ମାଟ୍ରିକ୍ ପରୀକ୍ଷା: ପଞ୍ଚମ ଦିନରେ ୨୩୧ ମାଲ୍‌ପ୍ରାକ୍ଟିସ୍, ଗଣିତ ପ୍ରଶ୍ନପତ୍ର ତ୍ରୁଟି ସଂକ୍ରାନ୍ତରେ ଆଲୋଚନା ହେବ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ର ଶୁକ୍ରବାର ପଞ୍ଚମ ଦିନର ପରୀକ୍ଷା ରାଜ୍ୟର ସମସ୍ତ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭା‌ବେ ଶେଷ ‌ହୋଇଛି। ରାଜ୍ୟର କୌଣସି କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ୍‌ ବା କପିକୁ କେନ୍ଦ୍ର କରି ବଡ଼ ଧରଣର ବିଶୃଙ୍ଖଳା ହୋଇ ନ ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ସାଧାରଣ ବିଜ୍ଞାନ ବିଷୟ ରହିଥିବା ବ‌େଳେ ମାଧ୍ୟମା ପରୀକ୍ଷାର୍ଥୀଙ୍କ ଇଂରାଜୀ ଓ ମୁକ୍ତବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ସାମାଜିକ ବିଜ୍ଞାନ ବିଷୟ ରହିଥିଲା। ମାଟ୍ରିକ୍ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୨୩୧ଜଣ ଓ ମୁକ୍ତବିଦ୍ୟାଳୟରେ ୨୬ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଆଜି ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ସହଜ ରହିଥିବା ବେଳେ ସେଟ୍‌-ସି ସବ୍‌ଜେକ୍ଟିଭ୍ ପାର୍ଟରେ ‘ଚକ୍ଷୁ’ ସଂପର୍କିତ ‌୩ ମାର୍କ ବିଶିଷ୍ଟ ଗୋଟିଏ ପ୍ରଶ୍ନକୁ ନେଇ କିଛି ପରୀକ୍ଷାର୍ଥୀ ପାଠ୍ୟକ୍ରମ ବାହାର ପ୍ରଶ୍ନ ବୋଲି ଅଭିଯୋଗ ଉଠାଇଥିଲେ। ସେହିପରି ଗଣିତ ପରୀକ୍ଷା ଦୁଇଟି ସେଟ୍‌ ପ୍ରଶ୍ନପତ୍ରରେ ରହିଥିବା ତ୍ରୁଟି ସଂକ୍ରାନ୍ତରେ ବୋର୍ଡ କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ପରୀକ୍ଷା ସରିବା ପରେ ବୋର୍ଡ ପକ୍ଷରୁ ଏକ କଣ୍ଡକ୍ଟିଂ ବୋର୍ଡ ‌ବସିବ। ଏଥିରେ ବିଭିନ୍ନ ବିଷୟର ବିଶେଷଜ୍ଞମାନେ ବସି ପରୀକ୍ଷା ସଂକ୍ରାନ୍ତ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। କଣ୍ଡକ୍ଟିଂ ବୋର୍ଡରେ ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର