ଆସନ୍ତା ୨୫ରୁ ମାଟ୍ରିକ ଖାତା ମୂଲ୍ୟାୟନ : ସୁରକ୍ଷା ଚିନ୍ତା, ନୋଡାଲ ସେଣ୍ଟରରେ ପଡ଼ି ରହିଛି ଖାତା

ଦୁଇ ଦିନ ମଧ୍ୟରେ ସବୁ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବ: ସଂପାଦକ

କଟକ : ସପ୍ତାହେ ହେଲା ସରିଲାଣି ପରୀକ୍ଷା। ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ପରେ ପରେ ଖାତା ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବା କଥା। କିନ୍ତୁ ଆଜିଯାଏ ମାଟ୍ରିକ୍ ପରୀକ୍ଷା ଖାତା ରାଜ୍ୟର ବିଭିନ୍ନ ନୋଡାଲ ସେଣ୍ଟରରେ ପଡ଼ିରହିଛି। ଆସନ୍ତା ୨୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ନଥିବା ଓ ପରୀକ୍ଷକ ଚୟନ ହୋଇନଥିବାରୁ ମୂଲ୍ୟାୟନ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଗଲା ୭ତାରିଖରେ‌ ଶେଷ ହୋଇଥିବା ବେଳେ ଆସନ୍ତା ୨୫ରୁ ମୂଲ୍ୟାୟନ ପାଇଁ ‌କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି। ମୂଲ୍ୟାୟନ ପାଇଁ ୬୦ଟି କେନ୍ଦ୍ର ସ୍ଥିର କରାଯାଇଛି। କିନ୍ତୁ ଆଜି ଯାଏ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ପହଞ୍ଚି ନଥିବା ଅଭିଯୋଗ ‌େହାଇଛି। ମାଟ୍ରିକ୍ ପରୀକ୍ଷାରେ ଯେପରି ବିଭ୍ରାଟ ହେଲା ମୂଲ୍ୟାୟନରେ ସେପରି ନକରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଏବେଠୁ ସତର୍କତା ସହ ଖାତା ପଠାଇବା ଓ ମୂଲ୍ୟାୟନକୁ ସ୍ବଚ୍ଛ, ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। କଟକ ସହରର ଏକ ନୋଡାଲ ସେଣ୍ଟର ସୁପରିଟେ‌ଣ୍ଡେଣ୍ଟଙ୍କ କହିବା ଅନୁସାରେ ପ୍ରଥମ ଦଫାରେ ପ୍ରଥମ ଭାଷା ଓଡ଼ି୍ଆ, ଦ୍ବିତୀୟ ଭାଷା ଇଂରାଜୀ, ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ଖାତା ସବୁକୁ ବୋର୍ଡ ପକ୍ଷରୁ ନିଆଯାଇଥିବା ବେଳେ ଅବଶିଷ୍ଟ ଖାତା କେନ୍ଦ୍ରରେ ରହିଛି। କିନ୍ତୁ ସହର ନେଡାଲ ସେଣ୍ଟରରୁ ଆଦୌ ଖାତା ନିଆଯାଇ ନାହିଁ। ବୋର୍ଡ ସଂପାଦକ ରାମାଶିଷ ହାଜିରା କହିଛନ୍ତି, ପ୍ରଥମ ଫେଜ୍‌ର ପ୍ରଥମ ଭାଷା ଓଡ଼ିଆ, ଦ୍ବିତୀୟ ଭାଷା ଇଂରାଜୀ ଓ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଯାଇଛି। ଅବଶି‌ଷ୍ଟ ଖାତାଗୁଡ଼ିକୁ ନେବା ପାଇଁ ଡେସ୍‌ପାଚ୍‌ ଟିମ୍ ଗଠନ ହେବା ସହିତ ସେମାନଙ୍କୁ ତୁରନ୍ତ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ି ଅଭାବ କାରଣରୁ ଏପରି ହୋଇଛି। କିନ୍ତୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଯିବ ବୋଲି ସଂପାଦକ ଶ୍ରୀ ହାଜରା କହିଛନ୍ତି। ଓଏମ୍‌ଆର୍ ଫର୍ଦ୍ଦ ସମେତ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଥିବା ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ୩୦୪ଟି ନୋଡାଲ ସେଣ୍ଟର ରହିଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ପାଇଁ ୫୦ଟି ଓ ମଧ୍ୟମା ଏବଂ ଓପନ ସ୍କୁଲ ପାଇଁ ୧୦ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର