କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୨୦ ତାରିଖରୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ରାଜ୍ୟର ୬୦ଟି କେନ୍ଦ୍ରରେ ମୂଲ୍ୟାୟନ କରାଯିବାକୁ ଥିବା ବେଳେ ଏଥିରେ ୨୦ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବୋର୍ଡ ପକ୍ଷରୁ ଯୋଜନା ରହିଛି। ୨୦ ଦିନରେ ମୂଲ୍ୟାୟନ କାର୍ଯ୍ୟ ସାରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ସୂଚନା ଅନୁସାରେ, ପ୍ରତି ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍-୧୯ର ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମୂଲ୍ୟାୟନ ବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରକୁ ତିନି ପର୍ଯ୍ୟାୟରେ ପରୀକ୍ଷକମାନେ ପ୍ରବେଶ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ କେନ୍ଦ୍ର ପାଖରେ ଥିବା ଅନୁଷ୍ଠାନକୁ ମୂଲ୍ୟାୟନ କେନ୍ଦ୍ର ଭାବେ ବ୍ୟବହାର କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ପକ୍ଷରୁ ପୂର୍ବରୁ ପାଖାପାଖି ୧୭ହଜାର ପରୀକ୍ଷକ ନିଯୁକ୍ତି ପାଇଥିବା ବେଳେ ଏବେ ଆଉ ୬ହଜାର ପରୀକ୍ଷକଙ୍କୁ ନିଯୁକ୍ତି ମିଳିଛି। ମୁଖ୍ୟ ପରୀକ୍ଷକ, ଡେପୁଟି, ପରୀକ୍ଷକଙ୍କ ନିଯୁକ୍ତିପତ୍ରକୁ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଛଡାଯାଇଛି। ବିଦ୍ୟାଳୟର ମୁଖ୍ୟମାନେ ଏହି ନିଯୁକ୍ତିପତ୍ରକୁ ପରୀକ୍ଷକଙ୍କୁ ହସ୍ତାନ୍ତର କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ମୂଲ୍ୟାୟନ ପାଇଁ ନିଯୁକ୍ତି ପାଇଥିବା ଅନ୍ୟ ଅଧିକାରୀମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀମାନେ ୧୮ତାରିଖ ସୁଦ୍ଧା ଦାୟିତ୍ବମୁକ୍ତ କରି ମୂଲ୍ୟାୟନ ପାଇଁ ପଠାଇବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ ୧୮ ଓ ୧୯ତାରିଖରେ ଦୁଇଦିନ ଖାତା ଦେଖିଥିବା ଓ ନୂଆ ନିଯୁକ୍ତି ପାଇଥିବା ପରୀକ୍ଷକମାନେ ଆସନ୍ତା ୨୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଲକ୍ଡାଉନ୍ ପାଇଁ ଯେଉଁ ଶିକ୍ଷକ ମାନେ ନିଜ ଜିଲ୍ଲାରେ ରହିଯାଇଛନ୍ତି, ସେମାନେ ମୂଲ୍ୟାୟନ ପାଇଁ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ବା ପାଖ ମୂଲ୍ୟାୟନ କେନ୍ଦ୍ରରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମୂଲ୍ୟାୟନ ପାଇଁ ସୁଯୋଗ ଦିଆଯିବ। ପଞ୍ଜୀକରଣ ପାଇଁ ଫର୍ମ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେଉଛି। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ କୋଭଡ୍-୧୯ ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତ୍ବ, ବାଧ୍ୟତାମୂଳକ ମାସ୍କ, କେନ୍ଦ୍ରରେ ସାନିଟାଇଜର ରହିବ। ଏହା ବ୍ୟତୀତ କେନ୍ଦ୍ରରେ ଜନଗହଳି ନ କରିବା ପାଇଁ ପରୀକ୍ଷକଙ୍କ ପାଇଁ ତିନି ପର୍ଯ୍ୟାୟରେ ଯିବାଆସିବା ବ୍ୟବସ୍ଥା କରାଯାଇଛି। ପ୍ରଥମ ଭାଷା(ଓଡ଼ିଆ), ସାମାଜିକ ବିଜ୍ଞାନ ଖାତା ମୂଲ୍ୟାୟନ ସକାଳ ୮ଟାରୁ ଅପରାହଣ ୨ଟା, ଦ୍ବିତୀୟ ଭାଷା(ଇଂରାଜୀ) ଓ ସାଧାରଣ ବିଜ୍ଞାନ ମୂଲ୍ୟାୟନ ସକାଳ ୯ଟାରୁ ଅପରାହ୍ଣ ୩ଟା, ହିନ୍ଦୀ, ସଂସ୍କୃତ, ଗଣିତ ମୂଲ୍ୟାୟନ ସକାଳ ସାଢ଼େ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଛୋଟ ଛୋଟ ମୂଲ୍ୟାୟନ କେନ୍ଦ୍ରରେ ଦୁଇଟି ୟୁନିଟ୍ ପାଇଁ ମଧ୍ୟ ପୃଥକ ପ୍ରବେଶ ସମୟ କରାଯାଇଛି। ଯୁନିଟ୍-୧ ସକାଳ ୮ଟାରୁ ଦିନ ୧୨ଟା ଓ ଯୁନିଟ୍-୨ ଦିନ ୧୨ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତା ଦେଖିବେ ବୋଲି ସୋମବାର ସକାଳେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
ସଭାପତି ଶ୍ରୀ ହାଜରା କହିଛନ୍ତି, ଛୋଟ ଛୋଟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକ ଭିଡ କମ୍ କରିବା ପାଇଁ ପାଖରେ ଥିବା ହଷ୍ଟେଲ୍, ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ମୂଲ୍ୟାୟନ କେନ୍ଦ୍ର ଭାବେ ବ୍ୟବହାର କରାଯିବାକୁ ଯୋଜନା ରହିଛି। କିନ୍ତୁ ମାର୍କ ପୋଷ୍ଟିଂ ମୂଳକେନ୍ଦ୍ରରେ କରାଯିବ। ପରୀକ୍ଷକଙ୍କ ସୁରକ୍ଷା ପାଇଁ ପ୍ରତି କେନ୍ଦ୍ରରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁସାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସଭାପତି ଶ୍ରୀ ହାଜରା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଂପାଦକ ଶ୍ରୀକାନ୍ତ କୁମାର ତରାଇ ଓ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।