ଫେବ୍ରୁଆରି ୨୨ରୁ ମାଟ୍ରିକ୍ ପରୀକ୍ଷା ! ଏକକାଳୀନ ହେବ ମାଟ୍ରିକ୍, ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା

କଟକ: ହାଇସ୍କୁଲ ସାର୍ଟି‌ଫ‌ିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୦) ଆସନ୍ତା ଫେବ୍ରୁଆରି ୨୨ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ମାଟ୍ରିକ୍ ପରୀକ୍ଷା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ଏକକାଳୀନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍‌ସା ତିଆରି ଚାଲିଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୧୧, ୧୨ ଓ ୧୩ ତାରିଖ ତିନିଦିନ ଧରି ବୋର୍ଡ ପରୀକ୍ଷା କମିଟି ବୈଠକ କଟକ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକୁ ଡିଇଓମାନଙ୍କ ସମେତ ପରୀକ୍ଷା କମିଟି ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। କଟକ ଓ ବାଲେଶ୍ବର ଡିଇଓଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ ଯୋଗଦେଇ ନିଜ ନିଜ ଜିଲ୍ଲାର ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ତାଲିକା ବୋର୍ଡ ପାଖରେ ଦାଖଲ କରିଥିଲେ। କଟକ ଓ ବାଲେଶ୍ବର ଜିଲ୍ଲାର ପରୀକ୍ଷା କେନ୍ଦ୍ରର ତାଲିକା ବୋର୍ଡ ପାଖରେ ପହଞ୍ଚି ନଥିବାରୁ ଚୂଡାନ୍ତ କେନ୍ଦ୍ର ତାଲିକା ତିଆରି ହୋଇପାରି ନଥିବା ସୂଚନା ମିଳିଛି। ପରୀକ୍ଷା କମିଟି ବୈଠକ ଅନୁସାରେ ଆସନ୍ତା ଫେବ୍ରୁଆରି ୨୨ତାରିଖରୁ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଆଲୋଚନା ହୋଇଥିଲା। ପୂର୍ବବର୍ଷ ଭଳି ଆଉ ମାଟ୍ରିକ୍‌ ପରୀକ୍ଷାର ଅବ୍‌ଜେକ୍ଟିଭ୍ ପାର୍ଟରେ ୫୦ ନମ୍ବର ବିଶିଷ୍ଟ ଓଏମ୍‌ଆର୍‌ ପ୍ରଶ୍ନପତ୍ର ଆସିବ ନାହିଁ। ଏହା ବଦଳରେ ଚଳିତ ବ‌ର୍ଷ ସଂକ୍ଷିପ୍ତ ଉତ୍ତରମୂଳକ (୧ନମ୍ବର ବିଶିଷ୍ଟ) ୫୦ଟି ପ୍ରଶ୍ନ ଆସିବ ଯାହାର ଉତ୍ତର ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବୁକ୍‌ଲେଟରେ ଲେଖିବାକୁ ପଡ଼ିବ। କିନ୍ତୁ ପୂର୍ବବର୍ଷ ଭଳି ଏବର୍ଷ ଦୀର୍ଘ ଉତ୍ତରମୂଳକ ବିଭାଗ(ସବ୍‌ଜେକ୍ଟିଭ୍ ପାର୍ଟ) ପ୍ରଶ୍ନ ଆସିବ। ଏହି ଢାଞ୍ଚା ପରିବର୍ତ୍ତନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ଜୋର୍‌ଦାର୍‌ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୋର୍ଡର ଡେପୁଟି ସେକ୍ରେଟାରି, ଜିଲ୍ଲା ଶିକ୍ଷାଧିକାରୀ, ଏସ୍‌ପି, ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲାର ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହୋଇଥାଏ। ୧୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ସ୍କୁଲକୁ ପରୀକ୍ଷା କେନ୍ଦ୍ର କରିବାକୁ ନିୟମ ରହିଥିବା ବେଳେ ଚଳିତ ବର୍ଷ ୭୦ ପିଲା ପରୀକ୍ଷା ଦେଉଥିବା ସ୍କୁଲକୁ ମଧ୍ୟ କେନ୍ଦ୍ର କରାଯାଇଛି। ଦୂରତା ଦୃଷ୍ଟିରୁ ବୋର୍ଡ ପକ୍ଷରୁ କେନ୍ଦ୍ର ଚୟନରେ ଏପରି କୋହଳ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର