ଭୁବନେଶ୍ବର: ଏଥର ନିଜ ସ୍କୁଲରେ ହେବନି ମାଟ୍ରିକ୍‌ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ଅନ୍ୟ ‌ବିଦ୍ୟାଳୟରେ ହୋଇଥିବା କେନ୍ଦ୍ରରେ ପରୀକ୍ଷା ଦେବାକୁ ପଡ଼ିବ। ଏନେଇ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ସେଣ୍ଟର୍‌ ବିଷୟରେ ଅବଗତ କରାଯାଇଛି। କେଉଁ ବିଦ୍ୟାଳୟ ପିଲାଙ୍କର କେଉଁଠି ପରୀକ୍ଷା କେନ୍ଦ୍ର ହୋଇଛି, ତାହା ବି ଦର୍ଶାଯାଇଛି। ଗୋଟିଏ ପରୀକ୍ଷା କେନ୍ଦ୍ରରେ ଏକାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ବସି ପରୀକ୍ଷା ଦେବେ। କରୋନା କଟକଣା ମଧ୍ୟରେ ପରୀକ୍ଷା କରିବାକୁ କୁହାଯାଇଛି। ମାତ୍ର ମାଧ୍ୟମିକ ଶିକ୍ଷା‌ ପରିଷଦର ଏଭଳି ନିଷ୍ପତ୍ତିକୁ ନେଇ ବିରୋଧର ସ୍ବର ବଢ଼ିବାରେ ଲାଗିଛି। କେଉଁଠି ପରୀକ୍ଷା କେନ୍ଦ୍ର ଚୟନରେ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ଉଠିଲାଣି ତ ଆଉ ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତ୍ବ ରକ୍ଷା କରିବା ନେଇ ପ୍ରଶ୍ନ ଉଠିଛି।

Advertisment

ପରୀକ୍ଷା କେନ୍ଦ୍ରରେ ଏଭଳି ବିଭ୍ରାଟ ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସିନାହିଁ, ବରଂ ଖୋଦ୍‌ ରାଜଧାନୀରେ ସମସ୍ୟା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ୟୁନିଟ୍‌-୪ ଓ ନୂଆପଲ୍ଲୀ ଅଞ୍ଚଳରେ ଥିବା ଦୁଇଟି ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ପ୍ରଶାନ୍ତି ବିହାରରେ ପଡ଼ିଛି। ସ୍କୁଲଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ଗୁଗୁଲ୍‌ ମ୍ୟାପ୍‌ରେ ୧୨ କିମି ଦେଖାଉଛି। ଏନେଇ ଅଭିଭାବକମାନେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ଯଦି ପରିବର୍ତନ ନ ହୁଏ, ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ହୋଇଥିବା ଏକ ପରୀକ୍ଷା କେନ୍ଦ୍ରରେ ୨୦୦ ପିଲାଙ୍କ ବସିବା ଲାଗି ସୁବିଧା ଥିବା ବେଳେ ୪୦୦ ପିଲା ପରୀକ୍ଷା ଦେବାକୁ ସ୍ଥିର ହୋଇଛି। ଏଠାରେ କରୋନା କଟକଣା କିଭଳି ପାଳନ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗର ଉତ୍ତରରେ ଖୋର୍ଧା ଡିଇଓ ବିଶ୍ବନାଥ ତରାଇ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ରର ଦୂରତା ଠିକ୍‌ ରହିଛି। ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନଙ୍କ ଘରଠାରୁ ଦୂରତା ମାପିଥିବେ। କେବଳ ଭୁବନେଶ୍ବର ନୁହେଁ, ପୁରୀ ଜିଲ୍ଲା କାକଟପୁର ବ୍ଲକର ପିଲାଙ୍କ ପରୀକ୍ଷା କେନ୍ଦ୍ର ଅସ୍ତରଙ୍ଗ ବ୍ଲକରେ ହୋଇଛି। କୋରାପୁଟ ଜିଲ୍ଲାର ୫ରୁ ଅଧିକ ବିଦ୍ୟାଳୟରେ ଏଭଳି ସମସ୍ୟା ସାମ୍ନାକୁ ଆସିଛି। ଜୟପ୍ରକାଶ ହାଇସ୍କୁଲଠାରୁ ପରୀକ୍ଷା କେନ୍ଦ୍ରର ଦୂରତା‌ ୨୫ କିମି ହୋଇଥିବା ବେଳେ ଲାଖନାଗୁଡ଼ା ହାଇସ୍କୁଲଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ୧୫ କିମି ରହିଛି।

ସେପଟେ ଓଡ଼ିଶାରେ ପଶିଛି ଓମିକ୍ରନ। ଭବିଷ୍ୟତ କେଉଁ ରୂପ ନେବ। କିଭଳି ପ୍ରଭାବ ପକାଇବ ତାହା ଜଣାପଡ଼ି ନଥିଲେ ହେଁ ଏବେଠାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି କଲାଣି। ଯଦି ଓଡ଼ିଶାରେ ସଂକ୍ରମଣ ପୁଣିଥରେ ଉପରମୁହାଁ ହୁଏ, ତେବେ ପରୀକ୍ଷା ବାତିଲ୍‌ କରିବାକୁ ପଡ଼ିପାରେ। ସେଭଳି ସ୍ଥିତିରେ ବର୍ତ୍ତମାନ ସମୟରେ ଓଡ଼ିଶାର ଦୁଇଟିଯାକ ବୋର୍ଡ ପୁଣିଥରେ ହରଡ଼ଘଣାରେ ପଡ଼ିବେ। କାରଣ ସିବିଏସ୍‌ଇ, ଆଇସିଏସ୍‌ଇ ପରି ବୋର୍ଡ ଇତିମଧ୍ୟରେ ପ୍ରଥମ ବୋର୍ଡ ପରୀକ୍ଷା କରିସାରିଲେଣି। ତେଣୁ ସେମାନଙ୍କ ପାଖରେ ମାର୍କ ଉପଲବ୍ଧ ରହିଛି। ଏ କ୍ଷେତ୍ରରେ ଓଡ଼ିଶା ବୋର୍ଡ ପଛରେ ପଡ଼ିଛି। ସିଏଚ୍‌ଏସ୍‌ଇ ପାଖରେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କୌଣସି ବି ମାର୍କ ଉପଲବ୍ଧ ନାହିଁ। ଯୁକ୍ତ୨ କଲେଜ ପରୀକ୍ଷା ଦୁଇଟି ତ୍ରୈମାସିକ ପରୀକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାର୍କ ଦାଖଲ କରିନାହାନ୍ତି। ତେଣୁ ଭବିଷ୍ୟତରେ ସମସ୍ୟାର ସୃଷ୍ଟି ହୋଇପାରେ। ଏମିତିକି ଗତବର୍ଷ ପରି ବିବାଦ ଦେଖାଦେବାର ଆଶଙ୍କା ରହିଛି।