ର ନିର୍ମାତା। ତେଣୁ ସେମାନେ ‌ଏବେଠୁ ନିଜ କ୍ୟାରିୟର୍‌ ଗଠନ ପାଇଁ ଉପଯୁକ୍ତ ଯୋଜନା କରିବା ଦରକାର। ଏଥି ପାଇଁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ଅତ୍ୟନ୍ତ ଜରୁରୀ। ଜୀବନରେ ସଫଳ ହେବାଠୁ ସୁମଣିଷ ହେବା ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ ପିଲା ମାନେ ଶାନ୍ତି, ଦୟା, କ୍ଷମା ଆଦି ସୁଗୁଣର ଅଧିକାରୀ ହୁଅନ୍ତୁ। ସମସ୍ତଙ୍କ ସହ ଉତ୍ତମ ସଂପର୍କ ରଖନ୍ତୁ। ଈଶ୍ବରଙ୍କ ଉପରେ ସଦା ଆସ୍ଥା ଓ ବିଶ୍ବାସ ରଖନ୍ତୁ। ଅଭିଭାବକ ମାନେ ନିଜ ପିଲାଙ୍କୁ ଉତ୍ତମ ସଂସ୍କାର ଦେବା ସହ ସୁମଣିଷ ଭାବେ ଗଢ଼ିବା ଦିଗରେ ଯତ୍ନବାନ ହୁଅନ୍ତୁ ବୋଲି ପ୍ର. ମେହେର ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ କହିଲେ ମାଟ୍ରିକ୍‌ରେ ୯୪%-୯୫% ନମ୍ବର ରଖିବା ଯେତିକି ବଡ଼ ଉପଲବ୍‌ଧି ତା’କୁ ପରବର୍ତ୍ତୀ ଜୀବନରେ ବଜାୟ ରଖିବା ସେତିକି ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ନମ୍ବର ପାଇଁ ମନରେ ଅହଂକାର ରଖ ନାହିଁ। ଜୀବନରେ ମିଳିଥିବା ସଫଳତା ପାଇଁ କୃତଜ୍ଞତା ପ୍ରକାଶ କଲେ ଅହଂକାର ଦୂର ହୁଏ। ସମସ୍ତଙ୍କ ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇବା ଦରକାର। ତେଣୁ ଅଭିଭାବକ ମାନେ ପିଲାଙ୍କ ଉପରେ କୌଣସି ଚାପ ନ ପକାଇ ସେମାନଙ୍କୁ ତାଙ୍କ ଆଗ୍ରହ ଅନୁଯାୟୀ ବୃତ୍ତି ଚୟନର ସୁଯୋଗ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ପିଲାମାନେ ନିଜ ସଂପର୍କର ପରିସର ବଢ଼ାଅ। ଜୀବନରେ ଆସିବାକୁ ଥିବା ବାଧାବିଘ୍ନ ଓ ପ୍ରତିବନ୍ଧକର ମୁକାବିଲା ପାଇଁ ଶକ୍ତି ଓ ଧୈର୍ଯ୍ୟ ରଖ। ଜୀବନରେ ଯାହା ବି ହୁଅ, କିନ୍ତୁ ନିଜ ମାଆମାଟିକୁ ଭୁଲ ନାହିଁ। ନିଜ ଅଞ୍ଚଳ ପାଇଁ କିଛି କରିବାର ପ୍ରତିବଦ୍ଧତା ରଖ ବୋଲି ସେ କହିଥିଲେ।

ନିଜ ସଭାପତିତ୍ବ ଅଭିଭାଷଣରେ ତନୟା ପଟ୍ଟନାୟକ କହିଲେ, ପରୀକ୍ଷାର ନମ୍ବର ଜୀବନରେ ସେତେଟୋ ଗୁରୁତ୍ବପୂର୍ଣ୍ଣ ନୁହେଁ। ତେଣୁ ଛାତ୍ରଛାତ୍ରୀଙ୍କ ଚରିତ୍ର ହିଁ ସେମାନଙ୍କ ମାର୍କସିଟ୍ ହେଉ। ମଣିଷର ବ୍ୟବହାରରୁ ହିଁ ତା’ର ଚରିତ୍ର ପ୍ରତିଫଳିତ ହୋଇଥାଏ। ତେଣୁ ସମାଜର ତଳସ୍ତରର ଲୋକଙ୍କ ପ୍ରତି ବି ଉତ୍ତମ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରୀମତୀ ପଟ୍ଟନାୟକ ଆହୁରି କହିଲେ ଯେ ସଫଳତାକୁ ଉପଭୋଗ କରିବା ବଡ଼ କଥା ନୁହେଁ, ଆମେ ବିଫଳତାକୁ କେମିତି ସାମ୍‌ନା ଓ ମୁକାବିଲା କରୁଛୁ ତାହା ଗୁରୁତ୍ବପୂର୍ଣ୍ଣ। ମଣିଷ ନିଜ ବ୍ୟବହାର ପାଇଁ ମୋବାଇଲ୍ ଉଦ୍ଭାବନ କରିଥିଲା। କିନ୍ତୁ ଏବେ ମୋବାଇଲ୍ ଆମକୁ ବ୍ୟବହାର କରୁଛି। ତେଣୁ ନିଜ ନିକଟରେ ରହୁଥିବା ଏହି ଶତ୍ରୁ ପ୍ରତି ସଦା ସତର୍କ ରହନ୍ତୁ। ପରିବେଶ ସୁରକ୍ଷା ଓ ଜନ୍ମମାଟିର ବିକାଶରେ ଛାତ୍ରଛାତ୍ରୀ ମାନଙ୍କ ଯୋଗଦାନ ରହୁ ବୋଲି ସେ ଆହ୍ବାନ ଦେଇଥିଲେ।

‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ କହିଲେ, ଆମେ ନିଜକୁ ଉପଯୁକ୍ତ ଭାବେ ବିଜ୍ଞପିତ କରିପାରି ନଥିବାରୁ ଆଜି ଯାଏ ନିଜ ହକ୍‌ ହାସଲ କରିପାରି ନାହୁଁ। କିନ୍ତୁ ସେହି ସମୟ ଆଉ ନାହିଁ। ପଶ୍ଚିମ ଓଡ଼ିଶାକୁ ପଛୁଆ କହିବାର ଦିନ ଗଲାଣି। ପଶ୍ଚିମ ଓଡ଼ିଶାରୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ମେଧାବୀ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ରାଜ୍ୟ ତଥା ରାଷ୍ଟ୍ରର ନେତୃତ୍ବ ନେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପଦକ ଦେଇ ପୁରସ୍କୃତ କରିଥିଲେ। ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ସଂଯୋଜନା କରିଥିଲେ। ବିଭିନ୍ନ +୨ ଶିକ୍ଷାନୁଷ୍ଠାନରୁ ଆସିଥିବା ପ୍ରତିନିଧି ମାନେ ନିଜନିଜ ଅନୁଷ୍ଠାନ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏହାକୁ ‘ସମ୍ବାଦ’ ବିଜ୍ଞାପନ ବିଭାଗ ମୁଖ୍ୟ ପ୍ରବନ୍ଧକ ରାକେଶ ମିଶ୍ର ସଂଯୋଜନା କରିଥିଲେ। ଶେଷରେ ‘ସମ୍ବାଦ’ର ଶାଖା ପରିଚାଳକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର