ଆରମ୍ଭ ହେଲା ମାଟ୍ରିକ୍‌ ଖାତା ମୂଲ୍ୟାୟନ, ପ୍ରଥମ ଦିନରେ ଅଧା ପରୀକ୍ଷକ ଅନୁପସ୍ଥିତ

କଟକ: ଦୀର୍ଘ ୨ମାସ ବନ୍ଦ ରହିଥିବା ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ତିନିଟି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ସବୁ ମୂଲ୍ୟାୟନ କେନ୍ଦ୍ରରେ ପାଖାପାଖି ଅଧା ପରୀକ୍ଷକ ଅନୁପସ୍ଥିତ ଥିବା ସୂଚନା ମିଳିଛି। ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ସୁଯୋଗ ଦିଆଯିବାକୁ ନୂଆ ନିୟମ ହୋଇଥିବା କାରଣରୁ ଅଧା ଶିକ୍ଷକ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବ୍ୟକ୍ତିଗତ ଭାବେ ଅଥବା ସଂପୃକ୍ତ ସ୍କୁଲ ଜରିଆରେ ଶିକ୍ଷକମାନଙ୍କ ସହ ଯୋଗାଯୋଗ ‌ହୋଇ ନଥିବା କାରଣରୁ କେତେକ କେନ୍ଦ୍ରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖିବାକୁ ଚୟନ ହୋଇଥିବା ବିଷୟ ଶିକ୍ଷକ ପହଞ୍ଚି ଯାଇଥିଲେ। କିନ୍ତୁ ସେମାନଙ୍କୁ କେନ୍ଦ୍ରରୁ ଫେରିବାକୁ ପଡ଼ିଥିଲା। ପୁଣି ଅନେକ କେନ୍ଦ୍ରରେ ଅତ୍ୟଧିକ ଗରମ ଓ ରହିବା, ଖାଇବା ଅବ୍ୟବସ୍ଥା, ଦୀର୍ଘ ମୂଲ୍ୟାୟନ ସମୟକୁ ନେଇ କ୍ୟାମ୍ପ ଅଫିସର ତଥା ସ‌ହଯୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ୧୦ରୁ ଅଧିକ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନେ ୧୦ କିଲୋମିଟର ଭିତରୁ ଆସୁଥିବା ସଂପର୍କରେ ଲେଖିବାକୁ କୁହାଯାଇଥିବା ବେଳେ ସେମାନେ ତାହାର ବିରୋଧ କରିଥିଲେ।

ସୂଚନା ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ରାଜ୍ୟର ୬୦ଟି କେନ୍ଦ୍ରରେ ମାର୍ଚ ୧୮ରୁ ମୂଲ୍ୟାୟନ ଆରମ୍ଭ ‌ହେବାକୁ ଥିବା ବେଳେ କରୋନା ଲକ୍‌ଡାଉନ୍ ପାଇଁ ମୂଲ୍ୟାୟନ ପ୍ରକ୍ରିୟା ଅଟକି ରହିଥିଲା। ବୋର୍ଡର ଜଣେ କ୍ୟାମ୍ପ ଅଫିସରା କହିବା ଅନୁସାରେ, ଆଜି ଆରମ୍ଭ ‌ହୋଇଥିବା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନରେ ଇଂରାଜୀ, ଗଣିତ, ଇତିହାସ ଓ ଭୂ ଗୋଳ ଖାତା ଦେଖା ଆରମ୍ଭ ହୋଇଛି। ପ୍ରଥମେ ଅବ୍‌ଜେକ୍ଟିଭ୍ ଓ ପରେ ସବ୍‌ଜେକ୍ଟିଭ୍ ଦେଖା ହେବ। ଗୋଟିଏ ୟୁନିଟ୍‌ରେ ୨୦ଜଣ ପରୀକ୍ଷକ, ଦୁଇ ଜଣ ଡେପୁଟି ପରୀକ୍ଷକ, ଦୁଇ ଜଣ ସ୍କ୍ରୁଟିନାଇଜର, ଜଣେ ମୁଖ୍ୟ ପରୀକ୍ଷକ ଏହିଭଳି ୨୫ଜଣ ରହିବା ବ୍ୟବସ୍ଥା ଅଛି। ବୋର୍ଡ ନିର୍ଦ୍ଦେଶ ଅନୁସାରେ ଯେଉଁ କେନ୍ଦ୍ରରେ ୯ଟି ୟୁନିଟ୍ ‌ମୂଲ୍ୟାୟନ କରିବା କଥା ପ୍ରଥମ ପର୍ଯ୍ୟାୟ ୪ଟି ବିଷୟ ପରୀକ୍ଷା ଖାତା ପାଇଁ ଅଧା ଅର୍ଥାତ ୪ଟି ୟୁନିଟଙ୍କୁ ଡକାଯାଇଥିଲା। କେନ୍ତୁ କେଉଁ ଯୁନିଟ୍‌ରୁ ୧୫ଜଣ ତ କେଉଁ ୟୁନିଟ୍‌ରୁ ୯ଜଣ ଏହିଭଳି ଶିକ୍ଷକ ଆଜି ଯୋଗ ଦେଇଥିବା କ୍ୟାମ୍ପ ଅଧିକାରୀ ସୂଚନା ଦେଇଛନ୍ତି। ମୂଲ୍ୟାୟନ କେନ୍ଦ୍ରଠାରୁ ୧୦କିମି. ଦୂରତା ମଧ୍ୟରେ ପରୀକ୍ଷକଙ୍କୁ ଡକାଯାଉଥିବାରୁ ଏପରି ଶିକ୍ଷକ ଅଭାବ ରହିଛି ଓ ଏହା ମୂଲ୍ୟାୟନ ପ୍ରକ୍ରିୟାକୁ ସମୟସାପେକ୍ଷ କରିବ। ଏମାନେ ଅବ୍‌ଜେକ୍ଟିଭ୍ ଓ ପରେ ସବ୍‌ଜେକ୍ଟିଭ୍ ଦେଖିବାକୁ ପାଖାପାଖି ୩୦ ଦିନ ନେବେ। ପରେ ଅବଶିଷ୍ଟ ପେପର ସାଧାରଣ ବିଜ୍ଞାନ, ପ୍ରଥମ ଭାଷା, ତୃତୀୟ ଭାଷା(ସଂସ୍କୃତ, ହିନ୍ଦୀ) ଦେଖାହେବ। ଏଥିପାଇଁ ଆହୁରି ମାସେ ଲାଗିବ ବୋଲି ସଂପୃକ୍ତ କ୍ୟାମ୍ପ ଅଫିସର ସୂଚନା ଦେଇଛନ୍ତି। ଏପରି ହେଲେ ସଂପୂର୍ଣ୍ଣ ମୂଲ୍ୟାୟନ ୬୦ଦିନରୁ କମ୍ ଲାଗିବ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର