ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଆଜି କପି କରି ୯ଜଣ ଏମ୍ପି ହୋଇଥିବା ଜଣାପଡ଼ିଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ବାରବାଟିଆ ସ୍ଥିତ ଯଦୁନାଥ ନୋଡାଲ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨ ଜଣ ପରୀକ୍ଷାର୍ଥୀଙ୍କୁ ଏମ୍ପି କରାଯାଇଥିବା ବେଳେ ସରସ୍ବତୀପୁରସ୍ଥିତ ଆରଏନ୍ ଏକାଡେମୀ ପରୀକ୍ଷାକେନ୍ଦ୍ରରେ ୩ ଜଣ ଓ ଦହମୁଣ୍ଡା ନୋଡାଲ ହାଇସ୍କୁଲ କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡ଼ି ଏମ୍ପି ହୋଇଛନ୍ତି।
ଅନୁରୂପ ଭାବେ ଖଇରା ବ୍ଲକ ପଳାସପୁର ହାଇସ୍କୁଲ ପରୀକ୍ଷାକେନ୍ଦ୍ର ଏବଂ ବସ୍ତା ବ୍ଲକ ଅନ୍ତର୍ଗତ କୋଠିଆର ରାଇମଣି ହାଇସ୍କୁଲ ପରୀକ୍ଷାରେ କେନ୍ଦ୍ର ଜଣେ ଲେଖାଏଁ ପରୀକ୍ଷାର୍ଥୀ ଏମ୍ପି ହୋଇଛନ୍ତି। ଆଜି ବିଜ୍ଞାନ ବିଷୟ ଥିବାବେଳେ ପରୀକ୍ଷା ତଦାରଖ କରିବା ପାଇଁ ୩ଟି ସ୍କ୍ବାଡ୍ ଟିମ୍ ନିୟୋଜିତ ହୋଇଥିଲେ। ଗତ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ୩ ଜଣ, ଦ୍ବିତୀୟ ଦିନ ୬ ଜଣ, ତୃତୀୟ ଦିନ ୩ ଜଣ ଓ ଚତୁର୍ଥ ଦିନ ଜଣେ ଏମ୍ପି ହୋଇଥିଲେ। ତେବେ ଆଜିକୁ ମିଶାଇଲେ ମୋଟ୍ ୨୨ ଜଣ ମାଟ୍ରିକ ପରୀକ୍ଷାର୍ଥୀ ଜିଲ୍ଲାରେ ଏମ୍ପି ହୋଇ ସାରିଲେଣି। ଜିଲ୍ଲାରେ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।