‘ସମ୍ବାଦ’ ମାଟ୍ରିକ୍ ଚାମ୍ପିଅନ୍ ସମ୍ବର୍ଦ୍ଧନା ସମାରୋହ ୧୯ରେ

ବାଲେଶ୍ବର: ପ୍ରତିବର୍ଷ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ମାତ୍ରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟର ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ ‘ସମ୍ବାଦ’ ସମ୍ବର୍ଦ୍ଧିତ କରିଆସୁଛି। ତେବେ କରୋନା ମହାମାରୀଜନିତ କାରଣ ଯୋଗୁଁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବାରୁ ଗତ ୨ ବର୍ଷ ଧରି ଏହି ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇ ପାରି ନଥିଲା। ଏ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତର ଓଡ଼ିଶାର ଛାତ୍ରଛାତ୍ରୀମାନେ ସାରା ରାଜ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। କେବଳ ଏ୧ରେ ବାଲେଶ୍ବର ଜିଲ୍ଲାର ୧୫୦୩ ପରୀକ୍ଷାର୍ଥୀ ରହିଥିବାବେଳେ ଭଦ୍ରକରେ ୩୨୯ ଓ ମୟୂରଭଞ୍ଜରେ ୨୩୨ ଛାତ୍ରଛାତ୍ରୀ ରହିଛନ୍ତି। ଏ୧ ଗ୍ରେଡ୍‌ରେ ଚଳିତବର୍ଷ କୃତୀ ବିଦ୍ୟାର୍ଥୀଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୮ ଗୁଣ। ଏତେ ଅଧିକସଂଖ୍ୟକ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଉପଯୁକ୍ତ ସ୍ଥାନର ଅଭାବ ଥିବାରୁ ୯୫ ଓ ତଦୁର୍ଦ୍ଧ୍ବ ପ୍ରତିଶତ ନମ୍ବର ରଖିଥିବା କୃତୀ ବିଦ୍ୟାର୍ଥୀମାନଙ୍କୁ ଚଳିତବର୍ଷ ସମ୍ବର୍ଦ୍ଧିତ କରାଯିବ।

ଏ ପରିପ୍ରେକ୍ଷୀରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଚଳିତ ମାସ ୧୯ ତାରିଖ (ମଙ୍ଗଳବାର) ଦିନ ବାଲେଶ୍ବର ଆଇନ ମହାବିଦ୍ୟାଳୟ ପାଖ ‘ଭେନ୍ୟା ପାରାଡାଇଜ୍’ଠାରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି। କୃତୀ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେବଳ ବାଲିଆପାଳ ଓ ଭୋଗରାଇ ବ୍ଲକ୍‌ର ମେଧାବୀ ଛାତ୍ରଛାତ୍ରୀ ଉକ୍ତଦିନ ପୂର୍ବାହ୍ନ ୯ଟା ସୁଦ୍ଧା ସମ୍ବର୍ଦ୍ଧନାସ୍ଥଳରେ ପହଞ୍ଚି ସେମାନଙ୍କ ନାମ ପଞ୍ଜୀକରଣ କରିବେ। ସେହିପରି ବାଲେଶ୍ବର ଜିଲ୍ଲାର ଅନ୍ୟ ୧୦ଟି ବ୍ଲକ୍‌ର ମେଧାବୀ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ପହଞ୍ଚି  ସେମାନଙ୍କ ନାମ ପଞ୍ଜୀକରଣ କରିବେ।

‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ,  ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୈୟ ଭଉସାହେବ ଶିନ୍ଦେ, ଫକୀରମୋହନ ମେଡିକାଲ୍‌ କଲେଜର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡାକ୍ତର ରାମଚନ୍ଦ୍ର ଗିରି ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ମାର୍ଗଦର୍ଶନ କରିବେ।

ସମ୍ବନ୍ଧିତ ଖବର