କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ), ମଧ୍ୟମା ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଓପନ୍ ସ୍କୁଲ) ଆଜିଠାରୁ ଆରମ୍ଭ ହୋଇଛି। ଆଜି ମାଟ୍ରିକ୍ର ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଥିଲା। ଓଡ଼ିଆ ପ୍ରଶ୍ନପତ୍ରର ସମସ୍ତ ପ୍ରଶ୍ନ ପାଠ୍ୟକ୍ରମ ମଧ୍ୟରୁ ଆସିଥିଲା ଓ ସହଜ ଥିବାରୁ ଏଥିରେ ପ୍ରାୟ ସବୁ ପରୀକ୍ଷାର୍ଥୀ ସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି। ବୋର୍ଡର ନିର୍ଦ୍ଦେଶ ଅନୁସାରେ, ଆଜିର ପ୍ରାୟ ସମସ୍ତ କେନ୍ଦ୍ର ସକାଳ ସାଢ଼େ ୭ଟାରେ ଖୋଲିଥିବା ବେଳେ ପରୀକ୍ଷାର୍ଥୀମାନେ ସକାଳ ୮ଟା ପରେ ପ୍ରବେଶ କରିଥିଲେ। ପ୍ରତି ପରୀକ୍ଷା କେନ୍ଦ୍ରର ମୁଖ୍ୟ ପାଠକ ପାଖରେ ପରୀକ୍ଷାର୍ଥଙ୍କୁ ଯାଞ୍ଚ କରାଯାଇଥିବା ବେଳେ ପରୀକ୍ଷାର୍ଥୀ ନେଇଥିବା ଆଡମିଟ୍ କାର୍ଡ, ପେନ୍, ସ୍ବଚ୍ଛ ପାଉଚ୍(ଟ୍ରାନ୍ସପରେଣ୍ଟ) ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀକୁ ମୁଖ୍ୟ ପାଠକ ପାଖରେ ଜବତ କରାଯାଇଥିଲା।
ପରୀକ୍ଷା ଚାଲିଥିବା ବେଳେ ଅଧିକାଂଶ ସେଣ୍ଟରରେ ଇଣ୍ଟରନାଲ୍ ସ୍କ୍ବାଡ୍ ଦ୍ବାରା କପି ଯାଞ୍ଚ୍ କରାଯାଇଥିଲା। ବୋର୍ଡ ବ୍ୟବସ୍ଥା ଅନୁସାରେ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ଓ ୩୧୪ ନୋଡାଲ ସେଣ୍ଟରରେ ସିସି କ୍ୟାମେରା ଲାଗିଥିଲା। ଏହା ସହ ପରୀକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିଥିବା କମାଣ୍ଡ କଣ୍ଟ୍ରୋଲ୍ ରୁମକୁ ମଧ୍ୟ ସକାଳ ୭ଟାରୁ ଆରମ୍ଭ କରି ଦିନ ୧ଟା ପର୍ଯ୍ୟନ୍ତ ଉତ୍ତରଖାତା ପ୍ୟାକିଂ ଯାଏ କଡ଼ା ନଜର ଦିଆଯାଇଥିଲା। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, କମାଣ୍ଡ କଣ୍ଟ୍ରୋଲ ରୁମ୍ରେ ବୋର୍ଡ କର୍ମଚାରୀ ଓ ବୈଷୟିକ ବିଶେଷଜ୍ଞଙ୍କୁ ମିଶାଇ ପ୍ରାୟ ୫୦ଜଣ ନିୟୋଜିତ ହୋଇଥିଲେ। ଏହି କଣ୍ଟ୍ରୋଲ୍ ରୁମ୍ ଜରିଆରେ ୬୦୦ କେନ୍ଦ୍ରକୁ ପର୍ଯ୍ୟବେକ୍ଷଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ନିଜରକୁ ଆସି ନ ଥିବା ସୂଚନା ମିଳିଛି। ବୋର୍ଡ ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ ମାଟ୍ରିକ୍ ପରୀକ୍ଷାରେ ମାତ୍ର ୪ଜଣ କପି କରି ଧରାପଡ଼ିଛନ୍ତି।
ପ୍ରଶ୍ନପତ୍ରରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା ପାଇଁ ପ୍ରଶ୍ନପତ୍ର ଭାଇରାଲ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟେ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାଟ୍ରିକରେ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ଗଞ୍ଜାମ ଓ ନବରଙ୍ଗପୁର ଭଳି ଜିଲ୍ଲାରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୩୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଛି। ପ୍ରଶ୍ନପତ୍ର ସଂରକ୍ଷଣ ପାଇଁ ୨୧ଟି ଥାନା ସମେତ ୩୧୪ଟି ନୋଡାଲ ସେଣ୍ଟର ରହିଛି।