ମାଟ୍ରିକ୍‌ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା : କପି ଧରା ହେବ କଡ଼ାକଡ଼ି

ଅବସରପ୍ରାପ୍ତ ଶିକ୍ଷକ ରହିବେନି ପରୀକ୍ଷା ନିରୀକ୍ଷକ
ସ୍କୁଲ୍‌ଠାରୁ ୧୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର
୨୯୧୯ ପରୀକ୍ଷା କେନ୍ଦ୍ରରେ ୬,୦୮,୦୫୩ ପରୀକ୍ଷାର୍ଥୀ
୩୦୨ ନୋଡାଲ ସେଣ୍ଟର, ୫୭ଟି ମୂଲ୍ୟାୟନ କେନ୍ଦ୍ର
ପରୀକ୍ଷାର ଦିନକ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର, ଉତ୍ତର ଖାତା

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି। ଫେବ୍ରୁଆରି ୨୩ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହାପୂର୍ବରୁ ପରୀକ୍ଷା ପରିଚାଳନା, କପି ରୋକିବା, ପ୍ରଶ୍ନପତ୍ର ଓ ଉତ୍ତର ଖାତାର ସୁରକ୍ଷା ନେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଆଲୋଚନା କରିଛନ୍ତି।

ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢ଼ାଇବାକୁ କୁହାଯାଇଛି। ନିୟମ ଅନୁଯାୟୀ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦେବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି। ଏଥିସହ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବା ପାଇଁ ସମସ୍ତ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ନ କରିବାକୁ ନିଷ୍ପତ୍ତି ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଚଳିତବର୍ଷ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ନାହିଁ। ବିଦ୍ୟାଳୟଠାରୁ ୧୦ କି.ମି. ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏବର୍ଷ ୬,୦୮,୦୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦର ୫,୯୦,୩୬୦, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩,୯୭୮ ଓ ମଧ୍ୟମାର ୩,୭୧୫ ଛାତ୍ରଛାତ୍ରୀ ରହିଛନ୍ତି। ଏଥର ୨୯୧୯ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପରୀକ୍ଷା ପରିଚାଳନା ପାଇଁ ୩୦୨ଟି ନୋଡାଲ ସେଣ୍ଟର ହୋଇଛି। ସାରା ରାଜ୍ୟରେ ୫୭ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ପ୍ରତି କେନ୍ଦ୍ର ବିଷୟରେ ପରିଷଦର ଓ୍ଵବସାଇଟ୍‌ରେ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ବି ଓ୍ଵବସାଇଟ୍‌ରେ ପଠାଯାଇଛି। ଏଥିସହ ପିଲାଙ୍କୁ ଛାପା ଆଡମିଟ୍‌ କାର୍ଡ ବିଦ୍ୟାଳୟଗୁଡ଼ିକୁ ଆଜିଠାରୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ବିଜେପୁରରେ ହେଉଥିବା ଉପନିର୍ବାଚନ ଲାଗି ବରଗଡ଼ ଜିଲ୍ଲାରେ ମାତ୍ର ୭ଟି ପରୀକ୍ଷା କେନ୍ଦ୍ରରେ ୧୩ଟି ନିର୍ବାଚନ ବୁଥ୍‌ ହୋଇଛି। ସେଠାରେ ପରୀକ୍ଷା କିଭଳି ସୁପରିଚାଳିତ ହେବ ସେ ସମ୍ପର୍କରେ ଶ୍ରୀ ମହାପାତ୍ର ବରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଇଥିଲେ।

ପରିଷଦର ସଭାପତି ଜାହାନାରା ବେଗମ୍‌ କହିିଲେ ଚଳିତବର୍ଷ ପ୍ରତି ବିଷୟରେ ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ପ୍ର୍ରଶ୍ନୋତ୍ତର ନିମନ୍ତେ ଓଏମ୍‌ଆର୍‌ ସିଟ୍‌ ବ୍ୟବହାର କରାଯିବ। ଅବିଶିଷ୍ଟ ୫୦ ମାର୍କ ଲାଗି ନିର୍ଦ୍ଧାରିତ ସ୍ଥାନ ଥିବା ପ୍ରଶ୍ନ ତଥା ଉତ୍ତର ଖାତା ଯୋଗାଇ ଦିଆଯିବ। ପ୍ରତି ଓଏମ୍‌ଆର୍‌ ସିଟ୍‌ରେ ବାର୍‌କୋର୍ଡ ନମ୍ବର ରହିବ। ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ରଖାଯିବ। ପରୀକ୍ଷାର ଦିନକ ପୂର୍ବରୁ ସେଠାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ।

ପ୍ରଶ୍ନପତ୍ର ଓ ଉତ୍ତର ଖାତା ନେବା ଆଣିବା ସମୟରେ କଡ଼ା ନିରାପତ୍ତା ବ୍ୟବସ୍ଥା କରିବା ଲାଗି ମୁଖ୍ୟ ଶାସନ ସଚିବ ଶ୍ର୍ରୀ ପାଢ଼ୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ପୁଲିସ ଆଇଜି ଅମିତାଭ୍‌ ଠାକୁର, ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ରାମାଶିଷ ହାଜରାଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର