ମାଟ୍ରିକ ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ : ତ୍ରୁଟି ଥିଲେ ଗ୍ରେସ୍‌ ମାର୍କ ମିଳିବ ବୋଲି କହିଲେ ପରୀକ୍ଷା ନିୟନ୍ତ୍ରକ

କପି କରି ଧରାପଡ଼ିଲେ ୧୮୮

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚାଲିଥିବା ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ୍) ପରୀକ୍ଷାର ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ହୋଇଥିବା ମାଟ୍ରିକ୍‌ର ଗଣିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ଅନେକ କେନ୍ଦ୍ରରେ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। କିନ୍ତୁ ହଲ୍‌ରେ ଥିବା ପରୀକ୍ଷକ ଓ କେନ୍ଦ୍ର ସୁପରିଟେନ୍‌ଣ୍ଡେଣ୍ଟଙ୍କ ହସ୍ତକ୍ଷେପ ଫଳରେ ପରୀକ୍ଷା ଠିକ୍‌ଠାକ୍‌ ଚାଲିଥିବା ସୂଚନା ମିଳିଛି। ପ୍ରଶ୍ନପତ୍ରରେ ତ୍ରୁଟି ଜଣାପଡ଼ିବା ପରେ ତାହାର ଯାଞ୍ଚ କରାଯାଇ ପିଲାଙ୍କୁ ଗ୍ରେସ୍‌ ମାର୍କ ଦିଆଯିବ ‌ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍‌) ଗଣିତ ଅବ୍‌ଜେକ୍ଟିଭ୍(ପାର୍ଟ-୧) ପ୍ରଶ୍ନପତ୍ରର ସେଟ୍‌-ସି ଓ ସେଟ୍‌-ଡି ର ‘କ’ ସ୍ତମ୍ଭ- ‘ଖ’ ସ୍ତମ୍ଭ ମିଳନରେ ଅନେକ ତ୍ରୁଟି ରହିଥିବା ପରୀକ୍ଷାର୍ଥୀମାନେ ଅଭ‌ିଯୋଗ କରିଛନ୍ତି। ସ୍ତମ୍ଭ ମିଳନରେ ସେଟ୍‌-‘ଡି’ରେ ପାଖାପାଖି ୨ଟି ତ୍ରୁଟି ରହିଥିବା ବେଳେ ସେଟ୍‌-‘ସି’ ସେହି ସ୍ତମ୍ଭ ମିଳନରେ ୫ଟି ତ୍ରୁଟି ରହିଥିବା ପରୀକ୍ଷାର୍ଥୀମାନେ କହିଛନ୍ତି। ସାଲେପୁର ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା‌ ଦେଉଥିବା ସାଲେପୁର ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଜଣେ ମେଧାବୀ ଛାତ୍ରୀ ଅର୍ପିତା ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଗଣିତରେ ତାଙ୍କର ସେଟ୍‌-ସି ପଡ଼ିଥିଲା। ସେଟ୍‌-ସି ପାର୍ଟ-୧ ଅବ୍‌ଜେକ୍ଟିଭ୍‌ର ୯ନମ୍ବର ପ୍ରଶ୍ନରେ ଜ୍ୟାମିତିରୁ ସ୍ତମ୍ଭ ମିଳନ କରିବାକୁ ୫ଟି ପ୍ରଶ୍ନ ଆସିଥିଲା। ‘କ’ ସ୍ତମ୍ଭରେ ଯେଉଁ ୫ଟି ପ୍ରଶ୍ନ ଆସିଥିଲା ଏହାର ଉତ୍ତର କାଢ଼ିବା ‌ପରେ ‘ଖ’ ସ୍ତମ୍ଭରେ ରହିଥିବା ଉତ୍ତର ସହିତ ଆଦୌ ମେଳ ଖାଉ ନଥିଲା ବୋଲି ଛାତ୍ରୀ ଅର୍ପିତା କହିଛନ୍ତି। ‘ଖ’ ସ୍ତମ୍ଭରେ ଥିବା ସମସ୍ତ ସମ୍ଭାବ୍ୟ ଉତ୍ତର ଭୁଲ ରହିଥିବା ଛାତ୍ରୀ ଅର୍ପିତା ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପିଲାମାନେ ଇନ୍‌ଭିଜିଲେଟରଙ୍କୁ ଜଣାଇବା ପରେ ସେମାନେ ପରୀକ୍ଷା ଦେବାକୁ ପରାମର୍ଶ ଦେବା ସହିତ ଭୁଲ ଥିଲେ ଗ୍ରେସ୍‌ ମିଳିବ ବୋଲି କହି ପିଲାମାନଙ୍କୁ ବୁଝାଇଥିଲେ।

ବୋର୍ଡର ଜଣେ ଗଣିତ ଏକ୍ସପାର୍ଟ କହିବା ଅନୁସାରେ, ସେଟ୍‌-ସିରେ କ-ସ୍ତମ୍ଭ ଓ ଖ-ସ୍ତମ୍ଭ ମିଳିନରେ ୩/୪ଟି ତ୍ରୁଟି ରହିଛି। ଏଥିସହିତ ସେଟ୍-ଡିରେ ସେହି ସ୍ତମ୍ଭ ମିଳନରେ ମଧ୍ୟ ଗୋଟିଏ/ଦୁଇଟି ତ୍ରୁଟି ଥିବା ସଂପକ୍ତ ଗଣିତ ଏକ୍ସପର୍ଟ କହିଛନ୍ତି। ଅନ୍ୟ ଦୁଇଟି ସେଟକୁ ସେ ଦେଖି ନଥିବା କହିଛନ୍ତି। ବୋର୍ଡ ନିୟମ ଅନୁସାରେ ଯେଉଁ ସେଟ୍‌ରେ ଯେତିକି ଭୁଲ ରହିଛି, ସେହି ସେଟ୍ ପାଇଥିବା ପରୀକ୍ଷାର୍ଥୀ ସଂପୃକ୍ତ ପ୍ରଶ୍ନକୁ କରିଥାଆନ୍ତୁ ବା ନ କରିଥାଆନ୍ତୁ, କିନ୍ତୁ ସେମାନେ ଗ୍ରେସ ପାଇବେ। ତେଣୁ ପରୀକ୍ଷାର୍ଥୀମାନେ ବିବ୍ରତ ନ ହୋଇ ଆଗକୁ ଥିବା ପରୀକ୍ଷାକୁ ସ୍ଥିର ମନରେ ଦିଅନ୍ତୁ ବୋଲି ସଂପୃକ୍ତ ବୋର୍ଡ ଏକ୍ସପାର୍ଟ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ ଏ ସଂକ୍ରାନ୍ତରେ କିଛି ଅଭିଯୋଗ ମିଳିନାହିଁ। ପିଲା ବା ଅଭିଭାବକଙ୍କ ଅଭିଯୋଗ ଆସିବା ପରେ ତ୍ରୁଟି ଅଭିଯୋଗ ହୋଇଥିବା ପ୍ରଶ୍ନପତ୍ରକୁ ଯାଞ୍ଚ କରାଯିବ। ତ୍ରୁଟି ଥ‌ିବା ଜଣାପଡ଼ିଲେ, ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ମିଳିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି କହିଛନ୍ତି।

ଆଜିର ପରୀକ୍ଷାରେ ମୋଟ ୨୪୩ ଜଣ ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ମାଟ୍ରିକ୍‌ର ଗଣିତ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୧୮୮ଜଣ, ମଧ୍ୟମାର ବିଜ୍ଞାନ ପରୀକ୍ଷାରେ ୩ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷାର ବିଜ୍ଞାନ ବିଷୟରେ ୫୨ଜଣ ପରୀକ୍ଷାର୍ଥୀ କପି କରି ଧରା ପଡି ମାଲ୍‌ପ୍ରାକ୍ଟିସ୍ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର