ମାଟ୍ରିକ୍ ପରୀକ୍ଷା: ତୃତୀୟ ଦିନରେ ୧୧୮ ମାଲ୍ପ୍ରାକ୍ଟିସ୍
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ସୋମବାର ଦିନ ରାଜ୍ୟର ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାରେ ସଂପାଦିତ ହୋଇଛି। ରାଜ୍ୟର କୌଣସି କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା କପି କରିବାକୁ ନେଇ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇ ନଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ତୃତୀୟ ଦିନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ୧୧୮ଜଣ ପରୀକ୍ଷାର୍ଥୀଙ୍କୁ ସ୍କ୍ବାଡ୍ ମାଲ୍ପ୍ରକ୍ଟିସ୍ କରିଛନ୍ତି। ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ତୃତୀୟ ଭାଷାରେ ୧୦୮ଜଣ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୦ଜଣ ପରୀକ୍ଷାର୍ଥୀ ମାଲ୍ପ୍ରାକ୍ଟିସ୍ ହୋଇଥିବା ବେଳେ ମଧ୍ୟମା ପରୀକ୍ଷାରେ ଆଜି କୌଣସି ପରୀକ୍ଷାର୍ଥୀ ଏମ୍ପି ହୋଇନଥିବା ଜଣାପଡ଼ିଛି। କିନ୍ତୁ ମାଟ୍ରିକ୍ର ତୃତୀୟ ଭାଷା ପରୀକ୍ଷାରେ କିଛି ପରୀକ୍ଷାର୍ଥୀ ହିନ୍ଦୀ ଓ ସଂସ୍କୃତ ବିଷୟକୁ ଅଦଳବଦଳ କରିଥିବା ସୂଚନା ମିଳିଛି। ସେହିପରି ୧୯ତାରିଖ ପ୍ରଥମ ଦିନ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷାରେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ର ଚମ୍ପେଶ୍ବର ହାଇସ୍କୁଲ(ନରସିଂହପୁର), କେ.ଏମ୍. ବିଦ୍ୟାପୀଠ (ନିଶ୍ଚିନ୍ତକୋଇଲି), ଆଚାର୍ଯ୍ୟ ହରିହର ବିଦ୍ୟାପୀଠ(ଉତ୍ତମାପୁର, ସଦର), ଏସ୍ଏସ୍କେ ବିଦ୍ୟାପୀଠ(କାଳିଆଘାଈ, ନିଆଳି), ଏ.ଏନ୍ ହାଇସ୍କୁଲ (ଆଠଗଡ଼)ରେ ପରୀକ୍ଷାର୍ଥୀମାନେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହି ପାଇଁ ୨୨ତାରିଖ ମୁକ୍ତବିଦ୍ୟାଳୟ ପରୀକ୍ଷାକୁ ମାର୍ଚ ୨ତାରିଖକୁ ଘୁଞ୍ଚାଇ ଦିଆଯିବା ସହିତ ବୋର୍ଡ ସଂପାଦକ ଏସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍ପିଙ୍କୁ ପତ୍ର ଲେଖିଥିଲେ। ଆଜି ଏସବୁ କେନ୍ଦ୍ରରେ ଓପନ୍ ସ୍କୁଲ ପରୀକ୍ଷା ଠିକ୍ ଭାବେ ଚାଲିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏସଂକ୍ରାନ୍ତରେ ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ରାଜ୍ୟର ସବୁ କେନ୍ଦ୍ରରେ ତୃତୀୟ ମାଟ୍ରିକ୍ ପରୀକ୍ଷା ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି। କେଉଁଠି କିଛି ବି ବିଶୃଙ୍ଖଳା ହୋଇ ନ ଥିବା ଜଣାପଡ଼ିଛି।