ବ୍ୟାସନଗର : ଜୀବନରେ ବଡ଼ମଣିଷ ହେବା ନିଶା ବେଳେବେଳେ ମଣିଷକୁ ବିପଥଗାମୀ କରିଥାଏ। କିନ୍ତୁ, ଭଲ ମଣିଷ ହେବାରେ କିଛି ସମସ୍ୟା ନାହିଁ। ଛାତ୍ରଛାତ୍ରୀ ଯେଉଁ କ୍ଷେତ୍ରରେ ବି କାମ କରନ୍ତୁ ସବୁଠାରୁ ଭଲ କରନ୍ତୁ। ଦେଶ, ଜାତି ଓ ମାଟିର ଋଣ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ‌ଏହା ହେଲେ ଜୀବନ ସାର୍ଥକ ହେବ ବୋଲି ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରେରା ସଦସ୍ୟ ପ୍ରଦୀପ ବିଶ୍ବାଳ ପ୍ରକାଶ କରିଛନ୍ତି। ଯାଜପୁରରୋଡସ୍ଥିତ ସଂସ୍କୃତି ଭବନରେ ‘ସମ୍ବାଦ’ ଯାଜପୁର ସଂସ୍କରଣ ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ଚାମ୍ପିଅନ୍‌ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

Advertisment

‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରାମର୍ଶ ଦେଇ ମୁଖ୍ୟଅତିଥି ଶ୍ରୀ ବିଶ୍ବାଳ କହିଥିଲେ, ବାପାମା’ ଓ ଶିକ୍ଷକ, ଶିକ୍ଷୟିତ୍ରୀ ପିଲାଙ୍କ ଭିତରେ ନୂତନ ସମ୍ଭାବନା ସୃଷ୍ଟି କରି ଉଚିତ ମାର୍ଗଦର୍ଶନ କରିବା ଦରକାର। ଛାତ୍ରଛାତ୍ରୀମାନେ ମଧ୍ୟ ଆଉ କାହାର ସ୍ବପ୍ନରେ ଭାଗୀଦାର ନହୋଇ ନିଜେ ସ୍ବପ୍ନ ଦେଖନ୍ତୁ। ତାହାକୁ ପୂରଣ କରିବା ପାଇଁ ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ଶ୍ରୀ ବିଶ୍ବାଳ ପରାମର୍ଶ ଦେଇଥିଲେ।

ଟାଟା ମେଡିକାର ଅଧୀକ୍ଷକ ଡା. ସୁଧାଂଶୁ ଶେଖର ସୂତାର କହିଥିଲେ, ଅଭିଭାବକମାନେ ପିଲାଙ୍କ ଉପରେ ଚାପ ପକାନ୍ତୁ ନାହିଁ। ପିଲାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ବୃତ୍ତି ଚୟନ କରିବାପାଇଁ ସୁଯୋଗ ଦିଅନ୍ତୁ। ସେହିପରି କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ଡା. ସୂତାର କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଥିଲେ, ମନ ଠିକ୍‌ ରହିଲେ ସବୁକିଛି ଠିକ୍‌ଠାକ୍‌ ହେବ। ଏ ସମ୍ପର୍କରେ ୫-ମ ଓ ୫-ନର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଅତି ଚମତ୍କାର ଢଙ୍ଗରେ ସେ ବୁଝାଇଥିଲେ। ମା’କୁ ସମ୍ମାନ, ମାଟିର ଉନ୍ନତି, ମାତୃଭାଷାକୁ ଭଲପାଇବା, ମୋବାଇଲକୁ ସମ୍ପଦ ଭାବେ ବ୍ୟବହାର ଏବଂ ଘରେ ଯେପରି ମଦ ନ ପଶିବ ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସେହିପରି ୫-ନ ଯଥା ନିରୋଗ ରହିବା, ନିରହଙ୍କାର ହେବା, ନିଶାମୁକ୍ତ ସମାଜ ଗଠନ କରିବା ଏବଂ ଆଡ଼ମ୍ବରଶୂନ୍ୟ ଜୀବଯାପନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଅହଙ୍କାର ତ୍ୟାଗ କରି ଉପକାର ପାଇଥିବା ଲୋକଙ୍କ ପାଖରେ କୃତଜ୍ଞତା ପ୍ରକାଶ କଲେ ସଫଳତା ମିଳିବା ନଶ୍ଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ର ସିଜିଏମ୍‌ (ବାର୍ତ୍ତା) ଅରବିନ୍ଦ ଦାସ ସ୍ବାଗତ ଓ ଅତିଥି ପରିଚୟ ଦେଇଥିଲେ। ଭବି‌ଷ୍ୟତକୁ ନେଇ ଛାତ୍ରଛାତ୍ରୀ ମନରେ ଦ୍ବନ୍ଦ୍ବ ରଖନ୍ତୁ ନାହିଁ। ବୃତ୍ତି ଓ ପ୍ରବୃତ୍ତି ଭିତରେ ମେଳ ଖାଇଲେ ସଫଳତା ନିଶ୍ଚିତ ବୋଲି ଶ୍ରୀ ଦାସ କହିଥିଲେ।