ସମ୍ବଲପୁର: ‘ଏହି ମାଇଲ୍ ଖୁଣ୍ଟ ଜୀବନର ପ୍ରଥମ ସଫଳତା। କିନ୍ତୁ ଶେଷ ନୁହେଁ। ଆଗକୁ ଆହୁରି ଅନେକ ସଫଳତା ଆପଣମାନଙ୍କୁ ଅପେକ୍ଷା କରିଛି। ପାଠପଢ଼ାକୁ ଚାପ ନ ଭାବି ଉପଭୋଗ କରିବା ଶିଖ। ଏହାସହିତ ଜୀବନରେ ଶୃଙ୍ଖଳାକୁ ଗୁରୁତ୍ବ ଦିଅ। କାରଣ ଜଣେ ଶୃଙ୍ଖଳିତ ନ ହେଲେ ସେ ଯେତେ ସଫଳ ମଣିଷ ହେଲେ ବି ତାକୁ ସମାଜ ଗ୍ରହଣ କରିବନି।’ ସମ୍ବଲପୁର ଜିଏମ୍ୟୁ ପ୍ରେକ୍ଷାଳୟରେ ଆଜି ଅନୁଷ୍ଠିତ ‘ସମ୍ବାଦ’ ମାଟ୍ରିକ୍ ଚାମ୍ପ୍-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିସୁଟ୍ କୁଳପତି ପ୍ରଫେସର ଡ. ଦୀପକ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ସେ କହିଥିଲେ ଯେ ‘ମାତୃଭାଷାକୁ ଗୁରୁତ୍ବ ଦେଉଛ ତାହା ପ୍ରଶଂସାଯୋଗ୍ୟ। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଦୁନିଆର ପ୍ରତିଯୋଗିତା ଜିତିବାକୁ ହେଲେ ଏକାଧିକ ଭାଷା ଶିଖିବାର ଆବଶ୍ୟକତା ରହିଛି। ମାଟି ସହ ଯୋଡ଼ି ହୋଇ ରୁହ। ନିଜ ମାତୃଭୂମି, ନିଜ ମାତୃଭାଷା, ନିଜ ସମାଜଠୁ କେବେ ଦୂରେଇ ଯାଅନି। ତୁମେ ଯେତେ ସଫଳ ମଣିଷ ହୁଅନା କାହିଁକି ପାଠପଢ଼ା କେବେ ଶେଷ ହୁଏନି। ଦୈନିକ ଅନ୍ୟୂନ ୨ଟି ଖବରକାଗଜ ପଢ଼ାର ଅଭ୍ୟାସ ରଖ। ନିଶାଠାରୁ ଦୂରେଇ ରୁହ। ବିଭିନ୍ନତାବାଦରେ ବିଶ୍ବାସ ରଖ, ବିଚ୍ଛିନ୍ନତାବାଦରେ ନୁହେଁ।’ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ମହାନଗର ନିଗମର କମିସନର ବେଦଭୂଷଣ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର୍ରେ ଉତ୍କର୍ଷତା ଲାଭ କରିବାକୁ ପରାମର୍ଶ ଦେଇଥିଲେ। ଦେଶରେ ହଜାର ହଜାର ଡାକ୍ତର ଅଛନ୍ତି, କିନ୍ତୁ ଭଲ ଡାକ୍ତରଙ୍କ ସଂଖ୍ୟା କମ୍; ଲକ୍ଷ ଲକ୍ଷ ଆଇନଜୀବୀ ଅଛନ୍ତି, କିନ୍ତୁ ଭଲ ଆଇନଜୀବୀଙ୍କ ସଂଖ୍ୟା କମ୍ ବୋଲି ସେ କହିଥିଲେ। ବିଫଳତା ଜୀବନର ଏକ ଅଂଶବିଶେଷ ନିଶ୍ଚିତ। କିନ୍ତୁ ବିଫଳତା ହିଁ ଜୀବନ ନୁହେଁ। ତେଣୁ ବିଫଳତା ଆଗରେ କେବେ ହାର ମାନିବା କଥା ନୁହେଁ। ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇ ଶ୍ରୀ ବେଦଭୂଷଣ ମଣିଷର ଇଚ୍ଛାଶକ୍ତି ତାକୁ କିଭଳି ସଫଳତାର ଶୀର୍ଷକୁ ନେଇ ଯାଇଥାଏ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
କ୍ୟାରିୟର୍ରେ ଉତ୍କର୍ଷତା ଜରୁରି: ବେଦଭୂଷଣ
ଛାତ୍ରଛାତ୍ରୀଙ୍କ ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇବା ଆବଶ୍ୟକ: ସୌମ୍ୟରଂଜନ
ପରିଶ୍ରମ, ଅଧ୍ୟବସାୟ ରହିଲେ ସଫଳତା ନିଶ୍ଚିତ: ତନୟା
‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇବା ଆବଶ୍ୟକ ବୋଲି କହିଥିଲେ। କେବଳ ଯେ ବିଜ୍ଞାନ କି ବାଣିଜ୍ୟ ପଢ଼ିଲେ ସଫଳତା ମିଳିବ ତାହା ନୁହେଁ, ପିଲାମାନେ ଯେଉଁ ଦିଗ ପ୍ରତି ଇଚ୍ଛୁକ ସେ ଦିଗରେ ମନଦେଇ ପଢ଼ିଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଥିଲେ। ମା’, ମାଟି, ମାତୃଭାଷାକୁ ସମ୍ମାନ ଦେବା, ମୋବାଇଲ୍କୁ ନିୟନ୍ତ୍ରଣ କରିବା, ମଦଠାରୁ ଦୂରେଇ ରହିବା, ନିରୋଗ ରହିବା, ଅହଙ୍କାରଶୂନ୍ୟ ରହିବା, ନିରାଡ଼ମ୍ବର ଜୀବନଯାପନ କରିବା, ସତ ସହ ବନ୍ଧୁତା କରି ନିଡ଼ର ରହିବା ଓ ନିଶାମୁକ୍ତ ପରିବେଶ ଗଠନ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ମାଟ୍ରିକ୍ ଚାମ୍ପ୍ର ଇତିହାସ ବର୍ଣ୍ଣନା କରିବା ସହ କିଭଳି ବିଗତ ୨ ଦଶନ୍ଧିରେ ଏହି ପର୍ବ ଏକ ପରମ୍ପରା ପାଲଟିଯାଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ମାଟ୍ରିକ୍ ପରୀକ୍ଷାରେ ସଫଳତା ନିଶ୍ଚିତ ଭାବେ ଏକ ମାଇଲ୍ ଖୁଣ୍ଟ। କିନ୍ତୁ ଜୀବନରେ ଆହୁରି ଅନେକ ପରୀକ୍ଷା ରହିଛି। ସେସବୁରେ ବି କୃତକାର୍ଯ୍ୟ ହେବାକୁ ପଡ଼ିବ। କୌଣସି ବିଫଳତା ଯେଭଳି ଛାତ୍ରଛାତ୍ରୀଙ୍କ ଜୀବନକୁ ନିରସ ନ କରେ ସେଥିପ୍ରତି ଦୃଷ୍ଟି ରଖିବାକୁ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଦେଇ ଓଡ଼ିଶା ଗଠନରେ ଏହି କୃତୀ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ। ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା ଯଥା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ାର ମୋଟ ୧୯୭ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ସୁବ୍ରତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ଧନ୍ୟବାଦ ଦେଇଥିଲେ।