ମାଟ୍ରିକ ଖାତା ମୂଲ୍ୟାୟନ ପଦ୍ଧତିରେ ପରିବର୍ତ୍ତନ ଅଣାଯାଉ: ଓଷ୍ଟା

ଭୁବନେଶ୍ୱର : ଗୃହ ମୂଲ୍ୟାୟନ ମାଧ୍ୟମରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାୟନ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏଥିସହ କୁହାଯାଇଛି ଯେ ଗତାନୁଗତିକ ଭିତ୍ତିରେ ମାଧ୍ୟମିକ ଶିକ୍ଷା ପରିଷଦ ଯେଉଁ ତରିକା ଗ୍ରହଣ କରିଛନ୍ତି, ତାହା ଶିକ୍ଷକଙ୍କୁ ଚିନ୍ତାରେ ପକାଇଛି। ପୂର୍ବରୁ ଗୋଟିଏ କେନ୍ଦ୍ର ପାଇଁ ଯେତିକି ପରୀକ୍ଷକ ନିଯୁକ୍ତି ହେଉଥିଲେ ଏବେ ତାହା ଆହୁରି ବୃଦ୍ଧି ପାଇଛି। ଏହା ସାମାଜିକ ଦୂରତ୍ୱ ରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାହତ କରିବ। ମାତ୍ର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ୨୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ମୂଲ୍ୟାୟନ କାର୍ଯ୍ୟ କଲେ ସାମାଜିକ ଦୂରତ୍ୱ ରକ୍ଷା ହୋଇପାରିବ ନାହିଁ ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ଶ୍ରମିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଶିକ୍ଷକମାନେ ମାଟ୍ରିକ୍ ଖାତା ମୂଲ୍ୟାୟନ ଓ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶନ ପାଇଁ ଚିନ୍ତିତ। ସଂପୂର୍ଣ୍ଣ ସହଯୋଗ କରିବାକୁ ବି ପ୍ରସ୍ତୁତ। ତେବେ ଜନଗହଳି ଭିତରେ ଜୀବନକୁ ବିପଦ ସଙ୍କୁଳ କରି ଏ କାର୍ଯ୍ୟ କରିବା ସମ୍ଭବପର ନୁହେଁ। ବୋର୍ଡ କର୍ତ୍ତୃପକ୍ଷ ଜିଦ୍‌ରେ ଅଟଳ ରହି ରାଜ୍ୟର ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି କରୁନାହାନ୍ତି। ଜିଲ୍ଲାର ଅବସ୍ଥିତି ଅନୁଯାୟୀ ଖାତା ଦେଖିବା ପାଇଁ ଅଧିକାଂଶ ଶିକ୍ଷକଙ୍କୁ ୨୦୦ରୁ ୨୫୦ କିମି ପର୍ଯ୍ୟନ୍ତ ଦୂରତ୍ୱକୁ ଅତିକ୍ରମ କରିବାକୁ ପଡ଼ିବ। ଗାଡ଼ି ଚାଲୁ ନଥିବାରୁ ଶିକ୍ଷକମାନେ ହଇରାଣ ହେବେ। ଏନେଇ ଓଷ୍ଟା ପକ୍ଷରୁ ରାଜ୍ୟ ସରକାରଙ୍କୁ କିଛି ମତାମତ ଓ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ ତାହାକୁ ଆଦୌ ଗ୍ରହଣ କରିନାହାନ୍ତି। ଏବେ ବି ସମୟ ଅଛି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରି ପଦକ୍ଷେପ ନିଅନ୍ତୁ। ନଚେତ ଆଗାମୀ ଦିନରେ ମୂଲ୍ୟାୟନ କାର୍ଯ୍ୟରେ ଶିକ୍ଷକମାନେ ଅସହଯୋଗ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ପକ୍ଷରୁ ବିନୋଦ ବିହାରି ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବିନାୟକ ପରିଡ଼ା ପ୍ରମୁଖ ଉପସ୍ଥିତି ରହି ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର