ପରୀକ୍ଷା କେନ୍ଦ୍ରରେ ପଶି ପାରିବେନି ସାମ୍ବାଦିକ, ଅନ୍ୟ ସ୍କୁଲର ଶିକ୍ଷକ

ବୋର୍ଡ ସଂପାଦକଙ୍କ କଡ଼ା ନିର୍ଦ୍ଦେଶ

କଟକ : ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ କେବଳ କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ମୋବାଇଲ୍‌ ଫୋନ୍‌ ନେଇପାରିବେ ନାହିଁ। କୌଣସି ପରିସ୍ଥିତିରେ ଗଣମାଧ୍ୟମର ପ୍ରତିନିଧି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ନାହିଁ। କେନ୍ଦ୍ରର ମୁଖ୍ୟ ଗେଟ୍‌ ନିକଟରେ ରହି ସେମାନେ ପରୀକ୍ଷା ସଂପର୍କିତ ତଥ୍ୟ ସଂଗ୍ରହ କରିବେ। ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ଅନ୍ୟ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ବି ମୁଖ୍ୟ ଗେଟ୍‌ରେ ରହି ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଚିହ୍ନାଇବେ ଏବଂ ସେହିଠାରୁ ଫେରି ଯିବେ। ଏଭଳି କଡା ନିର୍ଦ୍ଦେଶନାମା ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)।

ବୋର୍ଡର ସଂପାଦକଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଏ ସଂପର୍କିତ ନିର୍ଦ୍ଦେଶନାମା ପଠାଯାଇଛି। ଏହି ନିର୍ଦ୍ଦେଶାନାମା ଖିଲାପ ହେଲେ ଅଥବା ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ବିଭ୍ରାଟ ଦେଖାଗଲେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡର ସଂପାଦକ ସ୍ପଷ୍ଟ କରିଛନ୍ତି। ବୋର୍ଡ ସଂପାଦକଙ୍କ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ନେବା ଉପରେ ପୂର୍ବରୁ କଟକଣା ଜାରି କରାଯାଇଥିଲେ ବି ତାହାକୁ ଠିକ ଢଙ୍ଗରେ ପାଳନ କରାଯାଉ ନଥିବା ଘଟଣା ସାମନାକୁ ଆସିଛି। ତେଣୁ ଆଗକୁ ଯେଭଳି ଏ କ୍ଷେତ୍ରରେ ତ୍ରୁଟି ଦେଖା ନଯାଏ, ସେ ଦିଗରେ କେନ୍ଦ୍ର ଅଧୀକ୍ଷକମାନେ ସତର୍କ ରହିବେ।

ସୂଚନାଯୋଗ୍ୟ ଯେ ଗତକାଲି ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍‌ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଥିଲାବେଳେ କେନ୍ଦ୍ର ଭିତରୁ କେହି ଏହାକୁ ମୋବାଇଲ୍‌ରେ ଫଟୋ ଉଠାଇ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଥିବା ସନ୍ଦେହ କରାଯାଇଥିଲା। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ନିଆଯିବା ଉପରେ ପୂର୍ବରୁ ରହିଥିବା କଟକଣାକୁ କଡ଼ାକଡିଭାବେ ପାଳନ କରାଯିବାକୁ ବୋର୍ଡ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧିତ ଖବର