ପୁଣି ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା

ନିଷ୍ପତ୍ତି ପରିବର୍ତନ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ଶିକ୍ଷାବିତ୍‌ କହିଲେ ପିଲାଙ୍କ ଉପରେ ଚାପ ପଡ଼ିବ
ମୂଲ୍ୟାୟନ ପାଇଁ ଜାରି ହେଲା ଏସ୍‌ଓପି

ଭୁବନେଶ୍ବର : ପୁଣି ଘୁଞ୍ଚିଲା ମାଟ୍ରିକ୍‌ ଖାତା ମୂଲ୍ୟାୟନ। ମେ’ ୨୦ ବଦଳରେ ୨୧ ତାରିଖଠାରୁ ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର କହିଥିଲେ। ତେବେ ୨୪ ଘଣ୍ଟା ନ ପୂରୁଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମହାବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ଆସନ୍ତା ୨୧ତାରିଖରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆଜି କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ହଠାତ୍‌ ଏଭଳି ପରିବର୍ତ୍ତିତ ନିଷ୍ପତ୍ତିକୁ ‌ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଗାଁ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚିପାରୁନି। ସେମାନଙ୍କ ନିକଟରେ ଆବଶ୍ୟକ ସରଞ୍ଜାମ ନାହିଁ। ଅଭିଭାବକଙ୍କ ପାଖରେ ବି ପର୍ଯ୍ୟାପ୍ତ ସୁବିଧା‌ ଉପଲବ୍ଧ ହୋଇନି। ଏହା କେବଳ ବଡ଼ବଡ଼ିଆଙ୍କ ପାଇଁ ପ୍ରଯୁଜ୍ୟ। ତେଣୁ ସାମାଜିକ ଦୂରତା ଓ ସମସ୍ତ ନୀତିନିୟମ ରକ୍ଷା କରି ତୁରନ୍ତ କ୍ଲାସ ଆରମ୍ଭ କରାଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ଶିକ୍ଷାବିତ୍‌ ଓ ଶିକ୍ଷକ ସଂଘ ବି ସମାଲୋଚନା କରିଛନ୍ତି। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ବହୁ ଆଗରୁ ସୂଚନା ଦେଇଥିଲେ ସୁଦ୍ଧା ଗତକାଲି ବୈଠକ ବେଳେ କାହିଁକି ଏ ବିଷୟରେ ଆଲୋଚନା କରାଗଲା ନାହିଁ। ବାରମ୍ବାର ତାରିଖ ଘୁଞ୍ଚାଇବା ଦ୍ଵାରା ଛାତ୍ରଛାତ୍ରୀଙ୍କ ମାନସିକ ଉପରେ ପ୍ରଭାବ ପଡ଼ୁଛି। ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ଖାତା ମୂଲ୍ୟାୟନ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ‌ପ୍ରୋସିଡିଓର୍‌(ଏସ୍‌ଓପି) ଜାରି କରାଯାଇଛି। ଖାତା ଦେଖା ପାଇଁ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ମାଟ୍ରିକ୍‌ ୫୦ଟି କେନ୍ଦ୍ର ହୋଇଥିବା ବେଳେ ଏସ୍‌ଓଏସ୍‌ସି ପାଇଁ ୪ଟି, ମଧ୍ୟମା ଖାତା ମୂଲ୍ୟାୟନ ପାଇଁ ୪ ଓ ସ୍କ୍ରିପ୍ଟ ପାଇଁ ୨ଟି କେନ୍ଦ୍ର ହୋଇଛି। ଦୁଇଟି ପର୍ଯ୍ୟାୟରେ ୯ଟି ବିଷୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୫ଟି ବିଷୟର ଖାତା ଦେଖା ହେବ। ପ୍ରତି ପର୍ଯ୍ୟାୟରେ ଗୋଟିଏ ମୂଲ୍ୟାୟନ କେନ୍ଦ୍ରକୁ ଅତି ବେଶିରେ ୧୫୦ରୁ ୨୦୦ ମୂଲ୍ୟାୟନକାରୀ ଖାତା ଦେଖିବାକୁ ଆସିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଆଧାରରେ ସାମାଜିକ ଦୂରତ୍ବ ରଖାଯିବ। ପ୍ରତି ପର୍ଯ୍ୟାୟର ଖାତାଦେଖା ୨୫ରୁ ୩୦ଦିନ ମଧ୍ୟରେ ସରିବ। ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଭୂଗଳ, ଇତିହାସ ବିଷୟ ଓ ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଆ, ଫିଜିକାଲ ସାଇନ୍ସ, ହିନ୍ଦୀ, ସଂସ୍କୃତ ଓ ଲାଇଫ୍‌ ସାଇନ୍ସ ବିଷୟର ଖାତା ମୂଲ୍ୟାୟନ ହେବ।

ମୂଲ୍ୟାୟନ କେନ୍ଦ୍ରଠାରୁ ମୂଲ୍ୟାୟନକାରୀଙ୍କ ବାସଭବନ ଦୂରତା ୧୦ କିମି ହୋଇଥିବ। ଏନେଇ ମୂଲ୍ୟାୟନକାରୀ କ୍ୟାମ୍ପ ଅଫିସରଙ୍କୁ ଏକ ଅଣ୍ଡରଟେକିଂ ଦେବେ ଏବଂ ମୂଲ୍ୟାୟନ କାର୍ଯ୍ୟ ପାଇଁ କୌଣସି ପ୍ରକାର ଆକୋମୋଡେସନ(ବାସ ସୁବିଧା) ଫି’ ଦାବି କରିପାରିବେ ନାହିଁ। ମୂଲ୍ୟାୟନକାରୀ ପ୍ରଥମ ଦିନ ନାମ ପଞ୍ଜୀକରଣ ସମୟରେ ସମ୍ପୂର୍ଣ୍ଣ ଠିକଣା, ଯୋଗ‌ାଯୋଗ ନମ୍ବର ଆଦି ଦେବେ। ସମସ୍ତ ମୂଲ୍ୟାୟନକାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରତିଦିନ ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଥର୍ମାଲ ସ୍କିନିଂ ହେବ। ହାତ ଧୋଇବା ପାଇଁ ସାବୁନ ଓ ପାଣିର ବ୍ୟବସ୍ଥା, ମୂଲ୍ୟାୟନ କେନ୍ଦ୍ର ପ୍ରବେଶ ପଥରେ ସାନିଟାଇଜର ରଖିବା ନିହାତି ଆବଶ୍ୟକ। ପ୍ରତିଦିନ ସକାଳ ୯ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ଖାତା ଦେଖା ହେବ। ରବିବାର ଓ ଛୁଟି ଦିନରେ ବି ମୂଲ୍ୟାୟନ କରାଯିବ। ଅପରାହ୍‌ଣ ୩ଟା ପରେ ମୂଲ୍ୟାୟନକାରୀ କେନ୍ଦ୍ର ଛାଡ଼ିବେ। ମୂଲ୍ୟାୟନ କେନ୍ଦ୍ରର ପ୍ରତି ରୁମ୍‌ରେ ଫ୍ୟାନ୍‌ ନ ହେଲେ କୁଲର ବ୍ୟବସ୍ଥା କରିବା, ଗୋଟିଏ ଆଇସୋଲେସନ୍‌ ରୁମ୍‌ ଖୋଲିବାକୁ କୁହାଯାଇଛି। ଯଦି କୌଣସି ମୂଲ୍ୟାୟନକାରୀ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କୁ କାର୍ଯ୍ୟରୁ ମୁକ୍ତ କରାଯାଇପାରିବ। ପ୍ରତିଦିନ ମୂଲ୍ୟାୟନ ସରିବା ପରେ ମୂଲ୍ୟାୟନକାରୀ ଉତ୍ତର ଖାତାଗୁଡ଼ିକ ଦାଖଲ କରି ଯିବେ, ଫଳରେ ସେହିଦିନ ହିଁ ମାର୍କ ଚଢ଼ାଯାଇ ପାରିବ। ଜିଲ୍ଲାପାଳମାନେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସମସ୍ତ ମୂଲ୍ୟାୟନ ପ୍ରକ୍ରିୟାର ତଦାରଖ କରିବେ। ମୂଲ୍ୟାୟନ ସରିବା ପରେ କେନ୍ଦ୍ରର ବିଶୋଧନ କରିବା ବାଧ୍ୟତାମୂଳକ।

ସମ୍ବନ୍ଧିତ ଖବର