ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷା ସମୟରେ ପୁଲିସ ପ୍ରହରାକୁ ବଢ଼ାଯିବ। ଉତ୍ତେଜନାପ୍ରବଣ କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ ସହ ପରୀକ୍ଷା କେନ୍ଦ୍ର ଚାରିପାଖରେ ଲୋକଙ୍କ ଭିଡ଼ ରୋକିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ଏହାବ୍ୟତୀତ ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ଶିକ୍ଷକମାନେ ମୋବାଇଲ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ୍ ନେଇଥିବାର ଦୃଷ୍ଟିକୁ ଆସେ ତାଙ୍କୁ ଗିରଫ କରାଯିବ। ପରୀକ୍ଷା ସମ୍ବନ୍ଧୀୟ ଗୋପନୀୟ କାଗଜପତ୍ର ପରିବହନ, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା କରିବା ସହ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ-୧୯୮୮ ଅନୁଯାୟୀ ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ ଓ ବିଶ୍ବସନୀୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଚଳିତବର୍ଷ ୨୮୮୮ଟି ପରୀକ୍ଷର କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୬୦୫ ଜଣ ମାଟ୍ରିକ୍ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ୫ ଲକ୍ଷ ୪୭ ହଜାର ୭୬୧ ଜଣ ହାଇସ୍କୁଲ, ୯ ହଜାର ୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩ ହଜାର ୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ୩୦୭ଟି ନୋଡାଲ ସେଣ୍ଟର ଓ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ପ୍ରଶ୍ନପତ୍ର ପରିବହନ ପାଇଁ ୬୩୧ ଡେସ୍ପାଚ୍ ଟିମ୍ ଗଠନ ହୋଇଛି। ପ୍ରଥମ ପର୍ଯ୍ୟାୟ ଡେସ୍ପାଚ୍ ହୋଇସାରିଥିବା ବେଳେ ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ଡେସ୍ପାଚ୍ ଆରମ୍ଭ ହୋଇଛି। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇ ସ୍କ୍ବାଡ୍ ଓ ପରିଷଦସ୍ତରରେ ୪୪ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ଫେବ୍ରୁଆରି ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହେବ। ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଉତ୍ତେଜନା ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ୧୭ ତାରିଖ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇଯିବ। ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଶୃଙ୍ଖଳିତ କରିବା ପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ(ଏସ୍ପି) ଓ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାନ୍ସିସ୍ ହାଜରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/exam_students_mp_board_social.jpg)