ମାତୃଭାଷା ବିଷୟର ତଦନ୍ତ କଲା କ୍ରାଇମ୍ବ୍ରାଞ୍ଚ
ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍
ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଉପରେ ଲାଗୁନି ରୋକ। ପୂର୍ବରୁ ୩ଟି ବିଷୟର ପ୍ରଶ୍ନପତ୍ର ଭାଇରାଲ୍ ହୋଇସାରିଥିବା ବେଳେ ଗତକାଲି ପୁଣିଥରେ ଭାଇରାଲ୍ ହୋଇଛି ବିଜ୍ଞାନ ବିଷୟ ପ୍ରଶ୍ନପତ୍ର। ପରୀକ୍ଷା ଚାଲିଥିବା ବେଳେ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ପରେ ଗୋଟିଏ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ରେ ଡେଇଁ ଚାଲିଥିଲା ପ୍ରଶ୍ନପତ୍ର। ଘଟଣା ପ୍ରଘଟ ପରେ ବ୍ଲକ୍ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ। ପରୀକ୍ଷକଙ୍କ ମୋବାଇଲ୍କୁ ଜବତ କରି ଯାଞ୍ଚ କରିଥିଲେ।
କୌଣସି ସୁରାକ୍ ମିଳି ନ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘଟଣାକୁ ରୋକଠୋକ୍ ଖଣ୍ଡନ କରିଥିଲେ। କହିଥିଲେ, ପ୍ରଶ୍ନପତ୍ର ଭାଇରାଲ ନେଇ ଗୁଜବ କରାଯାଉଛି। ଏଥିରେ କୌଣସି ସତ୍ୟତା ନାହିଁ। ବଦନାମ କରିବାକୁ କେତେକ ସ୍ଥାନରେ ଏଭଳି ଚକ୍ରାନ୍ତ ହେଉଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପ୍ରଥମ ଥର ଲାଗି ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି ସଫେଇ ଦେଇ ନ ଥିଲେ। ଯେତେଥର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ମନ୍ତ୍ରୀଙ୍କ ମୁହଁରେ ସେହି ଗୋଟିଏ ଉତ୍ତର ମିଳୁଛି। ଘଟଣାର ସତ୍ୟତା ନାହିଁ। ବଦନାମ କରାଯାଉଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରକୃତ କାରଣ ଖୁବ୍ଶୀଘ୍ର ପଦାକୁ ଆସିବ ବୋଲି ମନ୍ତ୍ରୀ କହିଥିଲେ।
ଇତି ମଧ୍ୟରେ ପରୀକ୍ଷା ସରିବାକୁ ବସିଲାଣି। ଆଉ ଗୋଟିଏ ଦିନ ବାକି ରହିଛି। ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ। ପ୍ରଥମ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚର ଦୁଇ ଜଣିଆ ଟିମ୍ ସେଠାକୁ ଯାଇ ତଦନ୍ତ କରିଥିଲେ। କିନ୍ତୁ ଏହି ଘଟଣା ପରେ ଆଉ ୩ଟି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରକାର ତଦନ୍ତ କରାଯାଇ ନାହିଁ। କୌଣସି ଜିଲ୍ଲାକୁ ବି ଗସ୍ତ କରି ନ ଥିବା ଜଣାପଡ଼ିଛି। ତେଣୁ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଆଗକୁ ବଢ଼ିବ ନା ସେଇଠି ହିଁ ସୀମିତ ହୋଇ ରହିଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଶିକ୍ଷାବିତ୍ଙ୍କ ମତରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲାଗି କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଆଉ ଯେପରି ପ୍ରଶ୍ନପତ୍ର ଭାଇରାଲ୍ ନ ହେବ ତାହାକୁ ଦୃଷ୍ଟିରେ ରଖି ତଦନ୍ତ କରିବାକୁ କୁହାଯାଇଥିଲା। ପରୀକ୍ଷା କେନ୍ଦ୍ର ପ୍ରବେଶ ଉପରେ ବି କଟକଣା ଲାଗୁ ହୋଇଥିଲା। କିନ୍ତୁ ଏତେ ସବୁ ପରେ ବି ଏହା ବନ୍ଦ ହେଲା ନାହିଁ। ତେଣୁ କ୍ରାଇମ୍ବ୍ରାଞ୍ଚର ତଦନ୍ତର କୌଣସି ପ୍ରକାର ସୁଫଳ ମିଳିବା ପରି ମନେ ହେଉନି। ପୂର୍ବରୁ ମଧ୍ୟ ଅନେକ ସମୟରେ ଦେଖାଯାଇଛି ଯେ ମାଟ୍ରିକ୍, ଯୁକ୍ତ୨, ବିପିୟୁଟି ପ୍ରଶ୍ନପତ୍ର ଲିକ୍ ସମୟରେ ବି କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଯାଇଛି। ଏକାଧିକ କମିଟି ଗଠନ କରାଯାଇ ତଦନ୍ତ ହୋଇଛି। କିନ୍ତୁ କୌଣସି ବି ସୁଫଳ ମିଳି ପାରି ନାହିଁ। ପରୀକ୍ଷା ଚାଲିଥିବା ସମୟରେ ହିଁ ତଦନ୍ତ କରାଯାଏ। ଏହାପରେ କେତେଜଣ ଅଭିଯୁକ୍ତ ଧରାହେଲେ କାହାରି ପାଖରେ ତଥ୍ୟ ନ ଥାଏ। ଏଥର ବି ସେଭଳି ହେବା ପରି ଲାଗୁଛି।