ମାଟ୍ରିକ୍‌ ଖାତା ମୂଲ୍ୟାୟନ ୧୮ରୁ, ବୋର୍ଡ ୱେବ୍‌ସାଇଟ୍‌ରେ ଛଡ଼ାଗଲା ପରୀକ୍ଷକଙ୍କ ନିଯୁକ୍ତିପତ୍ର

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ) ପକ୍ଷରୁ ଆସନ୍ତା ୧୮ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଖାତା ମୂଲ୍ୟାୟନ ପାଇଁ ଚୟନ ହୋଇଥିବା ପରୀକ୍ଷକଙ୍କ ନିଯୁକ୍ତିପତ୍ର ବୋର୍ଡ ୱେବ୍‌ସାଇଟ www.bseodisha.ac.in ରେ ଛଡାଯାଇଛି। ଯେଉଁ ପରୀକ୍ଷକମାନେ ନିଯୁକ୍ତି ପାଇଛନ୍ତି ସଂପୃକ୍ତ ବିଦ୍ୟାଳୟର ମୁଖ୍ୟମାନେ ବିଦ୍ୟାଳୟର କୋଡ୍‌ ଓ ପାସ୍‌ୱାର୍ଡ ସହାୟତାରେ ନିଯୁକ୍ତିପତ୍ରକୁ ବୋର୍ଡ ୱେବ୍‌ସାଇଟ୍‌ରୁ ଡାଉନଲୋଡ୍ କରି ଶିକ୍ଷକମାନଙ୍କୁ ପ୍ରଦାନ ‌କରିବେ। ଚଳିତ ବ‌ର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାରେ ମୋଟ ୫ଲକ୍ଷ ୬୨ହଜାର ୧୩୭ଜଣ ପରୀକ୍ଷା ଦେଇଥିବା ବ‌େଳେ ମୂଲ୍ୟାୟନ ପାଇଁ ମୋଟ ୬୧ଟି ପରୀକ୍ଷା କେନ୍ଦ୍ର ଚୟନ ହୋଇଛି। ମୂଲ୍ୟାୟନ ପାଇଁ ୭୮୮ଜଣ ମୁଖ୍ୟ ପରୀକ୍ଷକ, ୧୫୩୬ଜଣ ଉପ ପରୀକ୍ଷକ ଓ ୧୧ହଜାର ୮୩୭ଜଣ ସହକାରୀ ପରୀକ୍ଷକ ଓ ୧୫୭୬ଜଣ ସ୍କ୍ରୁଟିନାଇଜର ନିଯୁକ୍ତି ହୋଇଛନ୍ତି। ମାଟ୍ରିକ୍‌ରେ ୫ଲକ୍ଷ ୪୭ହଜାର ୭୮୫ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୫୩ ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ମୁକ୍ତ ବିଦ୍ୟାଳୟରେ ୯ହଜାର ୭୭୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୪ଟି ମୂଲ୍ୟାୟନ କେନ୍ଦ୍ର ଓ ମଧ୍ୟମାରେ ୪ହଜାର ୫୮୧ପରୀକ୍ଷାର୍ଥୀଙ୍କ ଖାତା ଦେଖା ପାଇଁ ୪ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର