ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ କ୍ୟାମ୍ପ ଅଫିସର୍ସ ବୈଠକରେ ନିଷ୍ପତ୍ତି : ପର୍ଯ୍ୟାୟରେ ହେବ ମୂଲ୍ୟାୟନ, କେବେଠୁ ଆଜି ଜଣାପଡ଼ିବ

କଟକ : ଏକକାଳୀନ ସବୁ ପରୀକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଯିବେନାହିଁ। ସାମାଜିକ ଦୂରତା ରକ୍ଷା ପାଇଁ ପର୍ଯ୍ୟାୟ ଅନୁସାରେ ହେବ ମୂଲ୍ୟାୟନ। ଆଜି ପୂର୍ବାହ୍‌ଣରେ ଅନୁ‌ଷ୍ଠିତ କ୍ୟାମ୍ପ ଅଫିସର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ, ବୋର୍ଡ ପକ୍ଷରୁ ମୂଲ୍ୟାୟନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୂଲ୍ୟାୟନ ଆରମ୍ଭ ତାରିଖ ଧାର୍ଯ୍ୟ ହୋଇନାହିଁ। ଆସନ୍ତାକାଲି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅନୁଷ୍ଠିତ ବୈଠକରେ କେଉଁ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ, ତାହା ଜଣାପଡ଼ିବ ବୋଲି ସୂଚନା ମିଳିଛି।

ରବିବାର ପୂର୍ବାହ୍‌ଣରେ ବୋର୍ଡ ସମ୍ମିଳନୀ କକ୍ଷରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ଅଫିସର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୬୦ଟି ମୂଲ୍ୟାୟନ କେନ୍ଦ୍ରର କ୍ୟାମ୍ପ ଅଫିସର୍‌ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ୍‌ ଖାତା ମୂଲ୍ୟାୟନ ସଂକ୍ରାନ୍ତରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ପୂର୍ବଭଳି ଗୋଟିଏ କେନ୍ଦ୍ରରେ ୧୬/୧୭ଟି ୟୁନିଟ୍‌ ଖାତା ନ ଦେଖି ୮ଟି ୟୁନିଟ୍ ଖାତା ଦେଖିବେ ବୋଲି ଆଲୋଚନା ହୋଇଥିଲା। ଗୋଟିଏ କେନ୍ଦ୍ରରେ ଏକକାଳୀନ ୧୫୦ରୁ ୨ଶହ ଶିକ୍ଷକଙ୍କୁ ଖାତା ଦେଖିବାକୁ ସୁଯୋଗ ଦିଆଯିବ। ୮ଟି ୟୁନିଟ୍(ପାଖାପାଖି ୨ଶହ) ପ୍ରଥମେ ଅବ୍‌ଜେକ୍ଟିଭ୍ ଖାତା ଦେଖିବେ। ଏହା ସମାପ୍ତ ହେବା ପରେ ସବ୍‌ଜେକ୍ଟିଭ୍ ଖାତା ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଇତିହାସ, ଭୂଗୋଳ ଖାତା ଓ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ପେପର ମୂଲ୍ୟାୟନ କରାଯିବ। ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ମାର୍କ ପୋଷ୍ଟିଂ ହେବ। ମୂଲ୍ୟାୟନ କେନ୍ଦ୍ର ସମେତ କେନ୍ଦ୍ରର ପ୍ରତି ପ୍ରକୋଷ୍ଠକୁ ସାନିଟାଇଜ୍ କରାଯିବ। କେନ୍ଦ୍ରକୁ ଯିବା ପୂର୍ବରୁ ଶିକ୍ଷକମାନେ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବହାର କରି କେନ୍ଦ୍ରକୁ ଯିବେ। ସକାଳ ୯ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ। ମଝିରେ କେନ୍ଦ୍ରକୁ କାହାରିକୁ ଯିବାଆସିବା କରିବାକୁ ଦିଆଯିବ ନାହିଁ। ଖାତା ଦେଖା ବେଳେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ବୋର୍ଡ କ୍ୟାମ୍ପ ଅଫିସର୍ସ ବୈଠକରେ ଆଲୋଚନା ହୋଇଛି। ଏଭଳି ଢ଼ଙ୍ଗରେ ମୂଲ୍ୟାୟନ ଚାଲିଲେ ଖାତା ଦେଖା ସାରିବାକୁ ଅନ୍ୟୁନ ୫୦ରୁ ୬୦ଦିନ ସମୟ ଲାଗିବ‌ ବୋଲି ବୈଠକରେ ଆଲୋଚନା ହୋଇଥିଲା।

‌ଆଜି ବୈଠକରେ ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇଙ୍କ ସମେତ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତାକାଲି ମୂଲ୍ୟାୟନ ତାରିଖ ଚୂଡାନ୍ତ ହେବ। କିନ୍ତୁ ମୂଲ୍ୟାୟନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବୋର୍ଡ କର୍ମଚାରୀ ଓ ସମସ୍ତ ପରୀକ୍ଷକଙ୍କ ସୁରକ୍ଷା ପାଇଁ ‌କୋଭିଡ୍-୧୯ର ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି।

ସମ୍ବନ୍ଧିତ ଖବର