ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସ୍‌ଓପି ଜାରି
ମୂଲ୍ୟାୟନ କେନ୍ଦ୍ରରେ ରହିବେ ୨୦୦ ମୂଲ୍ୟାୟନକାରୀ
ପରିବର୍ତନ ହେଲା ୬ ମୂଲ୍ୟାୟନ କେନ୍ଦ୍ର

Advertisment

ଭୁବନେଶ୍ବର/କଟକ : ସାମୁଦ୍ରିକ ଝଡ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ୨୦ ତାରିଖ ପରିବର୍ତ୍ତେ ୨୧ ତାରିଖଠାରୁ ଖାତା ଦେଖା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମାଟ୍ରିକ୍‌ ଉତ୍ତର ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ରାୟ ପରେ ମୂଲ୍ୟାୟନ କେନ୍ଦ୍ର ଚୟନ ଓ ଦୂରତା‌ ନେଇ ଆଜି ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୫୭ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଅତିବେଶିରେ ୨୦୦ ମୂଲ୍ୟାୟନକାରୀକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସାମାଜିକ ଦୂରତା ସହ ମୂଲ୍ୟାୟନକାରୀ ମାସ୍କ ପରିଧାନ କରିବେ। ସାନିଟାଇଜେସନରେ ହାତ ସଫା ରଖିବେ। ଯଦି କୌଣସି ମୂଲ୍ୟାୟନ କେନ୍ଦ୍ରରେ ୨୦୦ ମୂଲ୍ୟାୟନକାରୀ ବସିବାରେ ଅସୁବିଧା ହୁଏ ସେଭଳି ସ୍ଥଳେ କେନ୍ଦ୍ରର ସୁପରଭାଇଜର ନିକଟସ୍ଥ ସମ୍ପ୍ରସାରଣ କେନ୍ଦ୍ରକୁ ମୂଲ୍ୟାୟନ ପାଇଁ ବ୍ୟବହାର କରିପାରିବେ। ଯେଉଁମାନେ ଖାତା ମୂଲ୍ୟାୟନ ‌କରିବାକୁ ଆସିବେ ସେମାନଙ୍କ ଘର ଦୂରତା‌ ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିମିରୁ ଅଧିକ ହୋଇ ନ ଥିବ। ଗତ ମାର୍ଚ୍ଚ ୧୮ ଓ ୧୯ ତାରିଖରେ ଖାତା ଦେଖିବାକୁ ଆସିଥିବା ମୂଲ୍ୟାୟନକାରୀ, ନୂତନ ଭାବେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାସଭବନ ଯେପରି ୧୦ କିମି ଦୂରରେ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିମି ଭିତରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ମୂଲ୍ୟାୟନ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମୂଲ୍ୟାୟନକାରୀମାନେ ସେଠାରେ ଯୋଗଦେବା ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ କୁହାଯାଇଛି।