ମାଟ୍ରିକ୍ ପରୀକ୍ଷା: ଆଜି ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ପରୀକ୍ଷାର୍ଥୀ ଚାହିଲେ ବିଷୟ ପରିବର୍ତ୍ତନ କରିପାରିବେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାଟିଫିକେଟ୍ ପରୀକ୍ଷା(ମାଟ୍ରିକ୍‌)ରେ ତୃତୀୟ ଭାଷା(ହିନ୍ଦୀ ଓ ସଂସ୍କୃତ)କୁ ନେଇ ଅନେକ ସମ‌‌ୟରେ ସମସ୍ୟା ଦେଖାଯାଇଥାଏ। କେତେକ କ୍ଷେତ୍ରରେ ପରୀକ୍ଷାର୍ଥୀ ଫର୍ମପୂରଣ ସମୟରେ ତୃତୀୟ ଭାଷା ହିନ୍ଦୀ ରଖିଥିବା ବେଳେ ଆଡ୍‌ମିଟ୍ କାର୍ଡରେ ସଂସ୍କୃତ(ଟିଏଲ୍‌ଏସ୍‌) ହୋଇଥାଏ ବା ଫର୍ମପୂରଣରେ ସଂସ୍କୃତ କରିଥିବା ବେଳେ ଆଡମିଟ୍ କାର୍ଡରେ ହିନ୍ଦୀ(ଟିଏଲ୍‌ଏଚ୍‌) ହୋଇଯାଇଥାଏ। ଆଉ କିଛି କ୍ଷେତ୍ରରେ ପରୀକ୍ଷାର୍ଥୀ ନିଜେ ତୃତୀୟ ଭାଷା ହିନ୍ଦୀ ଫର୍ମପୂରଣ କରି ଶେ‌ଷ ସମୟରେ ସଂସ୍କୃତ ପରୀକ୍ଷା ଦେବାକୁ ଚା‌ହେଁ ବା ସଂସ୍କୃତ ଫର୍ମପୂରଣ କରି ହିନ୍ଦୀ ପରୀକ୍ଷା ଦେବାକୁ ଚାହେଁ। ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥାଏ, ଯାହା ଫଳରେ ବୋର୍ଡ କର୍ତ୍ତୃପକ୍ଷ ସମସ୍ୟାରେ ପଡ଼ିଥାନ୍ତି।

ଆସନ୍ତାକାଲି ଗୋଟିଏ ଦିନ‌ରେ ଉଭୟ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହେଉଥିବାରୁ ଓ ବୋର୍ଡ ପକ୍ଷରୁ କିଛି ପରୀକ୍ଷାର୍ଥୀଙ୍କ ଆଡ୍‌ମିଡ୍ କାର୍ଡରେ ହିନ୍ଦୀ ବଦଳରେ ସଂସ୍କୃତ ବା ସଂସ୍କୃତ ବଦଳରେ ହିନ୍ଦୀ ଭଳି ତ୍ରୁଟି ଥିବାରୁ ପରୀକ୍ଷାରେ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ପରୀକ୍ଷାର୍ଥୀଙ୍କୁ ସମସ୍ୟାରେ ନ ପକାଇବାକୁ ବୋର୍ଡ ପକ୍ଷରୁ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ଦିଆଯାଇଛି। ପରୀକ୍ଷାର୍ଥୀ ଶେଷ ସମୟରେ ହିନ୍ଦୀ ବଦଳରେ ସଂସ୍କୃତ ବା ସଂସ୍କୃତ ବଦଳରେ ହିନ୍ଦୀ ପରୀକ୍ଷା ଦେବାକୁ ଚାହିଲେ ତାଙ୍କୁ ଅନୁମତି ଦେବାକୁ ବୋର୍ଡ ପକ୍ଷରୁ କୁହାଯାଉଛି। ଏ ସଂକ୍ରାନ୍ତରେ ଜଣେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି, ଗୋଟିଏ ପ୍ରଶ୍ନପତ୍ରରେ ଉଭୟ ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନ ରହିଛି। ଯେଉଁ ପିଲା ଯାହା ଫର୍ମ ପୂରଣ କରିଛନ୍ତି, ସେହି ଅନୁସାରେ ସେମାନେ ପରୀକ୍ଷା ଦେବେ। କିନ୍ତୁ ବିଷୟ ପରିବର୍ତ୍ତନ କରିବାକୁ ଚାହିଁଲେ, ପରୀକ୍ଷାର୍ଥୀଙ୍କୁ ଏକ ସ୍ବତନ୍ତ୍ର ଫର୍ମ ପୂରଣ କରି ଇନ୍‌ଭିଜିଲେଟରଙ୍କୁ ଦେବାକୁ ପଡ଼ିବ ଓ ଏହାକୁ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍‌ ବୋର୍ଡ କର୍ତ୍ତୃପକ୍ଷଙ୍କ ଜଣାଇବେ ବୋଲି ସଂପୃକ୍ତ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି।

ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହଜାରା କହିଛନ୍ତି, ପିଲା ଫର୍ମପୂରଣ ସମୟରେ ତୃତୀୟ ଭାଷା ଯାହା ଲେଖିଥିବେ, ଆଡ୍‌ମିଟ୍ କାର୍ଡରେ ତାହା ହିଁ ରହିଥାଏ। କିନ୍ତୁ ଅନେକ କ୍ଷେତ୍ରରେ ପରୀକ୍ଷାର୍ଥୀ ଶେଷ ସମୟରେ ବିଷୟ ପରିବର୍ତ୍ତନ କରିବାକୁ ଚାହାନ୍ତି, ‌ଏ କ୍ଷେତ୍ରରେ ତାଙ୍କୁ ସ୍ବତନ୍ତ୍ର ଫର୍ମପୂରଣ କରି ଦେବାକୁ ପଡ଼ିଥାଏ। ଏହା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଜରିଆରେ ବୋର୍ଡକୁ ଆସେ। କିନ୍ତୁ ପିଲାଙ୍କୁ ପରୀକ୍ଷା ଦେବାରେ କୌଣସି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ବୋଲି ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର