ମାଟ୍ରିକ ପରୀକ୍ଷା : ଦ୍ବିତୀୟ ଦିନ‌ରେ ୧୧୦ ଏମ୍‌ପି

ମନ୍ତ୍ରୀଙ୍କ ପରିଦର୍ଶନ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଶିକ୍ଷକଙ୍କ ଦରମା ବନ୍ଦ
କାମାକ୍ଷାନଗରରେ ଉତ୍ତେଜନା, ନିଆଳିରେ ଦୁଇ ଶିକ୍ଷକ ହାତାହାତି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍‌)ର ଶୁକ୍ରବାର ଦିନ ଦ୍ବିତୀୟ ଭାଷା ଇଂରାଜୀ ଓ ମଧ୍ୟମାର ପ୍ରୟୋଗାତ୍ମକ ସଂସ୍କୃତ ବିଷୟ ପରୀକ୍ଷା ଅନୁଷ୍ଠିତ ହୋଇଛି। ଇଂରାଜୀ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୧୦୯ଜଣ ଓ ମଧ୍ୟମା ପରୀକ୍ଷାରେ ଜଣଙ୍କୁ ମାଲ୍‌ପ୍ରାକ୍ଟିସ୍ କରାଯାଇଛି। ଆଜି ମୋଟାମୋଟି ଭାବେ ରାଜ୍ୟରେ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିଲେ ବି କାମାକ୍ଷାନଗରରେ ଏକ କେନ୍ଦ୍ରରେ ଅଭିଭାବକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ଘଟଣା ସାମନାକୁ ଆସିଛି। ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ଏ ସଂପର୍କରେ ଅବଗତ ହେବା ପରେ ସେ ସଂପୃକ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ମିଳିଲା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିଭଳି ନିଆଳିର ସିଠାଳୋ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦାୟିତ୍ବକୁ ନେଇ ଦୁଇ ଜଣ ଶିକ୍ଷକ ହାତାହାତି, ପରସ୍ପରର ସାର୍ଟ ଫାଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିବା ବେଳେ ଏହାକୁ ନେଇ କୌଣସି ରପୋର୍ଟ ହୋଇ ନଥିବା ଜଣା ପଡିଛି।

ଆଜି ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଟକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ସମେତ କିଛି ସ୍କୁଲ ପରିଦର୍ଶନ କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋ ୟୁପି ସ୍କୁଲ ଓ ପ୍ରତାପନଗରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସକାଳ ସାଢ଼େ ୧୦ଟା ହୋଇଥିବା ବେଳେ ଅରିଲୋ ୟୁପି ସ୍କୁଲ ଶିକ୍ଷକ ଶ୍ରୀରାମ ଖୌରିଆ ଓ ପ୍ରତାପନଗରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷିକା ଦୀପାଞ୍ଜଳି ସାମନ୍ତରାୟ ଅନୁପସ୍ଥିତ ଥିବା ଗଣଶିକ୍ଷାମନ୍ତ୍ରୀ ଜାଣିବାକୁ ପାଇଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଦାଶ ଉଭୟ ଶିକ୍ଷକଙ୍କ ଫେବ୍ରୁଆରି ମାସ ଦରମା ବନ୍ଦ ପାଇଁ ଆଦେଶ ଦେଇଛନ୍ତି। କଟକ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା କହିବା ଅନୁଯାୟୀ ଉଭୟ ଶିକ୍ଷକ କର୍ତ୍ତବ୍ୟରେ ଅବହେଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗଣଶିକ୍ଷାମନ୍ତ୍ରୀ ଉଭୟଙ୍କ ଫେବ୍ରୁଆରି ମାସ ଦରମାକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର