ମାଟ୍ରିକ୍‌ ପରୀକ୍ଷା ବାତିଲ୍, ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ମିଳିବ ମାର୍କ

ମଦ୍ରା‌ସା ବୋର୍ଡ ପରୀକ୍ଷା ବି ବାତିଲ୍‌ କରାଗଲା

ଭୁବନେଶ୍ବର : ବାତିଲ୍‌ ହେଲା ମାଟ୍ରିକ୍‌ ପରୀକ୍ଷା। ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌ କରାଯିବା ପରେ ରାଜ୍ୟ ସରକାର ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସିବିଏସ୍‌ଇ ଢାଞ୍ଚାକୁ ଅନୁକରଣ କରି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଉକ୍ତ ଆଧାରରେ ଦିଆଯାଇଥିବା ମାର୍କରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ କୋଭିଡ୍‌ ସ୍ଥିତିରେ ସୁଧାର ଆସିଲେ କିମ୍ବା ପରୀକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେଲେ ସେମାନେ ପରୀକ୍ଷା ଦେଇପାରିବେ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀଙ୍କ ଘୋଷଣା ପରେ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍‌-୧୯ ମହାମାରୀର ଅତ୍ୟଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଅଂଶୀଦାରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲା। ସେହି ଆଧାରରେ ମେ’ ୩ରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ତଥା ମାଟ୍ରିକ୍‌ ପରୀକ୍ଷାକୁ ବାତିଲ୍‌ କରାଗଲା। ଏଥିସହ ମେ’ ୧୮ରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ପରୀକ୍ଷା ବି ବାତିଲ୍‌ କରାଯାଇଛି। ଉକ୍ତ ବୋର୍ଡଗୁଡ଼ିକ ଦ୍ବାରା ନିର୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀ ଅସମ୍ମତି ପ୍ରକାଶ କରିବେ ସେମାନଙ୍କ ଲାଗି ପରବର୍ତୀ ପର୍ଯ୍ୟାୟରେ ତଥା କୋଭିଡ୍‌ ସଂକ୍ରମଣ କମିବା ପରେ ବୋର୍ଡଗୁଡ଼ିକ ଦ୍ବାରା ନିର୍ଧାରିତ ଦିବସରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଉକ୍ତ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ମଦ୍ରାସା ବୋର୍ଡ ଅଧୀନରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ଓଡ଼ିଶା ରାଜ୍ୟ ମଦ୍ରାସା ବୋର୍ଡର ସଭାପତି ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶକ ପଦକ୍ଷେପ ନେବେ।

ତେବେ ଯୁକ୍ତ୨ ପରୀକ୍ଷାରେ କୌଣସି ପରିବର୍ତନ କରାଯାଇ ନାହିଁ। ପୂର୍ବ ନିଷ୍ପତ୍ତି ବଳବତ୍ତର ରହିଛି। ବର୍ତମାନ ସମୟରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା କରାଯିବ। ଯେବେ ବି ପରୀକ୍ଷା ହେବ ତାହାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଜୁନ୍‌ ପ୍ରଥମ ସପ୍ତାହରେ ଏବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ବର୍ତମାନ ସମୟ ତଥା ୨୦୨୦-୨୧ ବ୍ୟାଚ୍‌ରେ ୯ମ ଓ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରମୋସନ ଦିଆଯାଉଛି। ସେମାନଙ୍କୁ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆଉ କ୍ଲାସରୁମ୍‌ ପାଠପଢ଼ା ହେବ ନାହିଁ। ଯେଉଁଠାରେ ସମ୍ଭବ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିବ। ସମସ୍ତ ହଷ୍ଟେଲକୁ ବନ୍ଦ କରି ଦିଆଯାଇଛି। କେହି ବି ଛାତ୍ରଛାତ୍ରୀ ହଷ୍ଟେଲରେ ରହିବେ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ। ତେବେ ସିବିଏସ୍‌ଇ ଅଧୀନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଗତ ୧୪ ତାରିଖରେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀ ଆଧାରରେ ପଦକ୍ଷେପ ନେବେ। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ଶିକ୍ଷାନୁଷ୍ଠାନ ଓ ତାଲିମ ପ୍ରତିଷ୍ଠାନରେ ଏହି ନିୟମଗୁଡ଼ିକ କଡ଼ାକଡ଼ି ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର